ଗଜପତି ୩ ପଞ୍ଚାୟତ ଉପନିର୍ବାଚନର ଫଳାଫଳ ଘୋଷିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ମୋହନା ବ୍ଲକ ସ୍ଥିତ କଟାମା, ପାଣିଗଣ୍ଡା ଓ ଗୁମ୍ମା ବ୍ଲକ ଅନ୍ତର୍ଗତ କୁଜାସିଂ ପଞ୍ଚାୟତରେ ଗତକାଲି ଅନୁଷ୍ଠିତ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ଘୋଷିତ ହୋଇଯାଛି । ଏଠାରେ ସୂଚନା ଯୋଗ୍ୟ ଯେ ଏହି ୩ଗୋଟି ପଞ୍ଚାୟତରେ ଗୋଟିଏ ପଞ୍ଚାୟତରେ ସରପଞ୍ଚଙ୍କ ମୃତ୍ୟୁକୁ ନେଇ ଏବଂ ଅନ୍ୟ ଦୁଇଟି ପଞ୍ଚାୟତରେ ଅନାସ୍ତା ପ୍ରସ୍ତାବ ଯୋଗୁଁ ସରପଞ୍ଚ ଦ୍ୱୟ ନିଜର ପଦମର୍ଯ୍ୟାଦା ହରାଇ ବସିଥିଲେ । ଏଥିଲାଗି ପୁନର୍ବାର ଉପ ନିର୍ବାଚନ ହେବାପାଇଁ ନିଷ୍ପତ୍ତି ନିଆଯାଇଥିଲା । ଅନୁଷ୍ଠିତ ହୋଇଥିବା ଉପନିର୍ବାଚନ ପାଇଁ ୩ଜଣ ପ୍ରାର୍ଥୀ କୁଜାସିଂରେ ରହିଥିବା ବେଳେ କଟାମା ପାଇଁ ୨ଜଣ, ପାଣିଗଣ୍ଡା ପାଇଁ ଦୁଇଜଣ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ । ଆଜି ଭୋଟ ଗଣତି ପରେ ଗୁମ୍ମା ବ୍ଲକର କୁଜାସିଂ ପଞ୍ଚାୟତରେ ଜବାନ ଭୂୟାଁ ୧୪୨୯ ଖଣ୍ଡ ଭୋଟ ପାଇ ବିଜୟ ହାସଲ କରିଥିବାବେଳେ ଜୟସିଂ ଭୂୟାଁ ୮୨୮ ଓ ଭାଷ୍କର ନାୟକ ୨୬୦ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି । ସେହିପରି ମୋହନା ବ୍ଲକର ପାଣିଗଣ୍ଡା ପଞ୍ଚାୟତରେ ଜିଶାୟ ଶବର ୧୧୨୬ ଖଣ୍ଡ ଭୋଟ ପାଇ ବିଜୟ ହୋଇଥିବାବେଳେ ଥିଓପିଲ ଗମାଙ୍ଗ ୧୦୮୨ ଭୋଟପାଇ ପରାଜିତ ହୋଇଛନ୍ତି । କଟାମା ପଞ୍ଚାୟତର ମାର୍ଥା ମଲ୍ଲିକ ୮୦୨ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିବାବେଳେ ସଫିରା ପାଟମାଝୀ ୭୫୬ ଭୋଟ ପାଇ ପରାସ୍ତ ହୋଇଛନ୍ତି । ଏହି ନିର୍ବାଚନକୁ ଗୁମ୍ମା ବ୍ଲକରେ ବିଡିଓ ନଟବର ଗରଡ ଓ ମୋହନା ବ୍ଲକରେ ବିଡିଓ ବଂଶୀଧର ଖସଲା ପରିଚାଳନା କରିଥିବାବେଳେ ଜିଲ୍ଲା ପଞ୍ଚାୟତ ଅଧିକାରୀ ବସନ୍ତ କୁମାର ପାତ୍ର ନିର୍ବାଚନ ଅଧିକାରୀ ଭାବେ ଦାୟୀତ୍ୱ ତୁଲାଇ ଥିଲେ ।


