ଛତାବଟ ବାଳିକା ଉଚ୍ଚ ବିଦ୍ୟାଳୟ ଡେରାବିଶି ଉଚ୍ଚ ବିଦ୍ୟାଳୟରେ ମିଶ୍ରଣ ପ୍ରତିବାଦରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଛତାବଟ ବାଳିକା ଉଚ୍ଚ ବିଦ୍ୟାଳୟର ଅଭିଭାବକ ଓ ସ୍ଥାନୀୟ ଗ୍ରାମବାସୀମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ଦୀର୍ଘ ୩୯ବର୍ଷ ତଳେ ଅକ୍ଳାନ୍ତ ପରିଶ୍ରମ କରି ଏହି ବାଳିକା ବିଦ୍ୟାଳୟକୁ ପ୍ରତିଷ୍ଠା କରିଥିଲେ । ଏହି ବିଦ୍ୟାଳୟରେ ସ୍ଥାନୀୟ ଅଚଂଳର ୧୨ଟି ଗ୍ରାମର ବାଳିକାମାନେ ଶିକ୍ଷାଲାଭ କରୁଥିଲେ । ଏହି ବିଦ୍ୟାଳୟରୁ ଅଷ୍ଟମ ଶ୍ରେଣୀ ଉଠିଯିବା ପରେ ଛାତ୍ରୀସଂଖ୍ୟା କମିଯିବାର ଆଶଙ୍କା କରି ଅଭିଭାବକ ଓ ଗ୍ରାମବାସୀମାନେ ସେହି ବିଦ୍ୟାଳୟକୁ ଏକ ସହଶିକ୍ଷା କେନ୍ଦ୍ରରେ ପରିଣତ କରିବା ପାଇଁ ଦୀର୍ଘଦିନ ଧରି ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ଦୈାଡି ଦୈାଡି ବାରମ୍ବାର ଅନୁରୋଧ କରି ନୟାନ୍ତ ହେଲେଣୀ । ସେମାନଙ୍କ ନିବେଦନକୁ ତିଳେମାତ୍ର ଧ୍ୟାନ ଦିଆଯାଇନଥିବା ବେଳେ ଏହାମଧ୍ୟରେ ସେହି ବାଳିକା ଉଚ୍ଚ ବିଦ୍ୟାଳୟକୁ ସେହିଗ୍ରାମରୁ ୪କିଲୋମିଟର ଦୂର ଡେରାବିଶି ଉଚ୍ଚ ବିଦ୍ୟାଳୟରେ ମିଶ୍ରଣ ପାଇଁ ସରକାରୀ ନିର୍ଦେଶନାମା ପ୍ରକାଶ ପାଇଛି । ସେହି ବିଦ୍ୟାଳୟ ପରିସର ମଧ୍ୟରେ ପ୍ରଥମରୁ ୫ମ ପର୍ଯ୍ୟନ୍ତ ଏକ ପ୍ରାଥମିକ ବିଦ୍ୟାଳୟ ଓ ଏକ ଅଙ୍ଗନୱାଡି କେନ୍ଦ୍ର ଚାଲୁଥିବା ବେଳେ ଏବଂ ସେହି ବିଦ୍ୟାଳୟରୁ ମାତ୍ର ସାତଶହ ମିଟର ଦୂରରେ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ଥିବା ଅନ୍ୟ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବସ୍ଥିତ ଥିବା ସତ୍ୱେ ଉଦେଶ୍ୟ ମୂଳକ ଭାବେ ସେଠାରେ ଥିବା ଏକମାତ୍ର ବାଳିକା ଉଚ୍ଚ ବିଦ୍ୟାଳୟକୁ ୪କିଲୋମିଟର ଦୂରରେ ଥିବା ଡେରାବିଶି ଉଚ୍ଚ ବିଦ୍ୟାଳୟରେ ମିଶ୍ରଣ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେହି ଗ୍ରାମରୁ ବିପଦଶଙ୍କୁଳ ମୁଖ୍ୟରାସ୍ତା ଦେଇ ଛୋଟ ଝିଅମାନେ ୪କିମି ଦୂର ଡେରାବିଶି ଉଚ୍ଚ ବିଦ୍ୟାଳୟକୁ ଯିବା ଅସମ୍ଭବ ହୋଇପଡିଥିବା ବେଳେ ବାଳିକାଙ୍କ ଶିକ୍ଷାକୁ ଗୁରୁତ୍ୱ ପ୍ରଦାନ କରୁଥିବା ସରକାର ଶେଷରେ ସେହି ବିଦ୍ୟାଳୟର ବାଳିକାମାନଙ୍କ ପାଠରେ ଡୋରୀ ବାନ୍ଧିବାକୁ ଯୋଜନା ପ୍ରସ୍ତୁତ କରିଦେଇଥିବା ଅଭିଯୋଗ ହୋଇଛି । ୧୦ତାରିଖରୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲପ ଆରମ୍ଭ ହେଉଥିବା ବେଳେ ପିଲାମାନେ ଏତେଦୂର ଯାଇ ସେହି ବିଦ୍ୟାଳୟରେ ଅଧ୍ୟୟନ କରିବାକୁ ମାନସିକ ଭାବରେ ପ୍ରସ୍ତୁତି ହେବା ସମ୍ଭବ ହୋଇପାରୁନି । ତେଣୁ ସେହି ବାଳିକା ଉଚ୍ଚ ବିଦ୍ୟାଳୟ ମିଶ୍ରଣ ଯୋଜନାର ପୁନଃ ବିଚାର କରିବାକୁ ଅଭିଭାବକ ଓ ଗ୍ରାମବାସୀମାନଙ୍କ ପକ୍ଷରୁ ତୃପ୍ତି ଦାସ, ରୀନାରାଣୀ ମଳିକ, ଦିବ୍ୟ ଭାରତୀ ସାହୁ, ମମତା ମଳିକ, ଜାନକୀଲତା ସାହୁ, ନିରାକାର ଜେନା, ମୀର୍ଜା ଆନସାରୀ ବେଗ, ତ୍ରିଲୋଚନ ପ୍ରଧାନ, ପ୍ରମୋଦ କୁମାର ବେହୁରା ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ