ଗଞ୍ଜାମ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ସୌରଶକ୍ତି ମାଧ୍ୟମରେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ପରିଚାଳିତ କରିବା ପାଇଁ ଅଣ୍ଟାଭିଡା
ଛତ୍ରପୁର, (ଦେବଦତ୍ତ ମହାରଣା): ଦିନକୁ ଦିନ ବିଦ୍ୟୁତ୍ ଶକ୍ତିର ନିଅଣ୍ଟିଆ ଯୋଗାଣ ବ୍ୟବସ୍ଥା ପାଇଁ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣରେ ସଙ୍କଟ ଦେଖାଦେଇଛି । ଫଳରେ ଗ୍ରାମାଞ୍ଚଳର ଜନସାଧାରଣ ପିଇବା ପାଣି ପାଇଁ ଡହଳ ବିକଳ ହେବାକୁ ପଡୁଛି । ଏଭଳି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଅଣ୍ଟାଭଡିଛି । ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣର ସୁବ୍ୟବସ୍ଥା ପାଇଁ ପ୍ରାକୃତିକ ସୌରଶକ୍ତିକୁ ଚୟନ କରିଛନ୍ତି । ସୌରଶକ୍ତି ମାଧ୍ୟମରେ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ, ପାନୀୟ ଜଳ ଟ୍ରିଟମେଣ୍ଟ ପ୍ଲାଣ୍ଟ, ମୋଟର, ଛୋଟଛୋଟ ପଡାରେ ଡ୍ୟୁଏଲ୍ ସୋଲାର ଟ୍ୟୁବଲ୍ ଓ ତାର ରକ୍ଷଣାବେକ୍ଷଣା କରିବା ପାଇଁ ପଦକ୍ଷେପ ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଶନିବାର ଗ୍ରାମ୍ୟ ଜଳଯୋଗାଣ, ପରିମଳ ବିଭାଗ ଓ ୟୁନିସେଫ୍ର ମିଳିତ ଆନୁକୂଲ୍ୟରେ ଗଞ୍ଜାମ, ଗଜପତି, କନ୍ଧମାଳ ଓ ବୌଦ୍ଧ ଆଦି ୪ ଜିଲ୍ଲାର ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଏକ ଦିନିଆ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଭବନ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କର୍ମଶାଳାରେ ନବୀକରଣୀୟ ଶକ୍ତି ଉତ୍ପାଦନ(ୟୁନିସେଫ୍ର) ବୈଜ୍ଞାନିକ ଏସ୍.ଭି.ଦେଶପାଣ୍ଡେ ଯୋଗଦେଇ ୪ ଜିଲ୍ଲାର ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଡିଭିଜନରେ ୮୬୩ ଏବଂ ଭଞ୍ଜନଗର ଡିଭିଜନରେ ୭୨୮ ଜଳ ଯୋଗାଣ ପ୍ରକଳ୍ପ, ଗଜପତି ଜିଲ୍ଲାର ୬୫୫ ଏବଂ କନ୍ଧମାଳ ଜିଲ୍ଲାର ୩୩୯ ଜଳ ଯୋଗାଣ ପ୍ରକଳ୍ପ ସୌରଶକ୍ତି ମାଧ୍ୟମରେ କିପରି ପରିଚାଳିତ କରାଯାଇ ପାରିବ ତାହା ନେଇ ବୈଜ୍ଞାନିକ ଶ୍ରୀ ଦେଶପାଣ୍ଡେ ଅଧିକାରୀମାନଙ୍କୁ ବିସ୍ତୃତ ଭାବେ ପ୍ରଶିକ୍ଷଣ ଦେଇଥିଲେ । ସୌରଶକ୍ତି ମାଧ୍ୟମରେ ସବୁ ପ୍ରକଳ୍ପ ପରିଚାଳିତ କରିବା ଦ୍ୱାରା ବିଦ୍ୟୁତ୍ର ନିଅଣ୍ଟିଆ ଯୋଗାଣ ବ୍ୟବସ୍ଥା ଗ୍ରାମାଞ୍ଚଳ ଗୁଡିକରେ ଆଉ ବିଶେଷ ପ୍ରଭାବ ପକାଇ ପାରିବ ନାହିଁ । ଜନସାଧାରଣମାନଙ୍କୁ ସଠିକ୍ ସମୟରେ ଆବଶ୍ୟକ ଅନୁସାରେ ଜଳ ପାଇପାରିବେ ବୋଲି ସେ କହିଥିଲେ । କର୍ମଶାଳାର ପ୍ରାରମ୍ଭରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ବ୍ରହ୍ମପୁର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ସୁରେଶ କୁମାର ମହନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରେ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ଇଂ ଅମୂଲ୍ୟ କୁମାର ମଲ୍ଲିକ ଓ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ ବି.ପରମେଶ୍ୱରନ୍ଙ୍କ ଭିଡିଓ ବାର୍ତ୍ତାରେ ଅଧିକାରୀମାନଙ୍କୁ ସୂଚନା ଦିଆଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଇଂ ପ୍ରତାପ ଚନ୍ଦ୍ର ମହାପାତ୍ର, ଭଞ୍ଜନଗର ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଇଂ ସରୋଜ କୁମାର କର, କନ୍ଧମାଳ ଅଧୀକ୍ଷଣ ଯନ୍ତ୍ରୀ ଇଂ ସନ୍ତୋଷ କୁମାର କର, ବୌଦ୍ଧର ଅଧୀକ୍ଷଣ ଯନ୍ତ୍ରୀ ଇଂ ପ୍ରକାଶ ଚନ୍ଦ୍ର ଦାସ, ଗଜପତି ଅଧୀକ୍ଷଣ ଯନ୍ତ୍ରୀ ଇଂ ଭଞ୍ଜକିଶୋର ମନୋହରୀ ପ୍ରମୁଖ ଯୋଗଦେଇ ସୌରଶକ୍ତିର ଭବିଷ୍ୟତ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୪ ଜିଲ୍ଲାର ନିର୍ବାହୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ସମସ୍ତ କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଯୋଗଦେଇ ସମସ୍ତ କାର୍ଯ୍ୟକ୍ରମକୁ କିପରି ଗ୍ରାମାଞ୍ଚଳରେ ଉପଯୋଗ କରିହେବ ତାହାରି ସମୀକ୍ଷା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ପରିମଳ ବିଭାଗର ମହେଶ୍ୱର ତରାଇ ଓ ଏସ୍.ଭୀମା ରାଓ ପରିଚାଳନା କରିଥିଲେ ।