ଗୁଜରାଟରେ ୫ କଂଗ୍ରେସ ବିଧାୟକଙ୍କ ଇସ୍ତଫା
ଅହମ୍ମଦାବାଦ: ଆଗକୁ ରାଜ୍ୟସଭା ନିର୍ବାଚନ ଥିବା ବେଳେ ଗୁଜୁରାଟ ବିଧାନସଭାରୁ ୫ ଜଣ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଦଳର ସଂକଟ ବଢ଼ାଇ ଦେଇଛନ୍ତି । କଂଗ୍ରେସର ୫ ବିଧାୟକ ବିଧାନସଭା ବାଚସ୍ପତି ରାଜେନ୍ଦ୍ର ତି୍ରବେଦୀଙ୍କୁ ସେମାନଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ, ମାର୍ଚ୍ଚ ୨୬ ତାରିଖରେ ଗୁଜରାଟର ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ତେବେ ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପରିସ୍ଥିତିକୁ ଜଟିଳ କରିଦେଇଛି । କଂଗ୍ରେସ ୨ଟି ଆସନରେ ବିଜୟୀ ହେବା ପାଇଁ ୭୪ ଭୋଟ ଆବଶ୍ୟକ କରୁଥିବା ବେଳେ ବର୍ତ୍ତମାନ ୫ ବିଧାୟକ ଇସ୍ତଫା ଦେବା ପରେ କଂଗ୍ରେସ ପାଇଁ ସମସ୍ୟା ସୃଷ୍ଟି ହୋଇଛି । ଅପରପକ୍ଷେ ବିଜେପି ଦୁଇଟି ଆସନରେ ନିଶ୍ଚିତ ଥିବା ବେଳେ ତୃତୀୟ ଆସନ ଦାଖଲ ପାଇଁ ରଣନୀତି ଜାରି ରଖିଛି । ଗୁଜରାଟର ମୋଟ ୧୮୨ ଆସନ ମଧ୍ୟରୁ ବିଜେପି ନିକଟରେ ୧୦୩ ବିଧାୟକ ଥିଲା ବେଳେ କଂଗ୍ରେସ ନିକଟରେ ୭୩ ଜଣ ବିଧାୟକ ଅଛନ୍ତି । କଂଗ୍ରେସ ନିଜର ସମସ୍ତ ବିଧାୟକଙ୍କୁ ଜୟପୁରର ଏକ ହୋଟେଲରେ ରଖିବା ସତ୍ତ୍ୱେ ୫ ବିଧାୟକ ନିଖୋଜ ହୋଇ ଯାଇଥିଲେ ।


