ଗଜପତିର ମାରିଙ୍ଗି ଓ ଆଶ୍ରୟଗଡ ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଲାବାଣ୍ୟଗଡ ପଞ୍ଚାୟତର ମାରିଙ୍ଗି ଗ୍ରାମକୁ ଓ ଗୁମ୍ମା ବ୍ଲକ ତରଭା ପଞ୍ଚାୟତର ଆଶ୍ରୟଗଡ ଗ୍ରାମକୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଗୋଷାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିଶୋର ଚନ୍ଦ୍ର ଦାସଙ୍କ କହିବା ଅନୁଯାୟୀ ଜଣେ ପ୍ରବାସୀ ତାମିଲନାଡୁରୁ ଆସି ଲିଙ୍ଗିପୁର ସଙ୍ଗରୋଧ କେନ୍ଦ୍ରରେ ୧୪ଦିନ ରହିଥିଲେ । ସେଠାରୁ ସେ ନିଜ ଗ୍ରାମକୁ ଫେରିଥିଲେ । ତାଙ୍କର ସ୍ୱାବ ପରୀକ୍ଷାରୁ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ତାଙ୍କୁ ରାଜ ସୀତାପୁର କଭିଡ ହସ୍ପିଟାଲକୁ ନିଆଯାଇଅଛି । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଚିକିତ୍ସା ଜାରୀ ରହିଛି । ମାରିଙ୍ଗି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଗୁରାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପତିତପାବନ ବାରିକ ଏବଂ ତାଙ୍କର କର୍ମଚାରୀମାନେ ସେଠାରେ କ୍ୟାମ୍ପ କରି ମାରିଙ୍ଗି ଗ୍ରାମରେ ସଜାଗ ରହିଛନ୍ତି । ଗାରାବନ୍ଧ ଥାନା ପକ୍ଷରୁ ସେଠାରେ କ୍ୟାମ୍ପ କରାଯାଇଛି । ଲାବାଣ୍ୟଗଡ ସରପଞ୍ଚ ସେଠାରେ ସ୍ଥିତି ଅନୁଧ୍ୟାନ କରୁଥିବାର ଜଣାପଡିଛି । ସେହିପରି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତରଭା ପଞ୍ଚାୟତର ଆଶ୍ରୟ ଗଡ ଗ୍ରାମକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି କଣ୍ଟେନ୍ମେଣ୍ଟ ଜୋନ୍ରେ ଖାରୀଗୁଡା, ବୁରୁଡିଂ ଦେଇ ଆଶ୍ରୟଗଡ ହାଇସ୍କୁଲକୁ ଯାଉଥିବା ରାସ୍ତାଟିକୁ ସିଲ କରାଯାଇଛି । ଆଶ୍ରୟଗଡ ଠାରୁ ବୁଲେଇଜଙ୍ଗା ଛକ ଯାଉଥିବା ରେଷ୍ଟସେଡ ପର୍ଯ୍ୟନ୍ତ ରାସ୍ତାଟିକୁ ସିଲ କରାଯାଇଛି । ଆଶ୍ରୟଗଡ ଗ୍ରାମ ଏବଂ ତାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ନିଷିଦ୍ଧାଅଞ୍ଚଳ ଘୋଷଣା କରାଯାଇଛି । ୨୦୦ ପରିବାର ଏବଂ ହଜାର ଜନବସତି ଥିବା ଆଶ୍ରୟଗଡକୁ କରୋନା ପର୍ଯ୍ୟବେକ୍ଷକ ଦଳ ଗସ୍ତକରି ସମସ୍ତଙ୍କ ନମୂନା ପରୀକ୍ଷା ପାଇଁ ସଂଗ୍ରହ କରୁଥିବା ଜଣାପଡିଛି । ଖାରିଗୁଡା ଗ୍ରାମର ୫୦ ପରିବାର ଏବଂ ୧୮୦ ଲୋକ ବିଶିଷ୍ଟ ଲୋକ ସଂଖ୍ୟା ରହିଥିବା ଯାହାକି ଆଶ୍ରୟଗଡ ଠାରୁ ମାତ୍ର ଏକ କି.ମି. ଦୂରରେ ରହିଛି ତାକୁ ବଫର ଜୋନ ବୋଲି ଘଷୋଣା କରାଯାଇଛି । ଏହି ସମସ୍ତ ସ୍ଥିତି ଅନୁଧ୍ୟାନ କରିବାପାଇଁ ଗୁମ୍ମା ତହସିଲଦାର ଏବଂ ମାଜିଷ୍ଟ୍ରେଟ ଦାୟିତ୍ୱରେଥିବା ଚିତ୍ତ ରଂଜନ ଦାସ ଏବଂ ଗ୍ରାମ୍ୟ ଜଳଯୋଗାଣ ଏବଂ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ତ୍ରିପତି ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ଅଞ୍ଚଳ ଗୁଡିକରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଶାସନ ପକ୍ଷରୁ ପହଞ୍ଚାଯିବାପାଇଁ ବ୍ୟବସ୍ଥା କରାଯାଇଛି ।