ଏଠି ବ୍ରତରେ ନୁହେଁ ଏଠି ବିଶ୍ୱାସରେ ସାବିତ୍ରୀ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ବ୍ରତରେ ନୁହେଁ, ଏଠି ବିଶ୍ୱାସରେ ସାବିତ୍ରୀ । ଦିନେ ନୁହେଁ ତାଙ୍କ ପାଇଁ ସବୁଦିନ ସାବିତ୍ରୀ । ନାଁ ଦେଇଛନ୍ତି ସୁନା ଗହଣା, ନାଁ ଦେଇଛନ୍ତି ଦାମୀ ଶାଢ଼ୀ । ନାଁ ଅଛି ଭଳିକି ଭଳି ଫଳମୂଳ ଭରା ସାବିତ୍ରୀ ଭାର । ତଥାପି ଏ ସାବିତ୍ରୀ ଜଣକ ସମ୍ପର୍କର ସଂଜ୍ଞା ବୁଝିଛନ୍ତି । ନିଜ ସତ୍ୟବାନଙ୍କ ସେବା କରୁଛନ୍ତି ଶାନ୍ତିଲତା ।ସାବିତ୍ରୀ କହିଲେ ଓଷାବାର ଆଉ ସ୍ତ୍ରୀର ମଥା ସିନ୍ଦୁର କୁ ବୁଝୁଥାନ୍ତି ତାହା ଆଜି ଏ ଯୁଗର ସାବିତ୍ରୀଙ୍କ କାହାଣୀ ଆପଣଙ୍କ ଭାବନା କୁ ଭୁଲ ପ୍ରମାଣିତ କରିନେବ। ବର୍ଷ ସାରା ସ୍ତ୍ରୀ ଟିଏ ଦିନକ ପାଇଁ ସାବିତ୍ରୀ ବ୍ରତ କରିବାକୁ ଚାହିଁ ରହିଥାଏ । ହେଲେ ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଧୀନ କଟକଣା ପଂଚାୟତରେ ବସବାସ କରୁଥିବା ଦିବ୍ୟାଙ୍ଗ ଜିତୁ ଜେନା । ଯିଏ ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବା ବେଳେ ପ୍ଲାଷ୍ଟିକ ଗୋଡ଼ ସାହାଯ୍ୟ ରେ ପରିବାର ପ୍ରତିପୋଷଣ ପାଇଁ ଗାଁ ଗାଁ ବୁଲି ଗୁପଚୁପ ଓ ଆଇସିକ୍ରିମ ବେପାର କରି ସ୍ୱଳ୍ପ ରୋଜଗାର ରେ ନିଜ ଛୋଟିଆ ସଂସାର ଚଳୁଥିଲା । କିନ୍ତୁ ଦଇବ ଦାଉ ସାଧିଲା ଭଳି ଜିତୁଙ୍କ ଆଖିରେ ସମସ୍ୟା ସୃଷ୍ଟି ହେଲା । ଦିବ୍ୟାଙ୍ଗ ସ୍ୱାମୀର ଆଖିକୁ ଭଲ କରିବାକୁ ସଂଚିତ ସ୍ୱଳ୍ପ ଅର୍ଥରେ ଭୁବନେଶ୍ୱର ସ୍ଥିତ ଏକ ଚକ୍ଷୁ ଚିକିତ୍ସାଳୟ କୁ ଗଲେ । ଚିକିତ୍ସାଧୀନ ଡାକ୍ତର ଦିବ୍ୟାଙ୍ଗ ଜିତୁ କୁ ପରାମର୍ଶ ଦେଲେ ଆଖି ଅପରେସନ ହେବ। ଅପରେସନ ପରେ କିନ୍ତୁ ଆଖି ଭଲ ହେବା ପରିବର୍ତ୍ତେ ଚିକିତ୍ସାଧୀନ ଡକ୍ଟର ଙ୍କ ଚିକିତ୍ସା ଅବହେଳା ରୁ ପୂର୍ବରୁ ଦିବ୍ୟାଙ୍ଗ ଥିବା ଜିତୁ ସମ୍ପୂର୍ଣ୍ଣ ଦୃଷ୍ଟି ଶକ୍ତି ହରାଇଲେ ।ଜନ୍ମରୁ ଗୋଡ଼ ପାଇଁ ଦିବ୍ୟାଙ୍ଗ ଥିବା ଜିତୁ ଙ୍କ ଦୃଷ୍ଟିଶକ୍ତି ଶେଷରେ ହରାଇ ବସିଲେ।ହୋମ ନିଆଁ କୁ ସାକ୍ଷୀ ରଖି ସାତ ଜନ୍ମ ସାଥି ବନିଥିଲେ ଏହି ଦମ୍ପତି। ଜୀବନ ଜଞ୍ଜାଳ ଲଢେଇ କରୁଛନ୍ତି। କାରଣ ଦିବ୍ୟାଙ୍ଗ ଓ ଦୃଷ୍ଟିଶକ୍ତି ହରାଇଥିବା ସ୍ୱାମୀଙ୍କୁ ଚିକିତ୍ସା କରାଇବାକୁ ଅର୍ଥ ନଥିବା ବେଳେ ସ୍ୱାମୀ ଙ୍କ ଚିକିତ୍ସା ସହ ପରିବାର ମୁହଁରେ ଆହାର ଦେବାକୁ ପତ୍ନୀ ଅନ୍ୟ ସ୍ଥାନରେ କାମ କରୁଛନ୍ତି। ସେଥିରୁ ଯେତିକି ଅର୍ଥ ମିଳେ ପରିବାର କଷ୍ଟରେ ଚଳେ। ଦିବ୍ୟାଙ୍ଗ ଜିତୁ କହିଛନ୍ତି ପୂର୍ବରୁ ଗୋଡ଼ ହରାଇଥିଲେ ମଧ୍ୟ ନିଜ ପରିବାର ଗୁଜୁରାଣ ମେଣ୍ଟାଇବାକୁ ପ୍ଲାଷ୍ଟିକ ଗୋଡ଼ ଲଗାଇ କାକଟପୁର ସମେତ ଅସ୍ତରଙ୍ଗ ଅଞ୍ଚଳର ବିଭିନ୍ନ ଗାଁ ବୁଲି ଆଇସିକ୍ରିମ ଓ ଗୁପଚୁପ ବିକ୍ରି କରି ନିଜ ପରିବାର ପେଟକୁ ଦାନା ଯୋଗାଉଥିଲେ। କିନ୍ତୁ ଦଇବ ଦାଉ ସାଧିଲା ଭଳି ଦୃଷ୍ଟିଶକ୍ତି ହରାଇବା ପରେ ଏବେ ପରିବାର ଚଳାଇବା କଷ୍ଟକର । ସରକାରୀ ସ୍ତରରେ ରାସନ କାର୍ଡ ମିଳୁଥିବା ଚାଉଳ। କିନ୍ତୁ ରାସନ କାର୍ଡ ରେ ପିଲାଙ୍କ ନାମ ଯୋଡ଼ା ହୋଇନଥିବାରୁ ସେଥିରୁ ମଧ୍ୟ ଚାଉଳ ପାଇବାରୁ ବଂଚିତ ହେଉଛନ୍ତି । ଆଉ ମୁଣ୍ଡ ଗୁଞ୍ଜିବାକୁ ଭଙ୍ଗା ନୂଆଣିଆ ଘର ବ୍ୟତୀତ ଆଉ କିଛି ନାହିଁ। ସରକାର ଙ୍କୁ ଅନେକ ଗୁହାରି କଲେ ମଧ୍ୟ ଘର ଟିଏ ମିଳିନାହିଁ । ପତ୍ନୀ ଶାନ୍ତିଲତା ଙ୍କ ପାଇଁ ସବୁଦିନ ହିଁ ସାବିତ୍ରୀ ବ୍ରତ, ଆଉ ସବୁଦିନ ହିଁ ସତ୍ୟବାନ ଙ୍କ ସେବା । ଏଠି ପିଠା ପଣା ବଦଳରେ ପ୍ରେମ ଭରା ପସରା ଦେଖିବାକୁ ମିଳେ। କାରଣ ଦୀର୍ଘ ବର୍ଷ ହେଲା ଦିବ୍ୟାଙ୍ଗ ସ୍ୱାମୀର ତଥା ସତ୍ୟବାନ ଜିତୁଙ୍କ ହାତ ଧରି ସ୍ତ୍ରୀ ଶାନ୍ତିଲତା ଦିନ କାଟିଚାଲିଛନ୍ତି ଜୀବନ ।ଏନେଇ କାକଟପୁର ବିଡ଼ିଓ ଶ୍ରୀଯୁକ୍ତ ନାରାୟଣ ଦିକ୍ଷିତ କହିଛନ୍ତି ଖୁବଶୀଘ୍ର ସ୍ୱତନ୍ତ୍ର ତଦନ୍ତ କାରୀ ଟିମ୍ ପଠାଇ ଯାଞ୍ଚ ପରେ ତାଙ୍କୁ ଘର ଯୋଗାଇ ଦେବେ ବୋଲି । ଜିତୁ ଓ ଶାନ୍ତିଲତାଙ୍କ ପାଇଁ ଖାଲି ବର୍ଷକୁ ଗୋଟିଏ ଦିନ ସାବିତ୍ରୀ ବ୍ରତ ନୁହେଁ , ବରଂ ବର୍ଷ ସାରା ସାବିତ୍ରୀ ସତ୍ୟବାନ ଭଳି ଧର୍ମ ପାଳନ କରିବା । ସେଇଥି ପାଇଁ ଆଧୁନିକ ଯୁଗର ସାବିତ୍ରୀ ପାଇଁ ଶାନ୍ତିଲତା ପ୍ରକୃତ ସାବିତ୍ରୀ କହିଲେ ଭୁଲ ହେବନି।ଯଦି କୌଣସି ସହହୃଦୟ ତଥା ବଦାନ୍ୟ ବ୍ୟକ୍ତି କିମ୍ବା ସରକାର ସହାୟତା କଲେ ଦିବ୍ୟାଙ୍ଗ ପରିବାର ମୁହଁରେ ହସ ଫୁଟିପାରନ୍ତା ।


