ଗଞ୍ଜାମ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ଆନୁକୁଲ୍ୟରେ ଛତ୍ରପୁର ଷ୍ଟାଡିୟମ ସ୍ଥିତ ଇନଡୋର ହଲରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଏହା ଅଷ୍ଟମ କ୍ୟୁରୋଗୀ ଓ ସପ୍ତମ ପୁମସେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅଟେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୧୪ ଟି ଏକାଡେମୀର ୩୦୪ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ସଭାପତି ଶ୍ରୀକାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ଓଡିଶା ଟାଏକୋଣ୍ଡୋ ସଂଘର ସମ୍ପାଦକ ମନମୋହନ ଭଞ୍ଜ ସମ୍ମାନିତ ଅତିଥି ଓ ଓଡିଶା ଟାଏକୋଣ୍ଡୋ ପରିଦର୍ଶକ ବ୍ୟୋମକେଶ ଅଭିଳାଶ ପ୍ରସାଦ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସମ୍ପାଦକ କେ. ମନୋଜ ପ୍ରଧାନ ବିବରଣୀ ପ୍ରଦାନ କରିଥିଲେ । ଟାଏକୋଣ୍ଡୋ ଭଳି ଆନ୍ତର୍ଜାତୀୟ ଅଲିମ୍ପିକ କ୍ରୀଡାରେ ଗଞ୍ଜାମ ଜିଲ୍ଲାର ସଫଳତା ସମ୍ବଦ୍ଧିତ ଏକ ତିନ ମିନିଟର ବୃତ୍ତ ଚିତ୍ର ପ୍ରଦର୍ଶିତ କରାଯାଇଥିଲା । ଓଡିଶା ଟାଏକୋଣ୍ଡୋ ପକ୍ଷରୁ ୧୫ ଜଣିଆ ବିଚାରକ ଓ କର୍ମକର୍ତ୍ତାଙ୍କ ଏକ ମଣ୍ଡଳୀ କ୍ରୀଡା ପରିଚାଳନା କରୁଥିବା ବେଳେ ଜିଲ୍ଲାର ୨୦ ଜଣ କର୍ମକର୍ତ୍ତା ସହଯୋଗ ପ୍ରଦାନ କରିଛନ୍ତି । କ୍ୟୁରୋଗୀରେ ୨୦୪ ଜଣ ଓ ପୁମସିରେ ୬୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରୁଛନ୍ତି । ଛତ୍ରପୁର କେଏମପି ସ୍ପୋର୍ଟସ ଏକାଡେମୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଟାଏକୋଣ୍ଡୋ ପ୍ରଶିକ୍ଷକ ଜନୋଜ ମହାରଣା, ଅମ୍ବିକା ପ୍ରସାଦ ଦାସ, ଲଳିତ କୁମାର, ସିଏଚ ପ୍ରସାଦ ନାୟକ, ବାସୁ ନାୟକ, ମହିଳା କମିସନର ଡଃ ଅନିତା ମିଶ୍ର କାର୍ଯ୍ୟକ୍ରମର ପରିଚାଳନା କରୁଥିବା ବେଳେ ଲକ୍ଷ୍ମୀ ନାରାୟଣ, ରୁଦ୍ର ନାରାୟଣ ବେହେରା, ଶୁଭଶ୍ରୀ ପାଢୀ, ଅଭିମନ୍ୟୁ ରେଡ୍ଡୀ, ବିକାଶ ଗୌଡ ପ୍ରମୁଖ ସହଯୋଗ କରିଛନ୍ତି ।


