ଗ୍ରାମ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ନିର୍ମାଣର ୫ ମାସ ପରେ ରାସ୍ତାରୁ ପିଚୁ ଉଠିବା ସ‌ହ ଖାଲଖମାରେ ପରିପୁର୍ଣ୍ଣ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଜନସାଧାରଣଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଯୋଗାଇ ଦେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି। ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣ ମାନଙ୍କ ଗମନାଗମନର ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପ୍ରଣୟନ କରି ପ୍ରତିବର୍ଷ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ଏବଂ ଠିକାଦାର ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେବା ସହ ନିମ୍ନମାନର କାର୍ଯ୍ୟ ହେଉଛି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହିଞ୍ଜିଳିକାଟୁ ବ୍ଲକ୍ ଶରଧାପୁର ଗ୍ରାମରେ । ୫୯ ନଂ ଜାତୀୟ ରାଜପଥ ଶଙ୍କର ନେତ୍ରାଳୟ ଠାରୁ ଶରଧାପୁର ପର୍ଯ୍ୟନ୍ତ ୫ କି.ମି ରାସ୍ତା ନିର୍ମାଣ ପାଇଁ ୮କୋଟି ୫୦ଲକ୍ଷ ୭ ହଜାର ୮୯୨ ଟଙ୍କା ବ୍ୟୟରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ଗ୍ରାମ୍ୟ ଉନ୍ନୟନ ବିଭାଗ‌ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଛି । ଠିକାଦାର ଓ ଗ୍ରାମ୍ୟ ଉନ୍ନୟନ ଡିଭିଜନରେ ଚୁକ୍ତି କରିଥିଲେ । କିନ୍ତୁ ଉକ୍ତ ରାସ୍ତା ନିର୍ମାଣରେ ନିୟୋଜିତ ଥିବା ଠିକା ସଂସ୍ଥା ନିର୍ଦ୍ଧାରିତ ସମୟରେ ମଧ୍ୟରେ ରାସ୍ତା ନିର୍ମାଣ କରିପାରି ନଥିଲା। ଗ୍ରାମ ବାସିନ୍ଦା ବାରମ୍ବାର ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ଅବଗତ କରାଇବା ପରେ ଶେଷରେ ଉକ୍ତ ଠିକା ସଂସ୍ଥା ଗତ ୨ ବର୍ଷ ତଳେ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିଥିଲା । ଉକ୍ତ ରାସ୍ତାର ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଏବଂ ମରାମତି ପାଇଁ ବିଭାଗୀୟ ବ୍ୟୟବରାଦ ରହିଛି । କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଠିକା ସଂସ୍ଥା ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଉକ୍ତ ରାସ୍ତାର ବାର୍ଷିକ ମରାମତି କରାଯାଉଛି ତାହା ନିମ୍ନମାନର । ଏହି କାମ ବ୍ରହ୍ମପୁର ଡିଭିଜନ ଅଧିନ ହିଞ୍ଜିଳିକାଟୁ ଗ୍ରାମ୍ୟ ଉନ୍ନୟନ ବିଭାଗ‌ ତତ୍ତ୍ଵାବଧାନରେ ନିର୍ମିତ ହୋଇଥିବା ବେଳେ କାର୍ଯ୍ୟ ଶେଷ ହେବାର ୫ମାସ ନପୁରୁଣୁ ରାସ୍ତା ଫାଟି ଆଁ କଲାଣି। ରାସ୍ତା ଉପରୁ ପିଚୁ ଉଠିବା ସହ ଖାଲଖମାରେ ପରିପୂର୍ଣ୍ଣ ହୋଇପଡିଛି। ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ସମୟରେ ବହୁ ଛୋଟବଡ ଗାଡି ଦୂର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହୋଇଥିବା ନଜିର ରହିଛି। ରାସ୍ତାକାମ ସମୟରେ ନିମ୍ନମାନର ହେଉଥିବା ନେଇ ଅଭିଯୋଗ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ହିଞ୍ଜିଳିକାଟୁ ବିଭାଗୀୟ କାର୍ଯ୍ୟାଳୟକୁ ଗଲେ କାର୍ଯ୍ୟାଳୟରେ ଅଧିକାରୀ ନାହାଁନ୍ତି, ଆସିଲେ ଜଣାଇବୁ ବୋଲି ଉପସ୍ଥିତ ଚପରାସୀ କହୁଥିବା ଲୋକେ ଅଭିଯୋଗ କରିଛନ୍ତି । ରାସ୍ତା ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଯୋଗୁଁ ବର୍ତ୍ତମାନ ରାସ୍ତାର ୮୦ ଭାଗରୁ ଉର୍ଦ୍ଧ୍ବ ଭାଗରେ ପିଚୁ ଉଠି ପଡ଼ିଲାଣି ଏବଂ ଏହା ସହିତ ରାସ୍ତାର ଅଧିକାଂଶ ଭାଗରେ ଖାଲଖମା ହୋଇ ଗୁଡି ମାଟି ଉଠିଗଲାଣି । ଯାହା ଦ୍ଵାରା ପ୍ରାୟ ସମୟରେ ଛୋଟମୋଟ ସଡ଼କ ଦୁର୍ଘଟଣା ଘଟୁଛି । ରାସ୍ତା ମରାମତି ବାବଦରେ ଗ୍ରାମବାସୀ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ବାରମ୍ବାର ଅବଗତ କରାଇବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆ ଯାଇନଥିବା ଗ୍ରାମବାସୀ କହିଛନ୍ତି।, ଏହା ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ । ଯଦିଓ ଆଗାମୀ ଏକ ମାସ ମଧ୍ୟରେ ବିଭାଗ ତରଫରୁ ଉକ୍ତ ରାସ୍ତା ନିର୍ମାଣ କରାନଯାଏ, ତାହାହେଲେ ଘଟଣା ସମ୍ପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଲିଖିତ ଭାବେ ଅବଗତ କରାଇବେ ବୋଲି କିଛି ଗ୍ରାମବାସୀ ନିଜର ମତପ୍ରକାଶ କରିଛନ୍ତି। ଘଟଣା ନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ପଣ୍ଡାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇପାରିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ