ଘରକୁ ଫେରୁଥିବା ଯୁବକଙ୍କୁ ନିଶା ଦେଇ ଲୁଟିଲେ ଅଟୋ ଚାଳକ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଏବେ ସାରା ରାଜ୍ୟରେ ଲୁଟେରା ମାନେ ନିଜର ସାମାଜ୍ୟ ବିସ୍ତାର କରିଚାଲିଥିବା ବେଳେ ବିଭିନ୍ନ ତରିକାରେ ସାଧାରଣଲୋକଙ୍କୁ ଲୁଟୁଥିବା ନଜିର ସାମନ୍ନା ଆସୁଛି । ବିଶେଷକରି ଟୁଇନ୍ ସିଟିରେ ଏଭଳି ଲୁଟ୍ ଘଟଣା ଦେଖିବାକୁ ମିଳୁଛି । ଗୁରବାର ବନ୍ତ ଥାନା ଅଞ୍ଚଳର ଜଣେ ଯୁବକ ଘରକୁ ଫେରୁଥିବା ବେଳେ ଲୁଟେରା ଅଟୋ ଚାଳକ ତାଙ୍କୁ ନିଶା ଦେଇ ସମସ୍ତ ସାମଗ୍ରୀ ଲୁଟି ନେଇଥିବା ଜଣାଯାଇଛି । ଏଭଳି ଲୁଟର ଶୀକାର ହୋଇଛନ୍ତି ନିଳୋକ ଗ୍ରାମର ସ୍ୱର୍ଗତ ବାଇଧର ବେହେରାଙ୍କ ପୁଅ ମହେଶ୍ୱର ବେହେରା(୩୮) । ମହେଶ୍ୱର ଗତ ୨୦ ବର୍ଷ ହେବ ପରିବାର ପ୍ରତିପୋଷଣ ପାଇଁ ଦିଲ୍ଲୀରେ ଏକ ପାଣି ପାଇପ ସୋସାଇଟରେ କାର୍ଯ୍ୟ କରିଆସୁଛନ୍ତି । ଦୀର୍ଘ ମାସ ପରେ ସେ ଘରକୁ ଫେରିବା ନେଇ ଗୁରବାର ସକାଳେ ଦିଲ୍ଲୀରୁ ଫ୍ଲାଇଟ୍ ଯୋଗେ ଭୁବନେଶ୍ୱର ଆସିଥିଲେ । ସେଠାରୁ ସେ ଏକ ଅଟୋ ଯୋଗେ ରସୁଲଗଡ ଆସିବା ପରେ ଭଦ୍ରକ ଆସିବା ପାଇଁ ବସକୁ ଅପେକ୍ଷା କରିଥିଲେ । ସେହି ସମୟ ମଧ୍ୟରେ ଜଣେ ଅଟୋ ଚାଳକ ସେଠାରେ ପହଂଚି ତାଙ୍କୁ କୁଆଡେ ଯିବ ବୋଲି ପଚାରି ଥିଲେ । ମହେଶ୍ୱର ଭଦ୍ରକ ଜିଲା ବନ୍ତ କଥା କହିବା ପରେ ଅଟୋ ଚାଳକ ଜଣକ ନିଜକୁ ବନ୍ତ ଅଞ୍ଚଳର କହି ଘରକୁ ଯାଉଛନ୍ତି ବୋଲି କହିଥିଲେ । ଫଳରେ ମହେଶ୍ୱର ସେହି ଅଟୋରେ ଘରକୁ ଆସିବା ପାଇଁ ଅଟୋରେ ବସିଥିଲେ । ଅଟୋ ଚାଳକ ଜଣକ ରସୁଲଗଡରୁ କଟକ ଅଭିମୁଖେ ଆସିବା ପରେ ରାସ୍ତାରେ ଏକ ଛକସ୍ଥାନ ଦୋକାନ ପାଖରେ ଅଟକାଇଥିଲେ । ସେଠାରେ ଅନ୍ୟ ଜଣେ ଯୁବକ ତାଙ୍କ ସହ କଥା ହେବା ପରେ ଦୋକାନରୁ ଅମୁଲ୍ କୁଲ୍ କିଣି ନିଜେ ପିଇବା ସହ ମହେଶ୍ୱରକୁ ଦେଇଥିଲେ । କିଛି ସମୟ ମଧ୍ୟରେ ମହେଶ୍ୱରଙ୍କ ମୁଣ୍ଡ କଣ ହୋଇଯିବା ସହ ସେ ଅଚେତ ହୋଇଯାଇଥିଲେ । ଏହାରି ମଧ୍ୟରେ ଅଟୋ ଚାଳକ ଓ ତାଙ୍କ ସାଥିରେ ଥିବା ଯୁବକ ମହେଶ୍ୱରଙ୍କ ପାଖରେ ଥିବା ମୂଲ୍ୟବାନ ମୋବାଇଲ, ନଗଦ ୨୦ ହଜାର ଟଙ୍କା, ୨ଟି ଏଟିମ, ଗୋଟିଏ ପାନ୍ କାର୍ଡ, ବାଇକ୍ କାଗଜପତ୍ର ସମେତ ସମସ୍ତ ସାମଗ୍ରୀ ଲୁଟି୍ ନେଇଥିଲେ । ପରେ ମହେଶ୍ୱରଙ୍କୁ କଟକ ଜଗତପୁରସ୍ଥିତ ଓଭରବ୍ରିଜ ତଳେ ଫୋପାଡି ଦେଇ ଚାଲି ଯାଇଥିଲେ । ସେହି ରାସ୍ତା ଦେଇ ଜଣେ ଏଲ.ଆଇ.ସି ଏଜେଣ୍ଟ ବାଇକ୍ ଯୋଗେ ଯିବା ବେଳେ ମହେଶ୍ୱରଙ୍କୁ ଗୁରୁତର ଅବସ୍ଥାରେ ଦେଖିଥିଲେ । ପରେ ତାଙ୍କ ଠାରୁ ଫୋନ୍ ନମ୍ବର ନେଇ ପରିବାରଲୋକଙ୍କୁ ଖବର କରିଥିଲେ । ପରିବାର ଲୋକେ ସେଠାରେ ପହଂଚି ତାଙ୍କୁ ପ୍ରଥମେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜଗତପୁର ଥାନାରେ ଅଭିଯୋଗ କରିଥିଲେ । ଶେଷରେ ମହେଶ୍ୱରଙ୍କୁ ଭଦ୍ରକ ଡାକ୍ତରଖାନାକୁ ଅଣାଯାଇ ୭ ଘଣ୍ଟା ଚିକିତ୍ସା କରିବା ପରେ ସେ ଏବେ ସୁସ୍ଥ ଆଡକୁ ଗତି କରିଛନ୍ତି । ଆଜି ତାଙ୍କୁ ପରିବାରଲୋକେ ଘରକୁ ଆଣିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ