ଗରିବକୁ ଉପହାସ :କାହାଘରେ ଟିଭି ନାହିଁ ତ ବିଜୁଳି ନାହିଁ; ଦୂରଦର୍ଶନ ଯୋଗେ ପିଲାଏ କେମିତି ପଢ଼ିବେ ପାଠ?

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସାରା ବିଶ୍ୱ ଏବେ ମହାମାରୀ କୋରୋନା କବଳରେ। କୋରୋନା ଯେ କେବଳ ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି ତା ନୁହଁ ଶିକ୍ଷା ବ୍ୟବସ୍ଥା ଉପରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡିଛି। ଏଥୁରୁ ବାଦ ପଡି ନାହିଁ ଆମ ଦେଶ କି ଆମ ରାଜ୍ୟ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଉଚ୍ଚଶିକ୍ଷା ପାଇଁ ଶିକ୍ଷାବର୍ଷ ଆରମ୍ଭ ସେପ୍ଟେମ୍ବର ମାସରୁ ଆରମ୍ଭ କରିବାକୁ ଦିଆଯାଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ମୋହର ମାରିଛନ୍ତି । ଅପରପକ୍ଷରେ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବାପାଇଁ ସ୍କୁଲ କଲେଜର ପରୀକ୍ଷା ସ୍ଥଗିତ ରହିଥିବା ବେଳେ, ସୁରକ୍ଷା ଦୃଷ୍ଟିରୁ ନିର୍ଧାରିତ ସମୟ ପୂର୍ବରୁ ଜୁନ ୧୭ ଯାଏ ଛୋଟି ଘୋଷଣା କରାଯାଇଛି। ହେଲେ ବହୁ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରୁଥିବାରୁ ଦିନକୁ ଦିନ ଓଡ଼ିଶାରେ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସ୍ଥିତିରେ ୨୦୨୦-୨୧ ଶିକ୍ଷାବର୍ଷରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ପାଠପଢ଼ାକୁ ନେଇ ଆଶା ଓ ଆଶଙ୍କାରେ ସମୟ କାଟୁଛନ୍ତି ।ଦିନକୁ ଦିନ କରେନା ଭୂତାଣୁ ନିଜର କାୟା ବିସ୍ତାର କରି ଚାଲିଥିବାବେଳେ ସ୍କୁଲ କେବେ ଖୋଲିବ ସେଥିନେଇ ସେମାନେ ଚିନ୍ତିତ ରହିଛନ୍ତି। ଅପରପକ୍ଷରେ କରୋନା ଯୋଗୁ ଟିଉସନ୍‌ ମଧ୍ୟ ଯାଇ ପାରୁନାହାନ୍ତି। କିଭଳି ପାଠପଢ଼ିବେ ଓ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବେ ତାହାକୁ ନେଇ ସେମାନେ ଆଶା ଓ ଆଶଙ୍କା ପ୍ରକାଶ କରୁଛନ୍ତି। ସ୍କୁଲଗୁଡ଼ିକ ଶିକ୍ଷାବର୍ଷ ଜୁନ୍‌ ୧୭ରୁ ଆରମ୍ଭ ହେବ ନା ଉଚ୍ଚଶିକ୍ଷା ବିଭାଗ ସହିତ ମିଶି ସେପ୍ଟେମ୍ବର ମାସରୁ ଶିକ୍ଷାବର୍ଷ ଆରମ୍ଭ ହେବ ଏହା ସେମାନେ ଜାଣି ପାରୁନାହାନ୍ତି। ଏଭଳି ପରିସ୍ଥିତିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍କୁଲ ଖୋଲବା ନେଇ କି ପଦକ୍ଷେପ ନେବେ ତାହାକୁ ନେଇ ସେମାନେ ଚାତକ ପରି ଚାହିଁ ରହିଛନ୍ତି।ତେବେ ଏଠାରେ ସୂଚନା ଥାଉକି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଠନ ପାଇଁ ଦଶମ ଶ୍ରେଣୀ ପାଠପଢ଼ା, ଓ ପରୀକ୍ଷା ଫଳାଫଳ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ଏଥିପାଇଁ ଛାତ୍ରଛାତ୍ରୀ, ଶିକ୍ଷକ,ଅବିଭାବକ, ଶିକ୍ଷାବିଭାଗ ସମସ୍ତେ ଯତ୍ନବାନ ତତ୍ପର ଥାନ୍ତି। ତେବେ ଚଳିତ ଶିକ୍ଷାବର୍ଷ ଆରମ୍ଭରୁ କରୋନାର ଅଶୁଭ ଦୃଷ୍ଟି ଶିକ୍ଷା ବ୍ୟବସ୍ଥା ଉପରେ ପଡ଼ିଛି। ଗୋଟାଏ ପଟେ କରୋନା ମୁକାବିଲା ବେଳେ ଦଶମ ଶ୍ରେଣୀର ପାଠ୍ୟ ପୁସ୍ତକ ପରିଵର୍ତ୍ତନ ଛାତ୍ରଛାତ୍ରୀ, ଶିକ୍ଷକ, ଅବିଭାବକ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। ବର୍ତ୍ତମାନ ସୁଦ୍ଧା ନୂତନ ପାଠ୍ୟପୁସ୍ତକ ଉପଲବ୍ଧ ହୋଇ ନଥିବା ବେଳେ, ତାହା କେବେ ଛାତ୍ରଛାତ୍ରୀଙ୍କ ନିକଟରେ ଉପଲବ୍ଧ ହେବ ତାହା ମଧ୍ୟ ସଠିକ ଭାବେ କହି ହେବ ନାହିଁ। ତେବେ ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଦୂରଦର୍ଶନ ମାଧ୍ୟମରେ ସୋମବାର ଠାରୁ ଶୁକ୍ରବାର ଦିବା ୧୧ରୁ ୧୨ ଟା ଏବଂ ଅପରାହ୍ଣ ୩.୩୦ ରୁ ୪.୩୦ ପର୍ଯ୍ୟନ୍ତ ଭିନ୍ନ ବିଷୟ ଉପରେ ପାଠପଢ଼ା ସାଙ୍ଗକୁ ଏଣ୍ଡ୍ରଏଡ଼ ମୋବାଇଲରେ ସେଡୁ ସଫ୍ଟୱେର ମାଧ୍ୟମରେ ମଧ୍ୟ ପିଲାମାନେ ଘରେ ପାଠ ପଢି ପାରିବେ ବୋଲି ବ୍ୟବସ୍ଥା କରାଯାଇଛି । ତେବେ ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀ ମାନେ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି । ଘନଘନ ବିଜୁଳି କାଟ ସାଙ୍ଗକୁ, ସମସ୍ତ ଛାତ୍ର ଛାତ୍ରୀଙ୍କ ନିକଟରେ ଏଣ୍ଡ୍ରୋଏଡ ମୋବାଇଲ ନାହିଁ କିମ୍ବା ଲକଡାଉନ କଟକଣା ପାଇଁ ନୂଆ ମୋବାଇଲ ଆଣିବାବି ସମ୍ଭବ ହେଉ ନାହିଁ। ପୁରୁଣା ପାଠ୍ୟ ପୁସ୍ତକ ହୋଇଥିଲେ ବ୍ୟବସ୍ଥା କରି ଛୁଟି ଭିତରେ ଘରେ ପାଠ ପଢିପାରିଥାନ୍ତେ ବୋଲି ଛାତ୍ରଛାତ୍ରୀ କହିଥିବା​‌ବେଳେ ସେମାନଙ୍କର ଅଭିଭାବକ ମାନେ କହିଛନ୍ତି କରୋନା ଲକ୍‌ଡାଉନ୍‌ ସମୟରେ ଦୋକାନ ବଜାର ବନ୍ଦ ରହୁଥିବା ନୂଆ ପାଠ୍ୟ ପୁସ୍ତକ, ଗାଇଡ଼, ଟେଷ୍ଟପେପର ଆଦି ମିଳୁନାହିଁ। ତେବେ ରାଜ୍ୟ ସରକାର ଓ ଶିକ୍ଷା ବିଭାଗ କେବେ କି ପ୍ରକାର ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ