ଗୁଜୁରାଟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପୁଣି ଗୁଜୁରାଟରେ ଆଉ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ. ଗଜପତିର ନିଜ ଗାଁ ଭିଟାମାଟିକୁ ତାଙ୍କ ଶବ ଫେରୁଥିବା ସୂଚନା ମିଳିଛି. ଘାଟଣାରୁ ପ୍ରକାଶ, ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକ ଅଧୀନରେ ଥିବା ତାବରଡ଼ା ଗ୍ରାମର ମିହିରଲାଲ ଛିଞ୍ଚାଣି ଙ୍କ ବଡ଼ ପୁଅ ଅବିନାଶ ଛିଞ୍ଚାଣି ପରିବାର ଆର୍ଥିକ ଅବସ୍ଥାକୁ ଦେଖି ଗୁଜୁରାଟ ଯାଇଥିଲେ ଦାଦନ ଖଟିବା ନିମନ୍ତେ। ଗରୀବ ବାପା ମାଆ ପୁଅଙ୍କୁ ଆଶା ଭରଷା କରିଥିଲେ ପୁଅ କାମ କରି କିଛି ରୋଜଗାର କରିବା ସହ ଟଙ୍କା ସଂଚୟ କରି ଘରକୁ ଟଙ୍କା ପଠେଇବେ। ବାପା ଓ ମାଆ ଙ୍କ ସେହି ଅଧୁରା ସପ୍ନ, ସପ୍ନ ହୋଇ ରହିଗଲା। ବର୍ତ୍ତମାନ ଗାଁ କୁ ଶବ ଫେରୁଥିବା ବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି। ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କ ମୃତ୍ୟୁ ଖବର ଶୁଣିଲା ପରେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। କିଛିଦିନ ତଳେ ଅବିନାଶ ଛିଞ୍ଚାଣି ଙ୍କୁ ଜ୍ଵର ହେବାରୁ ସେଠାକାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରିବାର ଲୋକଙ୍କ କହିବା ଅନୁଯାୟୀ ଅବିନାଶ ଛିଞ୍ଚାଣି ଡେଙ୍ଗୁ ରୋଗ ରେ ପୀଡିତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତ ବୁଧବାର ଦିନ ଅବିନାଶ ଛିଞ୍ଚାଣିଙ୍କ ମୃତ୍ୟୁ ହୋଇଛି। ନିଜ ଜନ୍ମ ମାଟିକୁ ଶବ ଆଣିବା ପାଇଁ ସେଠାରେ କୌଣସି ସହାୟତା ମିଳି ନଥିବାରୁ ଆମ୍ବୁଲାନ୍ସ ଭଡ଼ା ବାବଦ କୁ ବାପା ଧାର କରଜ କରି ପୁଅଙ୍କ ଶବ ଗୁଜରାଟ ରୁ ଆଣିବା ପାଇଁ ଚେଷ୍ଟା କରିଛନ୍ତି। ତେବେ ପରିବାରର ରୋଜଗାରକ୍ଷମ ପୁଅ ଚାଲିଯାଇଥିବାରୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ, ବୁଦ୍ଧିଜୀବୀ, ସମାଜସେବୀଙ୍କ ପକ୍ଷରୁ ଦାବି ହେଉଛି। ଏଣୁ ସରକାର ଓ ପ୍ରଶାସନଙ୍କୁ ଅନୁରୋଧ ଏହି ଦୁଃଖଦ ସମୟରେ ଦୁଃଖୀ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଉ।