ଧାନ ଚୋରୀ ଘଟଣାରେ ଆଉ ଜଣେ ଗିରଫ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଖରା ବର୍ଷା ଓ ଶୀତକୁ ଖାତିର ନକରି ଓ ମୁଣ୍ଡର ଝାଳ ତୁଣ୍ଡରେ ମାରି ଅମଳ ଫସଲକୁ ସାଇତି ରଖିଥିବା ବେଳେ ଚାଷୀର ଅମଳ ଫସଲକୁ ଲୁଟି ନେଇଥିଲେ ଲୁଟେରା ଦଳ । ଘଟଣା ସମ୍ପର୍କରେ ଲୁଟର ଶୀକାର ହୋଇଥିବା ଚାଷୀ ହିଞ୍ଜିଳି ଓ ବେଲଗାଁ ଥାନାରେ ଅଭିଯୋଗ କରିଥିଲେ । ସଂପୃକ୍ତ ଘଟଣାରେ ହିଞ୍ଜିଳି ପୁଲିସ ଗୁରୁବାର ଆଉ ଜଣେ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଜଣଙ୍କ ହେଲେ ହିଞ୍ଜିଳି ଥାନା କରାଖଣ୍ଡି ଗ୍ରାମର ଭଗବାନ ସେଠି। ଗିରଫ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।
ପ୍ରକାଶ ଯେ, ଗତ ଜାନୁୟାରୀ ୨୦ ତାରିଖ ରାତିରେ ହିଞ୍ଜିଳି ଥାନା ପୁନରଖଣ୍ଡି ଗ୍ରାମର ରମାକାନ୍ତ ଗୌଡଙ୍କ ଚାଷଜମିରୁ କୌଣସି ଦୁବୃର୍ତ୍ତ ୩୫ ବସ୍ତା ଧାନ ଚୋରୀ କରି ନେଇ ଯାଇଥିଲେ । ଘଟଣା ନେଇ ଚାଷୀ ରମାକାନ୍ତ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୧୦୮/୨୬ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ସେହିପରି ଗତ ଜାନୁୟାରୀ ୨୯ ତାରିଖ ରାତିରେ ହିଞ୍ଜିଳି ଥାନା ଶରଧାପୁର ଗ୍ରାମର ଚାଷୀ ଏସ. ସନ୍ତୋଷଙ୍କ ଦାରୁଭଦ୍ରା ଗ୍ରାମ ଚାଷଜମିରୁ କୌଣସି ଦୁବୃର୍ତ୍ତ ୨୧ ବସ୍ତା ଧାନ ଚୋରୀ କରି ନେଇ ଯାଇଥିଲେ । ଘଟଣା ନେଇ ଚାଷୀ ସନ୍ତୋଷ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୧୦୬/୨୬ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ଅନୁରୂପ ଭାବେ ଗତ ଫେବୃୟାରୀ ୭ ତାରିଖ ରାତିରେ ବେଲଗାଁ ଥାନା ପୁଟିଆପଦର ଗ୍ରାମର ଜାଷୀ ଅଶୋକ ନାୟକଙ୍କ ଚାଷଜମିରୁ ଚାଷଜମିରୁ କୌଣସି ଦୁବୃର୍ତ୍ତ ୨୦ ବସ୍ତା ଧାନ ଚୋରୀ କରି ନେଇ ଯାଇଥିଲେ । ଘଟଣା ନେଇ ଚାଷୀ ଅଶୋକ ବେଲଗାଁ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ବେଲଗାଁ ଥାନାରେ କେସ ନଂ- ୨୦/୨୬ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ସଂପୃକ୍ତ ଚୋରୀ ଘଟଣାରେ ହିଞ୍ଜିଳି ପୁଲିସ ପୂର୍ବରୁ କରାଖଣ୍ଡି ଗ୍ରାମର କାଳିଆ ସେଠି ଓ ବିନାୟକ ସ୍ବାଇଁଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଚୋରୀରେ ବ୍ୟବହୃତ ଏକ ପିକଅପ୍ ଭ୍ୟାନକୁ ଜଵତ କରି କୋର୍ଟ ଚାଲାଣ ଥିଲା ।


