ଗଜପତିରେ ଉତ୍କଳ ଦିବସ : ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ମହାରାଜା କୃଷ୍ଣଚନ୍ଦ୍ର ମୁଖ୍ୟ କର୍ଣ୍ଣଧାର
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ଠାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏଥି ଉପଲକ୍ଷେ ପ୍ରାତଃ ୫ଘଣ୍ଟା ସମୟରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଡାକବାଜି ଯୋଗେ ବନ୍ଦେ ଉତ୍କଳ ଜନନୀ ପରିବେଶଷଣ କରି ସହର ପରିକ୍ରମା କରାଯାଇଥିଲା । ଏହାପରେ ସକାଳ ୭ଘଣ୍ଟା ସମୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ ପ୍ରମୁଖ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହପରେ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ସମାଧିପୀଠ ଠାରେ ପହଞ୍ôଚ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହାପରେ ବଜାର ଛକ ଠାରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ସ୍ମୃତିଚାରଣ କରିଥିଲେ । ସକାଳ ୧୦.୩୦ ସମୟରେ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆଜି ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ଅବସରରେ ସାଧାରଣ ସଭା ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ ଯୋଗଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ସମସ୍ତ କର୍ଣ୍ଣଧାରଙ୍କ ଗୁଣଗାନ କରିଥିଲେ । ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାର ବୋଲି ପ୍ରକାଶ କରିବା ସହ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ପାରଳା ମହାରାଜାଙ୍କ ଅବଦାନ ଅତୁଳନୀୟ ଏବଂ ସ୍ୱର୍ଗତ ମହାରାଜାଙ୍କ ତ୍ୟାଗ ଓ ଆଦର୍ଶରେ ପ୍ରତ୍ୟେକ ବ୍ୟକ୍ତି ଅନୁପ୍ରାଣିତ ହୋଇ ଦେଶ ଓ ସମାଜର ଉନ୍ନତି ସାଧାନ କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାବେଶରେ ମୁଖ୍ୟବକ୍ତା ଭାବେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମକେଶରୀ ବେହେରା ଯୋଗଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଗୋଲଟେବୁଲ ବୈଠକରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ବଳିଷ୍ଠ ଯୁକ୍ତିହିଁ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ସାକାର ହୋଇଥିଲା ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ପାରଳାଖେମୁଣ୍ଡି ନବନିର୍ବାଚିତି ପୌରଧ୍ୟକ୍ଷା ନିର୍ମଳା ସେଠୀ, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଉତ୍କଳ ଦିବସ ଅବସରରେ ଆୟୋଜିତ ବିଭିନ୍ନ ବକୃତା ଓ ପ୍ରବନ୍ଧ ପ୍ରତିଯୋଗୀତାରେ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ମାନପତ୍ର ଓ ପୁରସ୍କାର ସ୍ୱରୂପ କପ୍ ପ୍ରଦାନ କରିଥିଲେ ।


