ଚିକିତ୍ସା ଅବହେଳାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଚିକିତ୍ସା ଅବହେଳାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନୈକ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ମୃତକ ପରିବାର ପକ୍ଷରୁ ବୁଧବାର ଟାଉନ ଥାନାରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ଗ୍ରାମର ସୁକାନ୍ତ ମଳିକଙ୍କ ଗର୍ଭବତୀ ପତ୍ନୀ ଭାନୁମତି ମଳିକ(୨୩)ଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଗତ ସୋମବାର ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମହିଳା ଓ ପ୍ରସୁତି ବିଭାଗରେ ଭର୍ତ୍ତି କରାଯାଇଥିଲା । ସେତେବେଳେ ଦାୟୀତ୍ୱରେ ଥିବା ଡା.ପାଢୀ ଭାନୁମତିଙ୍କୁ ପରୀକ୍ଷାନିରୀକ୍ଷା କରିବା ପରେ କହିଥିଲେ ଯେ ଏବେ ସମୟ ହୋଇନି । ଭାନୁମତିଙ୍କର ଅଲଟ୍ରାସାଉଣ୍ଡ ଓ ରକ୍ତପରୀକ୍ଷା କରିବାକୁ ପ୍ରେସକିପସନ ଲେଖି ଦେଇଥିଲେ । ସନ୍ଧ୍ୟାରେ ରାତିରେ ଡା.ପାଢୀ କହିଲେ ଭାନୁମତିଙ୍କ ପେଟରେ ଥିବା ପିଲାଟି ନର୍ମାଲ କଣ୍ଡିସନରେ ନାହିଁ ତେଣୁ ସିଜରିଆନ କରିବାକୁ ପଡିବ । ରାତିରେ ଜଣେ ନର୍ସ ଆସି ଅଲଟ୍ରାସାଉଣ୍ଡ ଓ ରକ୍ତପରୀକ୍ଷା ରିପୋର୍ଟ ମାଗିନେଇଥିଲେ । ସେହି ରିପୋର୍ଟକୁ ଦେଖି ଡା.ପାଢୀ କହିଥିଲେ ଏବେ ସମୟ ହୋଇନାହିଁ,୨ମାସ ପରେ ପିଲା ଜନ୍ମ ହେବ । କିନ୍ତୁ ରକ୍ତରେ ହେମୋଗ୍ଲୋବିନ କମ ଥିବାରୁ ଭାନୁମତିକୁ ୨ଟି ରକ୍ତ ଦେଇ ଘରକୁ ନେଇଯାଅ । ଡାକ୍ତର ପାଢୀଙ୍କ ପରାମର୍ଶ ଅନୁଯାଇ ଭାନୁମତିଙ୍କୁ ଗୋଟିଏ ରକ୍ତ ଦିଆଯାଇଥିଲା । ସେହି ରକ୍ତଟି ସରିଗଲା ପରେ ନର୍ସଙ୍କୁ ଡକାଯାଇଥିଲେ ମଧ୍ୟ ରୋଗୀ ପାଖକୁ କେହି ଆସିନଥିଲେ । ପରେ ତା’ର ଯନ୍ତ୍ରଣା ଜୋର ହେବାରୁ ସମ୍ପର୍କୀୟମାନେ ନର୍ସ ଓ ଡାକ୍ତରଙ୍କୁ ବାରମ୍ବାର ଡାକିଥିଲେବି କେହି ଆସିନଥିଲେ । ବହୁ ବିଳମ୍ବରେ ଡା.ପାଢୀ ଆସି ରୋଗୀଙ୍କୁ ଦେଖି କହିଥିଲେ ଯେ ରୋଗୀର ଅବସ୍ଥା କ୍ରିଟିକାଲ ହୋଇଯାଇଛି ତାଙ୍କୁ ଅପରେସନ ଥେଟରକୁ ନେବାକୁ ପଡିବ । ଏହାପରେ ଭାନୁମତିଙ୍କୁ ଓଟିକୁ ନିଆଯାଇଥିଲା ଓ ଡା.ପାଢୀଙ୍କ ସହ ଡା.କର୍ଣ୍ଣ ନାୟକ ଓଟିକୁ ଯାଇଥିଲେ । ଭାନୁମତି ଓଟିକୁ ଯିବାର ୧୫ମିନିଟ ପରେ ଡା.ପାଢୀ ଓଟିରୁ ବାହାରି ଭାନୁମତିଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଅଭିଯୋଗ ହୋଇଛି । ଚିକିତ୍ସା ଅବହେଳା ଯୋଗୁଁ ଭାନୁମତିର ମୃତ୍ୟୁ ହୋଇଛି ବୋଲି ତାଙ୍କ ସ୍ୱାମୀ ଶୁକାନ୍ତ ମଳିକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ଖବର ପାଇ ସୁକାନ୍ତଙ୍କ ଗ୍ରାମ ଓ ଗ୍ରାମ ଆଖପାଖରୁ ରଶ୍ମିରଞ୍ଜନ ମଳିକ,ପ୍ରଭାତ ମଳିକ,ପୂର୍ବତନ ବ୍ଲକ ଅଧ୍ୟକ୍ଷ କଳାକାର ମଳିକ,ସୁଶାନ୍ତ ମଳିକ,ସୁନାକର ମଳିକ,କୈଳାସ ମଳିକ,ସୈାମ୍ୟରଞ୍ଜନ ମଳିକ ଓ ରତ୍ନାକର ମଳିକ ପ୍ରମୁଖ ଡାକ୍ତରଖାନାରେ ପହଁଚି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉର୍ମିଳା ମିଶ୍ରଙ୍କୁ ଭେଟି ଅଭିଯୋଗ କରିଥିଲେ ବି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି । ଟାଉନ ଥାନାରେ ସୁକାନ୍ତଙ୍କ ଅଭିଯୋଗ ଉପରେ କୈାଣସି ମାମଲା ରୁଜୁ କରାଯାଇନଥିବା ବେଳେ ନିକିରାଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଭାନୁମତିଙ୍କ ଶବକୁ ବ୍ୟବଛେଦ କରାଯାଇ ତାଙ୍କ ସ୍ୱାମୀଙ୍କୁ ହସ୍ତାନ୍ତର କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୂର୍ବରୁ ବାରମ୍ବାର ଏଭଳି ଅଭିଯୋଗ ହୋଇଆସୁଥିଲେ ବି କୈାଣସି ପଦକ୍ଷେପ ନିଆନଯିବା ଯୋଗୁ ଏଭଳି ପରିସ୍ଥିତିର ପୁନରାବୃତ୍ତି ହେଉଥିବା ଅଭିଯୋଗ ହୋଇଛି ।


