ଘରେ ପଶିଗଲା ଟ୍ରାକ୍ଟର ପରିବାରର ୪ ସଦସ୍ୟ ଆହାତ ଟ୍ରାକ୍ଟର ଚାଳକ ଗିରଫ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବଡଡୁମ୍ବୁଳା ଗ୍ରାମରେ ଶନିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଗ୍ରାମ ସ୍ଥିତ ମାଁ ସିଦ୍ଧ ବାଙ୍କେଶ୍ୱରୀ ପୀଠକୁ ଟ୍ରାକ୍ଟର ପୂଜା ପାଇଁ ଆସିବା ପୂର୍ବରୁ ଭାରସାମ୍ୟ ହରାଇ ଗାଁ ବୁଲାଣୀ ରେ ଥିବା ବାବୁଲା ସେଠୀଙ୍କ ଘରେ ଟ୍ରାକ୍ଟର ଟି ପଶି ଯାଇଥିଲା। ଫଳରେ ଘରେ ଥିବା ବାବୁଲା ଙ୍କ ସ୍ତ୍ରୀ ଜ୍ୟୋସ୍ନା ସେଠୀ ,ଦୁଇ ଝିଅ ରଚନା ଓ ମିକିନା ସେଠୀ ଏବଂ ପୁଅ ଓମ୍ ସେଠୀ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ଖବରନୁଯାୟୀ , ଶନିବାର ସକାଳୁ ବଡଡୁମ୍ବୁଳା ଗ୍ରାମ ନିକଟସ୍ଥ ସୁମନ୍ତପୁର ଗ୍ରାମର ସୁନୀଲ ପାତ୍ର ନିଜ ଟ୍ରାକ୍ଟର କୁ ପୂଜା କରିବା ପାଇଁ ମାଁ ଙ୍କ ମନ୍ଦିର କୁ ଆସୁଥିବା ସମୟରେ ମନ୍ଦିର ନିକଟରେ ରହିଥିବା ବୁଲାଣି ରାସ୍ତାରେ ସୁନୀଲ ଟ୍ରାକ୍ଟର ଉପରୁ ଭାରସାମ୍ୟ ହରାଇ ବସିବା ଫଳରେ ଟ୍ରାକ୍ଟର ଟି ରାସ୍ତାକଡ ରେ ଥିବା ବାବୁଲାଙ୍କ ଘରେ ପଶି ଯାଇଥିଲା । ଯାହାଦ୍ବାରା ଘରେ ବସିଥିବା ମାଆ ,୨ ଝିଅ ଓ ପୁଅ ଏକା ସଙ୍ଗେ ଟ୍ରାକ୍ଟର ଭିତରେ ଚାପି ହୋଇ ରହି ଯାଇଥିଲେ । ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରେ ଦିଗପହଣ୍ଡି ଅଗ୍ନିଶମ ବିଭାଗ , ଆମ୍ବୁଲାନ୍ସ ଓ ଦିଗପହଣ୍ଡି ପୋଲିସ ଟିମ୍ ସମେତ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଶେଷକାନ୍ତ ଜାନୀ ଉପସ୍ଥିତ ରହି ଆହତ ମାନଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରିଥିଲେ । ପୋଲିସ ଟ୍ରାକ୍ଟର ଚାଳକ ସୁନୀଲ ଙ୍କୁ ଗିରଫ କରିବା ସହ ଥାନାରେ ଅଟକ ରଖି ତଦନ୍ତ ଚଳାଇଛନ୍ତି। ଏନେଇ ମକଦ୍ଦମା ରୁଜୁ କରାଯିବା ସହ ଦୁର୍ଘଟଣା ଗସ୍ତ ଟ୍ରାକ୍ଟର କୁ ଜବତ କରାଯାଇଥିବା ଥାନା ଆଇ ଆଇ ସି ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି ।


