ଗୋଷାଣୀ ପଞ୍ଚାୟତ ସମିତି ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ୨୦୨୨-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପ୍ରଥମ ବୈଠକକୁ ନୂତନ ବ୍ଲକ ଅଧ୍ୟକ୍ଷ ଏନ୍.ବୀରରାଜୁଙ୍କ ସଭାପତିତ୍ୱ କରିଥିଲେ । ଏଥିରେ ଗୋଷାଣୀ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳମାଧମ ମାଝୀ, ବ୍ଲକ ଉପାଧ୍ୟକ୍ଷ ଏସ୍.ଅନୁସୂୟା ଦେବୀ, ଜିଲ୍ଲା ପରିଷଦ ସଭ୍ୟ ଏସ୍.ବାଲାରାଜୁ, ଜିଲ୍ଲା ପରିଷଦ ସଭ୍ୟା ନୀଳାବତୀ ପାରିଗା, ବିଧାୟକ ପ୍ରତିନିଧି କେ.ବେଣୁ, ସାଂସଦ ପ୍ରତିନିଧି ଡି.ଭି.ଆର୍. ରାଜୁ, ଅତିରିକ୍ତ ତହସିଲଦାର ବିପିନ ଚନ୍ଦ୍ର ଲିମା ଏବଂ ବ୍ଲକର ସମସ୍ତ ନବ ନିର୍ବାଚିତ ସରପଞ୍ଚ ଏବଂ ସମିତି ସଭ୍ୟସଭ୍ୟା, ବିଭାଗୀୟ ଅଧିକାରୀ, ବ୍ଲକର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ପ୍ରଥମେ ସ୍ଥାୟୀ ବ୍ଲକ ଶିକ୍ଷାଧିକାରୀ ନିଯୁକ୍ତିକୁ ନେଇ ଆଲୋଚନା ହୋଇଥିଲା । ବର୍ତ୍ତମାନ କାଶୀନଗର ବ୍ଲକ ଓ ଗୋଷାଣୀ ବ୍ଲକରେ ଜଣେ ବ୍ଲକ ଶିକ୍ଷାଧିକାରୀ ଦାୟିତ୍ୱରେ ରହିଛନ୍ତି । ସେହିପରି ସମିଶ୍ରଣ ହୋଇଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନିଜ ଗ୍ରାମରୁ ଚୟନ ହୋଇଥଇବା ବିଦ୍ୟାଳୟକୁ ଯାତାୟତ ଖର୍ଚ୍ଚ ପ୍ରଦାନ କରାଯାଉ ନଥିବାକୁ ନେଇ ଜନପ୍ରତିନିଧିମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ବାଘଶଳା ସମିତି ସବ୍ୟ କେତେକ ସ୍କୁଲରେ ପିଇବା ପାଣି ବ୍ୟବସ୍ଥା ନଥିବାର ପ୍ରକାଶ କରିଥିଲେ । ଗୁରାଣ୍ଡି ଠାରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ହାଇସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ପାଇଁ ଗୁରାଣ୍ଡି ସରପଞ୍ଚ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ତ୍ତମାନ ୩୫ଗୋଟି ମେଗା ଜଳ ପ୍ରକଳ୍ପ ପ୍ରସ୍ତୁତ ହୋଇ ଥିବାର ପ୍ରକାଶ କରିଥିଲେ ବିଭାଗୀୟ ଅଧିକାରୀ । ଗ୍ରୀଷ୍ମର ପ୍ରଭାବ ଜାରି ରହିଥିବା ବେଳେ ପାନୀୟ ଜଳ ପାଇଁ ଗ୍ରାମାଞ୍ଚଳ ଗୁଡିକରେ ଥିବା ନଳକୂପ ଆବଶ୍ୟକୀୟ ମରାମତି ତଥା ରକ୍ଷଣା ବେକ୍ଷଣପାଇଁ କରୁନଥିବାରୁ ବିଭାଗୀୟ ଅଧିକାରୀଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ । ସେହିଭଳି କ୍ଷୁଦ୍ର ଜଳସେଚନ ବିଭାଗ ଗ୍ରୀଷ୍ମ ଦିନେ କାର୍ଯ୍ୟ ନକରି ବର୍ଷା ଋତୁରେ ସମସ୍ତ କାର୍ଯ୍ୟ ଆରମ୍ଭ କରୁଥିବାରୁ ଆଲୋଚନା ହୋଇଥିଲା । ଏତଦ୍ ବ୍ୟତୀତ ବୃକ୍ଷରୋପଣ, ପଶୁଧନ, ସ୍ୱାସ୍ଥ୍ୟ, ଜଳବିଭାଜିକା, ପ୍ରଧାନ ମନ୍ତ୍ରୀ ସଡକ ଯୋଜନା, ରାସ୍ତାଘାଟ ନିର୍ମାଣ, ଉଦ୍ୟାନ, କୃଷି ଆଦି ସମ୍ପର୍କେ ଆଲୋଚନା ହୋଇଥିଲା । ଏହି ବୈଠକକୁ ପଞ୍ଚାୟତ ଅଧିକାରୀ ଦୁର୍ଗା ପ୍ରସାଦ ରଣା ପରିଚାଳନା କରିଥିଲେ ।


