ଗ୍ରାମବାସୀଙ୍କ ଧାରଣା ତୃତୀୟ ଦିନରେ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ତହସିଲ ଅଧିନସ୍ଥ ବଞ୍ଚୋ ବାଲିଘାଟକୁ ବିରୋଧକରି ୯ଦଫା ଦାବିରେ ସିଙ୍ଗଡୋବ ଗ୍ରାମବାସୀ ମାନେ ଚଳାଇଥିବା ଗଣଧାରଣା ଆଜି ତୃତୀୟ ଦିବସରେ ପହଞ୍ଚିଛି । ଗ୍ରାମବାସୀମାନେ ରାସ୍ତା ଉପରେ ବସିରହିଥିବାରୁ ବାଲିଘାଟରୁ ବାଲି ପରିବହନ ବନ୍ଦ ହୋଇଯାଇଛି । ଧାରଣାରେ ବସିଥିବା ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ସରକାରୀ ସ୍ତରରେ ବାଲି ପରିବହନ ପାଇଁ କୌଣସି ରାସ୍ତା ନଥିବାବେଳେ କିପରି ଏହି ବାଲିଘାଟକୁ ଲିଜ ଦିଆଯାଇଛି । ନିଲାମ ଅଞ୍ଚଳର ସୀମା ନିର୍ଦ୍ଧାରଣ କରାଯାଇଥିଲେବି ଏହାର ଉଲଙ୍ଘନ କରାଯାଇ ବାହାର ସ୍ଥାନରୁ ବାଲି ଉଠାଣ କରାଯାଉଛି, ମାଇନିଂ ପ୍ଲାନର ଖୋଲାଖୋଲି ଉଲଙ୍ଘନ କରାଯାଇ ନିର୍ଦ୍ଧାରିତ ଗଭୀରତା ଠାରୁ ଅଧିକ ଗଭୀରତାରେ ବାଲି ଉଠାଣ, ବିନା ରୟଲଟିରେ ବାଲି ପରିବହନ କରାଯାଉଥିବା, ଦିନ ରାତି ସବୁବେଳେ ବାଲି ପରିବହନ ଯୋଗୁଁ ଗାଁର ସ୍କୁଲ ତଥା ଅଙ୍ଗନବାଡି ଛାତ୍ରଛାତ୍ରୀ ମାନେ ନାନା ସମସ୍ୟା ଭୋଗୁଥିବାରୁ ଏହି ବାଲିଘାଟକୁ ବନ୍ଦ କରିବା ପାଇଁ ଦାବିକରି ଗ୍ରାମବାସୀମାନେ ଧାରଣାରେ ବସିଛନ୍ତି । ଗତକାଲି ତହସିଲଦାର ଗାୟତ୍ରୀ ସୋରେନ, ଆନନ୍ଦପୁର ଥାନା ଆଇ.ଆଇ.ସି ଗଗନ ବିଶ୍ୱାଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେବି କୌଣସି ସୁଫଳ ମିଳିପାରି ନାହିଁଁ ।


