ଘୋଡାହାଡ ପାଣିପଞ୍ଚାୟତ ପକ୍ଷରୁ ଆଲୋଚନା ସଭା
ଦିଗପହଣ୍ଡି,(ୱାଇଏନ୍ଏସ୍): ସ୍ଥାନୀୟ ଘୋଡାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟିର ପରିବର୍ଦ୍ଧିତ ଆଲୋଚନା ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ପାଣି ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହ ରେ ଅନୁଷ୍ଠିତ ସଭାରେ ଘୋଡ଼ାହାଡ଼ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ଉପ ନିର୍ବାହୀ ଯନ୍ତ୍ରୀ ଇଂ. ଏ.ଗୋପାଳ ରାଓ ଅଧ୍ୟକ୍ଷତା କରିଥିଲେ । ଘୋଡାହାଡ ଜଳଭଣ୍ଡାରରେ ଶୁକ୍ରବାର ସୁଦ୍ଧା ୧୧୫.୭୫ ମିଟର ପାଣି ଗଛିତ ରହିଥିବା ଯୋଗୁଁ ଆଗାମୀ ରବିଫସଲ ପାଇଁ ଆବଶ୍ୟକ ହେଲେ ଘୋଡାହାଡ ଜଳଭଣ୍ଡାର ରୁ କେନାଲ ଯୋଗେ ପାଣି ଯୋଗାଣ କରାଯିବା ପାଇଁ ସଭାରେ ବିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ କରାଯାଇଥିଲା । ୧୬, ୧୮, ୬, ୯, ୮, ୧୦, ୧୨ ନଂ. ଚକଭୁକ୍ତ ପାଣି ପଞ୍ଚାୟତ ଅନ୍ତର୍ଗତ ଚାଷ ଜମିରେ ଚାଷୀ ମାନେ ଚିନାବାଦାମ ଚାଷ ପାଇଁ ପ୍ରସ୍ତୁତି ଚଳାଇଥିବାରୁ ସମ୍ପୃକ୍ତ ପାଣିପଞ୍ଚାୟତର କର୍ମକର୍ତ୍ତା ବୃନ୍ଦ ସପ୍ତାହକ ମଧ୍ୟରେ ଚିନା ବାଦାମ ଚାଷୀଙ୍କ ତାଲିକା ଘୋଡାହାଡ ପାଣିପଞ୍ଚାୟତ ଶୀର୍ଷ କମିଟିର ପ୍ରାକ୍ତନ ସମ୍ପାଦକ ରମେଶପାତ୍ରଙ୍କୁ ପ୍ରଦାନ କରିବା ପାଇଁ ସଭାରେ ନିଷ୍ପତ୍ତି ହୋଇଥିଲା । ଚିନାବାଦାମ ବିହନ କିଲୋ ୫୩ ଟଙ୍କା ହୋଇଥିବା ବେଳେ କୃଷିବିଭାଗ ଚାଷୀଙ୍କୁ ସୁଲଭ ମୂଲ୍ୟରେ ଯୋଗାଇଦେବା ପାଇଁ ଆଗତ ପ୍ରସ୍ତାବ କୁ ସଭାରେ ଅନୁମୋଦନ କରାଯାଇଥିଲା । ଅନ୍ୟପକ୍ଷରେ ଆଗାମୀ ୨୩ ତାରିଖ ଠାରୁ ଡିସେମ୍ବର ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପାଣିପଞ୍ଚାୟତ ନିର୍ବାଚନକୁ ସମସ୍ତ ପ୍ରକାର ସହଯୋଗ କରାଯିବା ପାଇଁ ସଭାରେ ସର୍ବସମ୍ମତକ୍ରମେ ନିଷ୍ପତ୍ତି ଗୃହୀତ କରାଯାଇଥିଲା । ଜଳଭଣ୍ଡାର ଓ କେନାଲର ଲିକେଜ ପାଣି ବନ୍ଦ କରିବା ପାଇଁ ୧୫ ଦିନ ମଧ୍ୟରେ ଟେଣ୍ଡର କରାଯିବ ବୋଲି ଉପନିର୍ବାହୀ ଯନ୍ତ୍ରୀ ସଭାରେ ସୁଚନା ଦେଇଥିଲେ । ଦିଗପହଣ୍ଡି ବ୍ଲକ କୃଷି ଅଧିକାରୀ ଡ଼ା. ଆନନ୍ଦ ଚନ୍ଦ୍ର ସାସମଲ, ସହକାରୀ କୃଷି ଅଧିକାରୀ ପଦାରବିନ୍ଦ ସାହୁ, ଘୋଡ଼ା ହାଡ଼ ଜଳସେଚନ କାର୍ଯ୍ୟାଳୟ ସହକାରୀ ଯନ୍ତ୍ରୀ ଇଂ. ନିରଞ୍ଜନ ସାହୁ, କ୍ଷୀରୋଦ ଚନ୍ଦ୍ର ବେହେରା,ସୁଶାନ୍ତ କୁମାର ମହାପାତ୍ର ସଭାରେ ଉପସ୍ଥିତ ଥିଲେ। ଆଲୋଚନା ସଭାରେ ପାଣି ପଞ୍ଚାୟତ ଶୀର୍ଷ କମିଟିର ପ୍ରାକ୍ତନ ସଭାପତି ବିଦ୍ୟାଧର ମହାପାତ୍ର, କୋଷାଧ୍ୟକ୍ଷ ରାମନାଥ ବିଷୋୟୀ, ସଦସ୍ୟ ବିଭୂତି ଭୂଷଣ ମହାପାତ୍ର,ସୁବାସ ପ୍ରଧାନ ପ୍ରମୁଖ ବିଭିନ୍ନ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।


