ଗଜପତି ଆଶ୍ରମ ବିଦ୍ୟାଳୟରେ ଫୁଡ୍‌ ପଏଜନ, ୮ଛାତ୍ରୀ ଗୁରୁତର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ମୋହନା ବ୍ଲକ ଲୁଡୁ ଆଶ୍ରମ ବିଦ୍ୟାଳୟରେ ଫୁଡ୍‌ପଏଜନରେ ୮ଜଣ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୋହନା ଡାକ୍ତରଖାନାରେ ୮ଜଣଙ୍କୁ ଭର୍ତ୍ତି କରାଯାଇଛି । ଘଟଣାରୁ ପ୍ରକାଶ ଗତ ୨ଦିନ ତଳେ ଲୁଡୁ ଆଶ୍ରମ ବିଦ୍ୟାଳୟରେ ବାସି ଚୁଡା ଓ କଦଳୀ ଚକଟା ଛାତ୍ରୀମାନେ ଖାଇଥିଲେ । ଏଥିରେ ୧୫ଜଣ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ୧୫ଜଣଙ୍କ ମଧ୍ୟରୁ ୮ଜଣ ଛାତ୍ରୀଙ୍କୁ ଏଥିରେ ଫୁଡ୍‌ପଏଜନ ହୋଇ ବାରମ୍ବାର ବାନ୍ତି,ଝାଡା ଓ ପେଟବଥା ଆଦି ହୋଇଥିଲା । ବିଦ୍ୟାଳୟ ଶିକ୍ଷକଶିକ୍ଷୟତ୍ରୀ ୮ଜଣଙ୍କୁ ଗତକାଲି ମୋହନା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ୮ଜଣଙ୍କ ଅବସ୍ଥା ଆୟତ୍ତ ହୋଇଥିଲା । ଝାଡାବାନ୍ତି ଓ ଫୁଡ୍‌ପଏଜନ ବ୍ୟାପିବା ଖବର ପାଇ ଅଭିଭାବକ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି । ଆକ୍ରାନ୍ତ ହୋଇଥିବା ଛାତ୍ରୀମାନଙ୍କ ପିତାମାତା ଡାକ୍ତରଖାନାରେ ପହଞ୍ଚି ସେମାନଙ୍କ ଦେଖାସୁଣା କରିଛନ୍ତି । ସରକାରୀ ଆଶ୍ରମ ବିଦ୍ୟାଳୟରେ ଏପରି କାହିଁକି ହେଲା ଏବଂ ଆଗାମୀ ଦିନରେ ଏହାକୁ କିପରି ରୋକାଯିବ ସେଥି ପାଇଁ ଉଚିତ୍ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଛାତ୍ରୀ ମାନଙ୍କ ଅଭିଭାବକ ଦାବୀ କରିଛନ୍ତି । ଏ ନେଇ ଗଜପତି ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ କହିଛନ୍ତି ବର୍ତ୍ତମାନ ସମସ୍ତ ଛାତ୍ରୀ ସୁସ୍ଥ ହୋଇ ଫେରିଛନ୍ତି । ଏଭଳି ଘଟଣା ପୁନରାବୃତ୍ତି ଯେପରି ନ ହୁଏ ତାହାର ଉଚିତ୍ ପଦକ୍ଷେପ ନିଆଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ