ଗାଁ ଲୋକେ କରିପାରିବେନି ବ୍ୟାରିକେଡ

ଭୁବନେଶ୍ୱର: ଗାଁ ଲୋକେ ବ୍ୟାରିକେଡ କରିପାରିବେନି । ଗ୍ରାମବାସୀଙ୍କ ଦ୍ୱାରା କରାଯାଉଥିବା ବ୍ୟାରିକେଡ ବେଆଇନ । କେବଳ ପ୍ରଶାସନ ବ୍ୟତୀତ ଆଉ କାହାକୁ ଏ ନେଇ ଅନୁମତି ଦିଆଯାଇପାରିବ ନାହିଁ ।
ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସବୁ ଜିଲ୍ଲାପାଳଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ସଚିବ କହିଛନ୍ତି ଯେ ନିର୍ମାଣ ହୋଇଥିବା ବେଆଇନ ବ୍ୟାରିକେଡକୁ ତୁରନ୍ତ ହଟାଅ ଗାଁ ଓ ପଞ୍ଚାୟତରେ ଲୋକମାନେ ବିଭିନ୍ନ ସ୍ଥାନରେ ବେଆଇନ ବ୍ୟାରିକେଡ କରିବା ଫଳରେ ମାଲ ପରିବହନ ଏବଂ ଶ୍ରମିକଙ୍କ ଯିବା ଆସିବାରେ ବାଧା ସୃଷ୍ଟି କରୁଛି । ଲୋକସେବା ଭବନରେ ଏକ ଭିଡିଓ କନଫରେନ୍ସିଂରେ ମୁଖ୍ୟ ସଚିବ କହିଥିଲେ ଯେ କରୋନା ବିରୋଧରେ ଲଢେ଼ଇ ଏ ଲମ୍ବା ସଂଗ୍ରାମ । ଏହାର ସ୍ଥିତି ବଦଳାଇବା ସହିତ ଆମର ରଣନୀତି ବଦଳାଇବାକୁ ହେବ । ଆର୍ଥିକ କାର୍ଯ୍ୟକଳାପ ଓ ଲୋକଙ୍କ ହାତକୁ ଅର୍ଥ ଆସିବା ଗୁରୁତ୍ୱପୂର୍ଣ୍ଣ । ବିଶେଷ କରି ଗ୍ରାମାଞ୍ଚଳ, ଶିଳ୍ପାଞ୍ଚଳରେ ଆର୍ଥିକ କାର୍ଯ୍ୟକଳାପକୁ ବଢ଼ାଇବାକୁ ହେବ ।
ସମ୍ପ୍ରତି କୃଷି କାର୍ଯ୍ୟ, ସାର ବିହନ ଆଦିର ପରିବହନ, କୃଷି ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ଆଦିକୁ କଟକଣା ମୁକ୍ତ କରାଯାଇଛି । ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ଗ୍ରାମୀଣ ପାଇପ ଜଳ ଯୋଗାଣ ଆଦି ବିଭାଗରେ କାର୍ଯ୍ୟ ମଧ୍ୟ ଚାଲିବ । ସେଥିପାଇଁ ଶ୍ରମିକଙ୍କ ଯାତାୟତ ମାଲପରିବହନକୁ ସ୍ୱାଭାବିକ କରିବାକୁ ହେବ । କେନ୍ଦୁପତ୍ର ତୋଳା, ଚାରାରୋପଣ, ଜଙ୍ଗଲ ସୃଷ୍ଟି, ନର୍ସରି କାର୍ଯ୍ୟ କଟକଣା ମୁକ୍ତ ହୋଇଛି । ଗ୍ରାମାଞ୍ଚଳରେ ଥିବା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନ ସହ ବିଭିନ୍ନ ଶିଳ୍ପାଞ୍ଚଳରେ ପୂର୍ଣ୍ଣ ଉତ୍ପାଦନ ବା ଉତ୍ପାଦନ ପ୍ରକ୍ରିୟାକୁ କଟକଣା ମୁକ୍ତ କରାଯାଇଛି । ଏହି ବୈଠକରେ ଉନ୍ନୟନ କମିସନର ସୁରେଶ ମହାପାତ୍ର, ଅତିରିକ୍ତ ମୁଖ୍ୟ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା, କୃଷି ସଚିବ ସୌରଭ ଗର୍ଗ, ପଞ୍ଚାୟତିରାଜ ସଚିବ ଦେଓରଞ୍ଜନ ସିଂ, ଅର୍ଥ ସଚିବ ଅଶୋକ ମୀନା, ପୂର୍ତ୍ତ ସଚିବ କ୍ରିଷନ କୁମାର ଓ ଶିଳ୍ପ ସଚିବ ହେମନ୍ତ ସଚିବ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ