ଗ୍ରାମ୍ୟ ଉନ୍ନୟନ ବିଭାଗର ଆଉ ଏକ ଦାୟିତ୍ୱ ହୀନତା

ଖଲ୍ଲିକୋଟ, (ରାଜୀବ ଚନ୍ଦ୍ର ଖାଡଙ୍ଗା):ଗ୍ରାମ୍ୟ ଉନ୍ନୟନ ବିଭାଗ ଖଲ୍ଲିକୋଟ ଅଧିକାରୀ ଙ୍କ ଆଉ ଏକ ଦାୟିତ୍ୱ ହୀନତା କାର୍ଯ୍ୟ ନଜର କୁ ଆସିଛି ।ଖଲ୍ଲିକୋଟ–ମାନାପଲ୍ଲୀ ରାସ୍ତା ଲୋକଙ୍କ ପାଇଁ ମରଣଯନ୍ତା ପାଲଟି ଥିବା ଖବର ଗତକାଲି ପ୍ରକାଶ ପାଇଥିଲା ।ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ଆଉ ଏକ ରାସ୍ତା ର ଶୋଚନୀୟ ଅବସ୍ଥା ଆମ ନଜର କୁ ଆସିଛି ।ଲଂଗଳେଶ୍ୱର-ବି. ଘୋଡାପଡା ରାସ୍ତା ର ଅବସ୍ଥା ନିଜେ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ ।ରାସ୍ତା ସାରା ଖାଲଖମା ରେ ପରିପୂର୍ଣ୍ଣ ।ମାତ୍ର ୧୦ କିମି ରାସ୍ତାକୁ ନିର୍ମାଣ କରିବା ପାଇଁ ଦୀର୍ଘ ୪ ବର୍ଷ ଲାଗି ଯାଇଥିବା ବେଳେ ତାହା ଏବେ ଅଧାପନ୍ତରିଆ ଅବସ୍ଥାରେ ରହିଛି ।ବର୍ଷା ହେଲେ ରାସ୍ତାରେ ପାଣି ଜମି ରହି ଆଦର୍ଶ ପୋଖରୀ ର ଭ୍ରମ ସୃଷ୍ଟି କରୁଛି ।ସେହି ପାଣି ରୁ ରାସ୍ତା ଉପରେ ଲୋକେ ଜାଲ ପକାଇ ମାଛ ଧରୁଥିବା ଦେଖିବାକୁ ମିଳିଛି ।ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ସଭ୍ୟ ସୋନମ ପଲେଇ ଙ୍କ ନିଜ ଗ୍ରାମ ତେନ୍ତୁଳିଆପଲ୍ଲୀ ଏହି ରାସ୍ତାରେ ପଡୁଛି ।ବର୍ତ୍ତମାନ ର ବ୍ଲକ ଉପାଧ୍ୟକ୍ଷ ଭାରତୀ ମହାରଣା ଙ୍କ ଗ୍ରାମ ଏହି ରାସ୍ତାରେ ପଡୁଛି ।ବରିଷ୍ଠ ବିଜେଡି ନେତା କିଶୋର ପଲେଇ ଙ୍କ ଗ୍ରାମ ମଧ୍ୟ ଏହି ରାସ୍ତାରେ ।ତେବେ ଆହୁରି ଅନେକ ନେତା ଏହି ରାସ୍ତାରେ ପ୍ରତ୍ୟହ ଯାତାୟାତ କରୁଥିଲେ ମଧ୍ୟ କାହାର ଯେପରି ନଜର ପଡୁନାହିଁ ଏହି ରାସ୍ତା ର ଅବସ୍ଥା ଉପରେ ।ରାସ୍ତାଘାଟ ନିର୍ମାଣ ପାଇଁ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କାର ବ୍ୟୟ ବରାଦ କରାଯାଉଥିବା ବେଳେ ,ତାର ବ୍ୟତିକ୍ରମ ଦେଖାଯାଇଛି ଖଲିକୋଟ ବ୍ଳକ ଅନ୍ତର୍ଗତ ଲଙ୍ଗଳେଶ୍ବର ଜାତୀୟ ରାଜପଥ ଠାରୁ ବି ଘୋଡାପଡା ରାସ୍ତା ନିର୍ମାଣରେ । ଏହି ରାସ୍ତା ପାଞ୍ଚ ଗୋଟି ପଞ୍ଚାୟତ ଯଥା ଲଙ୍ଗଳେଶ୍ବର,ବାକୁଟୁଗାଁ,ତେନ୍ତୁଳିଆପଲୀ,ଆଇତିପୁର ଓ ଆଦିବାସୀ ଅଧ୍ୟୁଷିତ ବାଦପଲୀର ୪୦ ରୁ ଉର୍ଦ୍ଧ୍ବ ଗ୍ରାମ ସହିତ ସଂଯୋଗ କରୁଥିବା ବେଳେ ଅଞ୍ଚଳର ହଜାର ହଜାର ଲୋକ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ଵାରା ଏହି ରାସ୍ତା ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଅନ୍ତର୍ଗତ କରାଯାଇ ଟେଣ୍ଡର କରାଯାଇଥିଲା। ମାତ୍ର ୧୦ କିଲୋମିଟରର ଏହି ରାସ୍ତା ନିର୍ମାଣ ପାଇଁ ମୋଟ ୪ କୋଟି ୩୭ ଲକ୍ଷ ୯୧ ହଜାର ୭ଶହ ୧୨ ଟଙ୍କାର ବ୍ୟୟ ବରାଦ ଅଟକଳ ହୋଇ ଠିକାଦାର ବନବାସୀ ପଣ୍ଡାଙ୍କ ନାମରେ କାର୍ଯାଦେଶ ଦିଆଯାଇଥିଲା। କାର୍ଯ୍ୟ ଆରମ୍ଭର ତାରିଖ ୨୨/୦୨/୨୦୧୮ ଓ କାର୍ଯ୍ୟ ଶେଷ ତାରିଖ ୨୧/୦୨/୨୦୧୯ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଶେଷ ହୋଇ ନାହିଁ। ଯେତିକି କାମ ହୋଇଛି ତାହା ନିମ୍ନ ମାନର ହୋଇ ଥିବା ଅଭିଯୋଗ କରାଯାଉଛି।  ରାସ୍ତାରେ ବିଭିନ୍ନ ସ୍ଥାନରେ ଖାଲଖମା ଭରି ରହିଛି ।  ଲୋକମାନେ ଦୂର୍ଘଟଣାର ସମ୍ମୁଖୀନ ହେବା ସହ ମୃତ୍ୟୁ ମୂଖରେ ପଡୁଛନ୍ତି। ଆଗାମୀ ୨୨.୦୨.୨୦୨୪ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ସମୟସୀମା ରହିଥିଲେ ମଧ୍ୟ ଏହି ରାସ୍ତାକୁ ମରାମତି ମଧ୍ୟ କରାଯାଉନାହିଁ ।ଗ୍ରାମ୍ୟ ଉନ୍ନୟନ ବିଭାଗ ଖଲ୍ଲିକୋଟ କାର୍ଯ୍ୟାଳୟ ର ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ସଲାସୁତୁରା ଯୋଗୁଁ ଲଂଗଲେଶ୍ୱର-ବି. ଘୋଡାପଡା ରାସ୍ତା ର ମରାମତି ମଧ୍ୟ ହୋଇ ପାରୁନାହିଁ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି ।ତେବେ ଏହି ରାସ୍ତାକୁ ଉପଯୁକ୍ତ ଭାବେ ଶିଘ୍ର ନିର୍ମାଣ କରା ନ ଗଲେ ଆଗାମୀ ଦିନରେ ଜନ ଅସନ୍ତୋଷ ବଢିବା ସହ ରାସ୍ତାରୋକ କରାଯିବ ବୋଲି ବାକୁଟୁ ଗାଁ ସରପଞ୍ଚ ଗଣେଶ ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ