ଚତୁର୍ବିଂଶତମ ଇଟିକିଲି ମିଟିକିଲି ଉତ୍ସବ ଆୟୋଜିତ

ଭୁବନେଶ୍ୱର , ( ଯୁଗାବ୍ଦ ନ୍ୟୁଜ) : ଶିଶୁମାନେ ଦେଶର ମେରୁଦଣ୍ଡ । ସେମାନଙ୍କ ବିକାଶ ପାଇଁ ସମାଜର ପ୍ରତ୍ୟେକ ବର୍ଗର ଲୋକେ ଆଗେଇ ଆସିବା ଦରକାର । ଗୋଟିଏ ସମାଜ ବା ଦେଶର ଉତ୍‍ଥାନ କ୍ଷେତ୍ରରେ ଯଦି ଶିଶୁମାନଙ୍କୁ କେନ୍ଦ୍ରବିନ୍ଦୁ ନ ଭାବିବା ତା’ହେଲେ ସେ ଦେଶ ବା ଜାତି କେବେ ହେଲେ ଆଗକୁ ଯିବ ନାହିଁ । ଏହାକୁ ଲକ୍ଷ୍ୟରେ ରଖି ପିଲାମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାର ବିକାଶ ପାଇଁ ସବୁପ୍ରକାର ସୁଯୋଗକୁ ମୁକୁଳା କରିବା ନିହାତି ଆବଶ୍ୟକ ବୋଲି ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ଶିଶୁ-ସାହିତ୍ୟ ଓ ଶିଶୁ-ପ୍ରତିଭାର ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ରାଜ୍ୟସ୍ତରୀୟ ଅନୁଷ୍ଠାନ ‘ଇଟିକିଲି ମିଟିକିଲି’ର ଚତୁର୍ବିଂଶ ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ପ୍ରଦାନ ପର୍ବରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ଏହି ବକ୍ତବ୍ୟ ରଖିଛନ୍ତି । ସର୍ବ ପ୍ରଥମେ କାର୍ଯ୍ୟକ୍ରମକୁ ଶିଶୁ-ପ୍ରତିଭାମାନେ ସମବେତ ଭାବରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଏହା ପରେ ଅନୁଷ୍ଠିତ ହୋଇଥିଲା ସୁଲଳିତ ସଙ୍ଗୀତର କାର୍ଯ୍ୟକ୍ରମ ସଙ୍ଗୀତ-ସୁରଭି ଯେଉଁଥିରେ  ଶିଶୁ-କଣ୍ଠଶିଳ୍ପୀମାନେ ମନଛୁଆଁ ସଙ୍ଗୀତ ପରିବେଷଣ କରିଥିଲେ । କଣ୍ଠସଙ୍ଗୀତ ପରେପରେ ବିବିଧ ନୃତ୍ୟର କାର୍ଯ୍ୟକ୍ରମ ରେ କେନ୍ଦୁଝର, ଆନନ୍ଦପୁରର ବୀଣାପାଣି କଳାନିକେତନର ଶିଶୁ-ନୃତ୍ୟଶିଳ୍ପୀମାନେ ଗୁରୁ ପାର୍ଥସାରଥୀ ଦାଶଙ୍କ ନିର୍ଦ୍ଦେଶନାରେ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରିଥିଲେ । ସଙ୍ଗୀତ-ସୁରଭି କାର୍ଯ୍ୟକ୍ରମକୁ ଶିଶୁ-ପ୍ରତିଭା ପ୍ରତିଜ୍ଞା ପ୍ରିୟଦର୍ଶିନୀ ପରିଡ଼ା ସଂଯୋଜନା କରିଥିବାବେଳେ, ନୃତ୍ୟ-ନିର୍ଝରକୁ ଶିଶୁ-ପ୍ରତିଭା ଶାଶ୍ୱତୀ ନାରାୟଣୀ ଆଚାର୍ଯ୍ୟ ସଂଯୋଜନା କରିଥିଲେ ।  ସାଂସ୍କୃତିକ କାର୍ଯ୍ୟକ୍ରମ ପରେପରେ ଇଟିକିଲି ମିଟିକିଲି ଉତ୍ସବ ଅବସରରେ ପୂର୍ବରୁ ଆୟୋଜିତ ଚିତ୍ରାଙ୍କନ, ଓଡ଼ିଆ କବିତା ଆବୃତ୍ତି, ଓଡ଼ିଆ ସମ୍ବାଦ ପଠନ, କଣ୍ଠ ସଂଗୀତ, ଓଡ଼ିଶୀ ନୃତ୍ୟ ଓ ପାରମ୍ପରିକ ସଂଗୀତ-ଭିତ୍ତିକ ନୃତ୍ୟ ଇତ୍ୟାଦି ରାଜ୍ୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର ୧୬୦ ଜଣ କୃତୀ ଶିଶୁ-ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସଭାପତି ଦାଶ ବେନହୁରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମୁମ୍ବାଇର ପୂର୍ବତନ ପୋଲିସ କମିସନର ଅରୂପ ପଟ୍ଟନାୟକ ଯୋଗଦେଇ ଇଟିକିଲି ମିଟିକିଲି ଦୀର୍ଘ ବର୍ଷ ହେଲା ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଏକ ବିରାଟ ସୁଯୋଗ ସୃଷ୍ଟି କରି ଆସୁଛି ବୋଲି ମତ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱରଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ପୂର୍ବତନ ମୁଖ୍ୟ ଆୟକର ଆୟୁକ୍ତ ଶରତ କୁମାର ଦାଶ, ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ପ୍ରଦୀପ
କୁମାର ବିଶ୍ୱାଳ, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ପୁରସ୍କାରପ୍ରଦାନ କରିଥିଲେ ।


 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ