ମହେନ୍ଦ୍ରଗିରିରେ ବେଆଇନ ନିର୍ମାଣ ଓ ଖନନ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପୁରାଣ ପ୍ରସିଦ୍ଧ ଶୈବ ପୀଠ ମହେନ୍ଦ୍ରଗିରିର ନିଷେଧାଞ୍ଚଳରେ ବେଆଇନ ନିର୍ମାଣ ଓ ଖନନକୁ କେନ୍ଦ୍ର କରି ବିବାଦ ଏବେ ଓଡିଶା ହାଇକୋୖର୍ଟରେ ପହଞ୍ଚିଛି. ଘଟଣା ନେଇ ଏକ ଜନସ୍ବାର୍ଥ ମାମଲା ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଛି। ଯାହାର ଶୁଶାଣି ଗ୍ରୀଷ୍ମ ଅବକାଶ ପରେ ହେବା ସମ୍ଭାବନା ରହିଛି। ଅଭିଯୋଗ ଅନୁଯାୟୀ, ମହେନ୍ଦ୍ରଗିରି ପର୍ବତର ସୁରକ୍ଷିତ ଓ ପରିବେଶ ସମ୍ବେଦନଶୀଳ ଅଞ୍ଚଳରେ ବିନା ଅନୁମତିରେ ବିଭିନ୍ନ ନିର୍ମାଣ ଏବଂ ଖନନ କାର୍ଯ୍ୟ ଚାଲିଛି। ଯାହାକୁ ନେଇ କିଛି ସାମାଜିକ ସଂଗଠନ, ପରିବେଶପ୍ରେମୀ ଓ ସ୍ଥାନୀୟ ଅଧିବାସୀ ପ୍ରତିବାଦ କରିଆସୁଥିବା ବେଳେ ଚାଲିଥିବା ବିବାଦ ଏବେ ହାଇକୋର୍ଟରେ ପହଞ୍ଚିଛି। ଫଳରେ ମହେନ୍ଦ୍ରଗିରିର ପବିତ୍ର ପରମ୍ପରା, ପରିବେଶ ଓ ପ୍ରଶାସନ ମଧ୍ୟରେ ଏକପ୍ରକାର ଆଇନଗତ ଲଢ଼େଇ ଆରମ୍ଭ ହୋଇଛି। ବେଆଇନ ଖନନ ଓ ନିର୍ମାଣକୁ ନେଇ ପ୍ରଦୀପ କୁମାର ଭୂୟାଁ, ଦାଶରଥୀ ଭୂୟାଁ ଓ ରାଜେନ୍ଦ୍ର ଶବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏଥିରେ ରାଜ୍ୟ ସରକାର, ଗଜପତି ଜିଲ୍ଲାପାଳ, ଏଏସ୍ଥାଇ, ପାରଳାଖେମୁଣ୍ଡି ଡିଏଫଓ, ଗଜପତି ଏସ୍ପି ଓ ଅନ୍ୟ ୫ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି।


