ଚର୍ଚ୍ଚାରେ ଅଙ୍କରୋଡା ସରପଞ୍ଚଙ୍କ ସଭ୍ୟପଦ
ଦିଗପହଣ୍ଡି,(ଯୁଗାବ୍ଦ ନ୍ୟୁଜ) : ଦିଗପହଣ୍ଡି ବ୍ଳକ ଆଙ୍କରୋଡା ପଞ୍ଚାୟତ ସରପଞ୍ଚ ଉସାନ୍ତ ସାହୁଙ୍କ ସଭ୍ୟ ପଦକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହୋଇଛି । ଆୟ ବର୍ହିଃଭୁତ ସମ୍ପତ୍ତି ଠୁଳ ରଖିଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗତ ଜୁଲାଇ ୧୧ରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଭିଜିଲାନ୍ସ ବିଭାଗର ମିସ୍ କେସ୍ ପିଟିସନ୍ ଅନୁସାରେ ଜୁଲାଇ ୧୦ରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ସରପଞ୍ଚ ଉସାନ୍ତଙ୍କ ଘରେ ଛାପା ମାରିଥିଲା । ସମୁଦାୟ ୧ କୋଟି ୫୪ ଲକ୍ଷ ଟଙ୍କାର ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ରଖିଥିବା ସାବ୍ୟସ୍ତ ହେବା ପରେ ତାଙ୍କୁ ଗିରଫ କରିଥିଲା । ସେତେବେଳେ ଏକ ବେଆଇନ ବନ୍ଧୁକ ସମେତ ଜୀବନ୍ତ ଗୁଳି ମଧ୍ୟ ଉସାନ୍ତଙ୍କ ଘରୁ ଭିଜିଲାନ୍ସ ବିଭାଗ ଠାବ କରି ତଦନ୍ତ ନେଇ ଦିଗପହଣ୍ଡି ଥାନା ପୋଲିସକୁ ହସ୍ତାନ୍ତର କରିଥିଲା । ଦିଗପହଣ୍ଡି ଥାନା ପୋଲିସ ବେଆଇନ ବନ୍ଧୁକ ରଖିଥିବା ଅଭିଯୋଗରେ ଉସାନ୍ତଙ୍କ ପତ୍ନୀ ସୁକାନ୍ତୀ ସାହୁଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସେତେବେଳେ ଉସାନ୍ତଙ୍କୁ ଗିରଫ ପରେ ବ୍ରହ୍ମପୁର କୋର୍ଟକୁ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେତୁ ବ୍ରହ୍ମପୁର ମଣ୍ଡଳ କାରାଗରକୁ ପଠାଇଦିଆଯାଇଥିଲା । ଗୁରୁବାର ତାଙ୍କୁ ସର୍ତ୍ତ ମୂଳକ ଜାମିନ ମିଳିବା ପରେ ସେ ଏବେ ଜେଲରୁ ମୁକୁଲିଛନ୍ତି । ସୁଚନାଯୋଗ୍ୟ, ଜଣେ ସରକାରୀ କର୍ମଚାରୀଙ୍କର ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଛାପା ମାରି ସମ୍ପତ୍ତି ଆଖଳନ କରିବା ପରେ ଆୟରୁ ବର୍ହିଃଭୁତ ରହିଥିବା ଜଣାପଡିଲେ ତାଙ୍କ ବିରୋଧରେ ସମ୍ପୃକ୍ତ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । କାର୍ଯ୍ୟରୁ ମଧ୍ୟ ନିଲମ୍ବନ ଆଦେଶ ଆସୁଛି । ହେଲେ ଜଣେ ସରପଞ୍ଚଙ୍କର ସଭ୍ୟ ପଦ ଏଯାବତ୍ କାଏମ୍ ରହିଥିଲେ ହେଁ ସରକାରୀ ସ୍ରତରରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ଏକ ପ୍ରକାର ସନ୍ଦୀହାନ ଚକ୍ଷୁକୁ ନେଉଛି ବୋଲି ସମାଜସେବୀ ଅନନ୍ତ ମହାନ୍ତି ଏବଂ ବିଜୟ ମହାପାତ୍ର ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି । ସେହିପରି ବେଆଇନ ବନ୍ଧୁକ ଠାବ ଅଭିଯୋଗରେ ଦିଗପହଣ୍ଡି ଥାନା ପୋଲିସ କେଉଁ ପ୍ରକାର କାର୍ଯ୍ୟପନ୍ଥା ଅବଲମ୍ବନ କରିଛି ସେଥିନେଇ ମଧ୍ୟ ଗଣମାଧ୍ୟମରେ ସାର୍ବଜନୀନ କରିବା ପାଇଁ ଦାବୀ ହୋଇଛି ।


