ଘରୋଇ ଚିକିତ୍ସକଙ୍କ ମୃତ୍ୟୁରେ ଗୋବରା ଅଞ୍ଚଳରେ ଶୋକର ଛାୟା
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଳକ୍ ଗୋବରା ଅଞ୍ଚଳର ବିଶିଷ୍ଟ ଘରୋଇ ଚିକିତ୍ସକ ଶିଶିର କାନ୍ତ ତ୍ରିପାଠି (64) ଙ୍କ ମୃତ୍ୟୁ ଘଟଣା ଗୋବରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି I ଶିଶିର କାନ୍ତଙ୍କ ନିଜ ଘର ଶେରଗଡ଼ ନିକଟସ୍ଥ ହରେକୃଷ୍ଣପୁର ହୋଇଥିବା ବେଳେ ସେ ପାଞ୍ଚ ବର୍ଷ ହେବ ଗୋବରା ଅଞ୍ଚଳରେ ରହି ଆୟୁର୍ବେଦିକ ଚିକିତ୍ସା ଦ୍ୱାରା ଲୋକଙ୍କ ନିକଟତର ହୋଇପାରିଥିଲେ I ସୁଚନା ପ୍ରକାରେ ସ୍ୱର୍ଗତ ଶିଶିର କାନ୍ତ କିଛି ଦିନ ହେବ ରକ୍ତଚାପ ଏବଂ ମଧୂମେହ ଜନିତ ରୋଗରେ ପୀଡ଼ିତ ଥିଲେ I ଶନିବାର ରାତିରେ ହଠାତ୍ ତାଙ୍କର ରକ୍ତଚାପ ଏବଂ ମଧୂମେହ ବଢିଯିବା ଯୋଗୁଁ ପରିବାର ଲୋକେ ତାଙ୍କୁ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ I କିନ୍ତୁ ସେଠାରେ ଡାକ୍ତର ନଥିବାରୁ ତାଙ୍କୁ ସକାଳେ ଆଣିବା ପାଇଁ ପରାମର୍ଶ ଦେଇ ଘରକୁ ଫେରାଇ ଦେଇଥିଲେ ମେଡ଼ିକାଲ୍ କର୍ମଚାରୀ I ଆଜି ସକାଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁଣି ଗୋବରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା I ସେଠାରେ ଡ଼ାକ୍ତର ଶିଶିର କାନ୍ତଙ୍କୁ ମୃତ ଘୋଷଣା କରିଥିଲେ I ଶିଶିର କାନ୍ତଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ସୁଷମା ତ୍ରୀପାଠି, ପୁଅ ଶଙ୍କର ପ୍ରସାଦ, ଦୁଇ ଝିଅ ଭବାନୀ ,ଶିବାନୀ,ଭାଇ ପ୍ରଶାନ୍ତ,ପୁତୁରା ରାଜ୍ କିଶୋର, ଭଉଣୀ ସୁଲକ୍ଷଣା ଦାସ, ଭଣଜା ଅକ୍ଷୟ କୁମାର ଦାସ, ଭାଣିଜୀ ତଥା ଭଞ୍ଜନଗର ସକାଳ ପ୍ରତିନିଧି ବିନ୍ଦୁପ୍ରିୟା ଦାଶ, ଭାଣିଜୀ ଜ୍ୱାଇଁ ତଥା ବେଲଗୁଣ୍ଠା ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I ସ୍ଵର୍ଗତ ଶିଶିର କାନ୍ତଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗୋବରା ସମିତିସଭ୍ୟ ବିଭୂପାଦ ଜେନା,ବରିଷ୍ଠ ବିଜେଡ଼ି ନେତା ସରୋଜ କୁମାର ସ୍ଵାଇଁ, ଗୋବରା ଗ୍ରାମ୍ୟ କମିଟି ସଦସ୍ୟ ଗୋପାଳ ନାୟକ, ତ୍ରୀନାଥ ଗୌଡ଼, ଗନ୍ଧର୍ବ ପାତ୍ରଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ଵର୍ଗତ ତ୍ରିପାଠିଙ୍କ ଅନ୍ତିମ ଦର୍ଶନ କରି ଗଭୀର ଶୋକ ବ୍ୟକ୍ତ ସହିତ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ I ବାସୁଦେବପୁର ବ୍ରାହ୍ମଣ ଶ୍ମଶାନରେ ସ୍ଵର୍ଗତ ତ୍ରିପାଠିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା I ସ୍ଵର୍ଗତ ତ୍ରିପାଠି ଜଣେ ପରୋପକାରୀ, ଅମାୟିକ ଏବଂ ଧର୍ମପରାୟଣ ବ୍ୟକ୍ତି ହୋଇଥିବାରୁ ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି I


