ଗୋଟିଏ ପଞ୍ଚାୟତ: କାର୍ଯ୍ୟ କରୁଛନ୍ତି ୨ ଜଣ ପିଇଓ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଖ୍ୟା କମ୍ ଥିବାରୁ ଜଣେ ଲେଖାଏ ପିଇଓଙ୍କୁ ଦୁଇ ଦୁଇଟି ପଞ୍ଚାୟତର ଦାୟୀତ୍ୱ ଦିଆଯାଇଥିବାର ଦେଖାଯୋଇଛି । ମାତ୍ର ବସନ୍ତିଆ ପଞ୍ଚାୟତରେ ଗତ ୭ମାସ ଧରି ଦୁଇ ଜଣ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ(ପିଇଓ) କାର୍ଯ୍ୟ କରୁଥିବା ଜଣାଯାଇଛି । ପ୍ରକାଶ ଯେ, ବନ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଚିଠି ନଂ-୩୫୨୪/ତା-୭-୧୨-୨୦୧୯ ମୂଳେ ୫ ଜଣ ପିଇଓଙ୍କର ଅନ୍ୟ ପଞ୍ଚାୟତକୁ ବଦଳି ନେଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ଭଦ୍ରକଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ, ଭଦ୍ରକ ଚିଠି ନଂ-୭୧୦/ତା-୩୧-୧୨-୨୦୧୯ ମୂଳେ ଏହି ପ୍ରସ୍ତାବ ମଞ୍ଜୁର ହୋଇ ବନ୍ତ ବିଡିଓଙ୍କ ପାଖକୁ ଆସିଥିଲା । ଏହି ବଦଳି ଆଦେଶ ମୂଳେ ବନ୍ତ ପଞ୍ଚାୟତରେ କାର୍ଯ୍ୟରତ ପିଇଓ ବିଭୁଦତ୍ତ ପାତ୍ରଙ୍କୁ ବସନ୍ତିଆ ପଞ୍ଚାୟତକୁ ବଦଳି କରାଯାଇଥିଲା । ସେହି ଅନୁଯାୟୀ ପିଇଓ ବିଭୁଦତ୍ତ ପାତ୍ର ଗତ ଜାନୁଆରୀ ମାସରେ ବସନ୍ତିଆ ପଞ୍ଚାୟତରେ ଯୋଗଦାନ କରିଥିଲେ । ଏଥିସହ ଉକ୍ତ ପଞ୍ଚାୟତର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟ ଆରମ୍ଭ କରିଥିଲେ । ଅପରପକ୍ଷେ ବସନ୍ତିଆ ପଞ୍ଚାୟତର କାର୍ଯ୍ୟରତ ପିଇଓ ସମୀକ୍ଷା ତ୍ରିପାଠୀଙ୍କୁ ଓଡଙ୍ଗ ପଞ୍ଚାୟତକୁ ବଦଳି କରାଯାଇଥିଲା । ମାତ୍ର ଏହା ମଧ୍ୟରେ ୭ ମାସ ବିତି ଯାଇଥିବା ବେଳେ ପୂର୍ବ ପିଇଓ ସମୀକ୍ଷା ତ୍ରିପାଠୀ ନୂତନ ଦାୟୀତ୍ୱ ଭାର ନେଇଥିବା ପିଇଓ ବିଭୁଦତ୍ତ ପାତ୍ରଙ୍କୁ ସଂପୂର୍ଣ୍ଣ କାର୍ଯ୍ୟଭାର ହସ୍ତାନ୍ତର କରିନଥିବା ଜଣାଯାଇଛି । ଫଳରେ ଉକ୍ତ ପଞ୍ଚାୟତରେ ଦୁଇ ଦୁଇ ଜଣ ପିଇଓ ବର୍ତ୍ତମାନ ସୁଦ୍ଧା ବିଭିନ୍ନ କାର୍ଯ୍ୟ କରୁଥିବା ଦେଖାଯାଇଛି । ଫଳରେ ଉକ୍ତ ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତିରେ ସମସ୍ୟା ସୃଷ୍ଟି ହେଉଛି । ଏସମ୍ପର୍କରେ ବିଡିଓ ରେବେକା ବିଲୁଙ୍ଗଙ୍କୁ ପଚାରିବାରୁ ପୂର୍ବତନ ପିଇଓ ସମୀକ୍ଷା ତ୍ରିପାଠୀ କାର୍ଯ୍ୟଭାର ହସ୍ତାନ୍ତର ପାଇଁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସମୟ ନେଇଥିବା କହିଛନ୍ତି ।


