ଗଣ୍ଡାହାତୀ ଜଳପ୍ରପାତ ଅଞ୍ଚଳରେ ମଦ ବାରଣ ସହ ପୋଲିଥିନ ବ୍ୟବହାର ପାଇଁ କଟକଣା

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା):ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ବାତୀ ଏସ୍. କୁମାର ଏବଂ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ୍. ଆନନ୍ଦଙ୍କ ପରାମର୍ଶ କ୍ରମରେ ରାୟଗଡ ବ୍ଲକ ତଥା ଗାରବନ୍ଧ ଥାନା ଅନ୍ତର୍ଗତ ପର୍ଯ୍ୟଟନସ୍ଥଳୀ ଗଣ୍ଡାହାତୀ ଜଳ ପ୍ରପାତ ଅଞ୍ଚଳରେ ମଦ ନେବା ବାରଣ କରାଯିବା ସହ ପୋଲିଥିନ ବ୍ୟବହାର ପାଇଁ କଟକଣାକୁ ନେଇ ବ୍ୟାପକ ଯାଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଯାଞ୍ଚ କାର୍ଯ୍ୟକ୍ରମରେ ରାୟଗଡ ତହସିଲଦାର ଲୀଳାବତୀ ଆଚାର୍ଯ୍ୟ, ଗାରବନ୍ଧ ଥାନା ଅଧିକାରୀ ଗୋବିନ୍ଦ ଗୌଡ, ମହେନ୍ଦ୍ର ବନାଞ୍ଚଳ ଅଧିକାରୀ କୋବିନ ପରିଚ୍ଛାଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ବ୍ୟାପକ ଯାଞ୍ଚ କାର୍ଯ୍ୟକ୍ରମ ଚାଲୁ ରହିଥିବାର ଦେଖିବାକୁ ମିଳିଛି । ସମଗ୍ର ରାଜ୍ୟ ତଥା ପଡୋଶୀ ରାଜ୍ୟରେ ପ୍ରସିଦ୍ଧି ଲାଭ କରିଥିବା ଗଜପତି ଜିଲ୍ଲାର ଏହି ପର୍ଯ୍ୟଟନ ସ୍ଥଳୀକୁ ସୌନ୍ଦର୍ଯ୍ୟଭରା ପ୍ରାକୃତିକ ଦୃଶ୍ୟ ତଥା ଜଳ ପ୍ରପାତକୁ ଦୈନନ୍ଦିନ ବହୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଅଛି । ବିଶେଷ କରି ଛୁଟି ଦିବସ ତଥା ରବିବାର ଦିନ ଏଠାରେ ପ୍ରବଳ ମାତ୍ରାରେ ଭିଡ ଜମୁଛି । ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ମାନେ ବଣଭୋଜି ଭାତର ଆସର ଜମାଇଥାନ୍ତି । ଏହା ସହ ଜଳ ପ୍ରପାତରେ ଗାଧୋଇ ଉପଭଗ କରିଥାନ୍ତି । ହେଲେ ବିଶେଷ କରି କିଛି ପଥଭ୍ରଷ୍ଟ ଯୁବଗୋଷ୍ଠୀ ମଦ୍ୟପାନ କରି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏହି ଜଳପ୍ରପାତରେ ହାଙ୍ଗାମା କରିଥିବାର ବହୁ ନଜିର ରହିଛି । ସେହିପରି ଖାଦ୍ୟପେୟ ନେବା ଆଣିବା ନିମନ୍ତେ ବ୍ୟାପକ ପରିମାଣର ପୋଲିଥିନ ଆଣି ଏହି ଜଳପ୍ରପାତ ଅଞ୍ଚଳରେ ଏଣେତେଣେ ଫପାଡି ଦେଉଥିବାର ଲକ୍ଷ୍ୟ କରାଯାଇଛି । ଏହା ଦ୍ବାରା ଏଠାକାର ପରିବେଶ ଦୂଷିତ ହେବା ସହ ପୋଲିଥିନ ଯୋଗୁଁ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବାର ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ମଦ ପିଇବା ଏବଂ ପୋଲିଥିନ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ଏହି କ୍ରମରେ ଆଜି ମିଳିତ ଭାବେ ରାଜସ୍ବ, ପୋଲିସ ଓ ବନ ବିଭାଗର କର୍ମଚାରୀମାନେ ବ୍ୟାପକ ତଲାସୀ ଜାରି ରଖିଥିଲେ । ଯେଉଁମାନେ ମଦ ଧରି ଆସୁଛନ୍ତି ସେମାନଙ୍କୁ ତାଗିଦ କରିବା ସହ ତୁରନ୍ତ ଏହି ଅଞ୍ଚଳରୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ପୋଲିଥିନ ବ୍ୟବହାରକାରୀଙ୍କୁ ମଧ୍ୟ ବାରଣ କରାଯାଇଥିବାର ଦେଖିବାକୁ ମିଳିଥିଲା । ଫଳରେ ମଦ ଧରି ଆସିଥିବା ତଥା ମଦ୍ୟପମାନେ ତୁରନ୍ତ ସେହି ଅଞ୍ଚଳରୁ ଚାଲିଯାଇଥିଲେ । ଏନେଇ ଗାରବନ୍ଧ ଥାନା ଅଧିକାରୀ ଗୋବିନ୍ଦ ଗୌଡ କହିଛନ୍ତି ଯେ, ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ଅଞ୍ଚଳକୁ ସମସ୍ତଙ୍କୁ ସ୍ବାଗତ କରାଯାଉଛି । ଏପରି ପର୍ଯ୍ୟଟନ ସ୍ଥଳକୁ ବୁଲି ଉପଭୋଗ କରନ୍ତୁ । ହେଲେ ଏପରି ଏକ ପ୍ରାକୃତିକ ସବୁଜିମା ପରିବେଶରେ କିଛି ଅସାଧୁ ଲୋକେ ମଦ ପିଇବା ପାଇଁ ଆଣୁଥିବାର ବହୁ ଅଭିଯୋଗ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ କଟକଣା କରାଯାଇଛି । ବର୍ତ୍ତମାନ ତାଗିତ କରା ଯାଇ ଅଞ୍ଚଳ ଛାଡିବା ପାଇଁ କୁହାଯାଉଛି । ହେଲେ ଆଗାମୀ ଦିନରେ ଏପରି ମଦ ଆଣୁଥିବା ବ୍ୟକ୍ତି ବିଶେଷ କିମ୍ବା ମଦୁଆ ମାନଙ୍କୁ ଆଉ ନିସ୍ତାର ନାହିଁ । ଆଇନ ଅନୁଯାୟୀ ଏମାନଙ୍କ ବିରୁଦ୍ଧର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇଛନ୍ତି । ସେହିପରି ମହେନ୍ଦ୍ର ବନାଞ୍ଚଳ ଅଧିକାରୀ କୋବିନ ପରିଚ୍ଛା କହିଛନ୍ତି ଯେ, ଏପରି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଅଞ୍ଚଳରେ ଦୈନନ୍ଦିନ ପର୍ଯ୍ୟଟକମାନେ ଆସୁଥିବା ବେଳେ ଏମାନଙ୍କ ମଧ୍ୟରେ କିଛି ଅସାଧୁ ବ୍ୟକ୍ତି ବିଶେଷ ମଦ ପିଇବା ପାଇଁ ମଦ ଆଣୁଛନ୍ତି ଏବଂ ବ୍ୟାପକ ପରିମାଣର ପଲିଥିନ ବ୍ୟବହାର କରି ଏଣେତେଣେ ଫୋପାଡୁଛନ୍ତି । ଫଳରେ ଏହି ଅଞ୍ଚଳର ପରିବେଶ ନଷ୍ଟ ହେଉଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏବଂ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏଠାରେ ଏସବୁକୁ ବାରଣ କରାଯାଇଛି । ଏପରି ଅଭିଯାନ ଦୈନନ୍ଦିନ ଚାଲୁ ରହିବ । ଏହା ସହ ସେ ନିବେଦନ କରିଛନ୍ତି ଯେ, ଝରଣା ପାଣିରେ ଗାଧୋଇବା ବେଳେ ଛୋଟ ଛୋଟ ପୋଷାକ ପରିଧାନ ନ କରନ୍ତୁ, ସାବୁନ, ସାମ୍ପୁ ଆଦି ବ୍ୟବହାର ନ କରିବା ପାଇଁ ସେ ନିବେଦନ କରିଛନ୍ତି । ସାବୁନ ସାମ୍ପୁ ଆଦି ବ୍ୟବହାର ଦ୍ବାରା ପାଣି ଦୂଷିତ ହୋଇ ଜଳରାଶିରେ ଥିବା ଜଳପ୍ରାଣୀ ମାନଙ୍କ ହାନୀ ଘଟୁଛି । ଯଦି ଏଥିରେ କେହି ଖିଲାପ କଲେ ନିଶ୍ଚିତ ଦଣ୍ଡିତ କରାଯିବ ବୋଲି ସୂଚନା ଦେଇଛନ୍ତି । ତେବେ ଏପରି ଯାଞ୍ଚ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଛନ୍ତି ସମାଜସେବୀ ଓ ବୁଦ୍ଧିଜୀବୀମାନେ । ଏନେଇ ଯୁବ ସମାଜ ସେବୀ ନିହାର ପଣ୍ଡା କହିଛନ୍ତି ଯେ, ପ୍ରଶାସନର ଏପରି ଧରପଗଡ କାର୍ଯ୍ୟକ୍ରମ ନିଶ୍ଚିତ ସ୍ବାଗତ ଯୋଗ୍ୟ । ଏହି ଅଞ୍ଚଳରେ କିଛି ଅସାମାଜିକ ପର୍ଯ୍ୟଟକ ପରିବେଶକୁ ନଷ୍ଟ କରୁଛନ୍ତି । ଦୈନନ୍ଦିନ ଯାଞ୍ଚ ବ୍ୟବସ୍ଥା କରାଗଲେ ନିଶ୍ଚିତ ପ୍ରକୃତି ଭରା ଏହି ଗଣ୍ଡାହାତୀ ଜଳ ପ୍ରପାତର ସୌନ୍ଦର୍ଯ୍ୟମୟ ପରିବେଶକୁ ବଜାୟ ରଖିପାରିବା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ