ପଥର ତଳେ ଚାପି ହୋଇ ନାବାଳକ ମୃତ୍ୟୁ ଘଟଣା : ଜେଲ ଗଲେ ଟ୍ରାକ୍ଟର ମାଲିକ ଏବଂ ଚାଳକ
ଦିଗପହଣ୍ଡି (ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟ ମୋରୁମ ଖାଦାନ ରେ ଗତ ଶନିବାର ସକାଳ ପ୍ରାୟ ୭ ଟାରେ ମୋରୁମ ଖୋଳୁଥିବା ବେଳେ ପଥର ସହ ମୋରୁମ ମାଟି ରେ ଚାପି ହୋଇ ଉସ୍ତପଲ୍ଲୀ ଗ୍ରାମର ପଞ୍ଚାନନ ମଲ୍ଲିକ ଙ୍କ ନାବାଳକ ପୁଅ ବିନୋଦ ମଲ୍ଲିକ(୧୭) ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ ଏବଂ ଉସ୍ତପଲ୍ଲୀ ଗାଁ ରେ ମାଉସୀ ଙ୍କ ଘରେ ରହୁଥିବା ବଡଗଡ ଥାନା ଅଧିନ ଏକ ଗାଁ ର ମଙ୍ଗଳା ମଲ୍ଲିକ ଙ୍କ ନାବାଳକ ପୁଅ ଗଣେଶ ମଲ୍ଲିକ(୧୫) ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ମଙ୍ଗଳବାର ପାଟପୁର ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ କୋର୍ଟ କୁ ଚାଲାଣ କରିଛନ୍ତି।ଗିରଫ ଅଭିଯୁକ୍ତ ଦ୍ବୟ ହେଲେ କୁଶପଲ୍ଲୀ ଗ୍ରାମର ଟ୍ରାକ୍ଟର ମାଲିକ ସୁରଥ ମଲ୍ଲିକ(୩୬) ଏବଂ ଟ୍ରାକ୍ଟର ଚାଳକ ରାମ ମଲ୍ଲିକ(୨୦)।ଥାନା ମାମଲା ନଂ.୨୫୬/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ବୟ ଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ବିନୋଦ ଏବଂ ଗଣେଶ ଦୁଇଜଣ ସମ୍ପର୍କୀୟ ଭାଇ ଅଟନ୍ତି। ତାଙ୍କ ଘରକାମ ପାଇଁ ପଟିଗୁଡ଼ା ପଞ୍ଚାୟତ କୁଶପଲ୍ଲୀ ଗାଁ ର ସୁରଥ ଙ୍କ ଟ୍ରାକ୍ଟର ଭଡ଼ା ରେ ନେଇଥିଲେ। ଟ୍ରାକ୍ଟର ଡାଲା ରେ ବସି ଉଭୟେ ମୋରୁମ ଖାଦାନ କୁ ଯାଇଥିଲେ।ଟ୍ରାକ୍ଟର ଚାଳକ ରାମ ଘଟଣାସ୍ଥଳରେ ଥିଲେ ମଧ୍ୟ ମୋରୁମ ଖାଦାନ ଧସିବା ସମୟରେ ଉଭୟଙ୍କୁ ସତର୍କ କରିନଥିଲେ। ଫଳରେ ଉଭୟେ ମୋରୁମ ଗଦା ରେ ଥିବା ପଥର ତଳେ ଚାପି ହୋଇଯାଇଥିଲେ।ଏକ ବଡ଼ ପଥର ଖଣ୍ଡ ବିନୋଦ ଙ୍କ ମୁଣ୍ଡ ଉପରେ ଛେଚି ହୋଇଯିବାରୁ ତାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେବାରୁ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ପାଟପୁର ଥାନା ଏଏସଆଇ ସୁଧିର କୁମାର ନାୟକ ସମୁଦାୟ ଘଟଣାର ତଦନ୍ତ କରି ରିପୋର୍ଟ ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ।ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଥିଲେ।ପରେ ଉପରସ୍ଥ ଅଧିକାରୀ ଙ୍କ ନିର୍ଦ୍ଦେଶ ପ୍ରକାରେ ଏହି ଅପମୃତ୍ୟୁ ମାମଲା ବଦଳି ଯାଇ ଅପରାଧିକ ମାମଲା ରେ ରୂପାନ୍ତରିତ ହୋଇ ଅଭିଯୁକ୍ତ ଟ୍ରାକ୍ଟର ମାଲିକ ଏବଂ ଚାଳକ ଙ୍କୁ ଅଭିଯୁକ୍ତ କରାଯାଇଥିଲା।ତଦନ୍ତକାରୀ ଅଧିକାରୀ ତଥା ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ସମୁଦାୟ ଘଟଣାର ତଦନ୍ତ କରି ଅଭିଯୁକ୍ତ ଦ୍ବୟ ଙ୍କୁ ଗିରଫ କରିଥିଲେ ।


