ଗାଇ ଗୋରୁଙ୍କ ପାଇଁ ସ୍ଥାୟୀ ଗୁହାଳ : ବୀମା ପ୍ରଦାନ ଦାବି
ଛତ୍ରପୁର, (ଦେବଦତ୍ତ ମହାରଣା) :ଛେଳି, ମେଣ୍ଢା ଓ ଗାଇ ଗୋରୁଙ୍କ ପାଇଁ ସ୍ଥାୟୀ ଗୁହାଳ ପ୍ରଦାନ କରିବା ଦାବି ନେଇ ସମାଜସେବୀ ଭୀମସେନ ବେହେରା ଙ୍କ ନେତୃତ୍ୱରେ ରମ୍ଭା ଏନଏସି ଅନ୍ତର୍ଗତ ମିଂଚିଣିପାଟଣା ଗ୍ରାମର ବହୁ ଗୋଲା ଯାଦବ ପରିବାର ସୋମବାର ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ଙ୍କୁ ପ୍ରଦାନ କରିଛନ୍ତି । ସେମାନଙ୍କ ଅଂଚଳର ବହୁ ବେକାରି ଯୁବକ ଯୁବତୀ ମାନେ ଆତ୍ମ ନିର୍ଭରଶୀଳ ହେବା ପାଇଁ ଛେଳି, ମେଣ୍ଢା ଓ ଗାଇ ଗୋରୁ ପାଳନ କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । କିନ୍ତୁ ସେହି ଗାଇ ଗୋରୁ, ଛେଳି, ମେଣ୍ଢା ମାନଙ୍କ ପାଇଁ ବାସଗୃହଟିଏ ନାହିଁ । ଫଳରେ ଏହି ନିରୀହ ଜୀବଜନ୍ତୁ ମାନେ ବହୁ ବିଭିନ୍ନ ରୋଗାଗ୍ରସ୍ତ ହୋଇ ଜୀବନ ହାରୁଛନ୍ତି । ସରକାର ଏଥିପାଇଁ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଏହି ମିଂଚିଣିପାଟଣା ଗ୍ରାମ ବାସୀ ମାନେ ଏହି ଯୋଜନାରୁ ବଂଚିତ ହେଉଥିବା ସେମାନେ ଏହି ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି । ଏହା ସହିତ ବିଭିନ୍ନ ସମୟରେ ଏହି ନିରୀହ ଜନ୍ତୁ ମାନେ ବହୁ ଆକ୍ରମଣର ଶିକାର ମଧ୍ୟ ହେଉଛନ୍ତି । ଏଣୁ ସେମାନଙ୍କ ପାଇଁ ଏକ ବାସ ଗୃହ ଯୋଗାଇଦେବା ସହିତ ସେମାନଙ୍କ ନିମନ୍ତେ ବୀମା ସହାୟତା ଯୋଗାଇ ଦେବା ପାଇଁ ସେମାନେ ଏହି ଦାବି ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ମିଂଚିଣିପାଟଣା ଗ୍ରାମ୍ୟ କମିଟି ସଭାପତି ଆର୍. ସୋମନାଥ ରେଡ୍ଡି, ଉପଦେଷ୍ଠା ଜେ. ଭାସ୍କର ରାଓ, ଏ. ରଘୁନାଥ ପାତ୍ର, ଜେ. ଲୋକନାଥ ପାତ୍ର, ଏସ୍. ଋାମେୟା ପାତ୍ରଙ୍କ ସମେତ ବହୁ ଛେଳି ଚାଷି ମାନେ ଉପସ୍ଥିତ ଥିଲେ ।


