ଛତ୍ରପୁର ଏବଂ ଆଖପାଖ ଅଂଚଳରେ ବାହୁଡା ଯାତ୍ରା
ଛତ୍ରପୁର, (ଦେବଦତ୍ତ ମହାରଣା) :-ଆଜି ବାହୁଡା ଯାତ୍ରା । ନିଜ ଜନ୍ମ ବେଦୀରୁ ମନ୍ଦିର କୁ ଫେରିବେ ମହାବାହୁ । ଏହି ବାହୁଡା ଯାତ୍ରା ସବୁଆଡେ ପାଳନ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ସମେତ ଆଖପାଖ ଅଂଚଳରେ ମହା ଆଡମ୍ଭର ସହକାରେ ପାଳନ ହୋଇଯାଇଛି । ଛତ୍ରପୁର ସହରର ତାଡେପଲ୍ଲୀ ସାହି ସ୍ଥିତ ଜଗନ୍ନାଥ ମନ୍ଦିର, ଦାସିରି ଜଗନ୍ନାଥ ମନ୍ଦିର, ଅପର ବସଷ୍ଟାଣ୍ଡ ସ୍ଥିତ ଜଗନ୍ନାଥ ମନ୍ଦିର, ଛତ୍ରପୁର ବ୍ଲକର ଟାଙ୍ଗଣାପଲ୍ଲୀ, ନରେନ୍ଦ୍ରପୁର, ବିପୁଳିଙ୍ଗୀ ବିରିସିଂହୀ ସ୍ଥିତ ଜଗନ୍ନାଥ ମନ୍ଦିର ଆଦି ସ୍ଥାନରେ ଏହି ବାହୁଡା ଯାତ୍ରା ପାଳନ ହୋଇଯାଇଛି । ଛତ୍ରପୁର ତାଡେପଲ୍ଲୀ ସାହି ସ୍ଥିତ ଜଗନ୍ନାଥ ମନ୍ଦିରର ରଥ ମଝି ବଜାର ସ୍ଥିତ ଆଡପ ମଣ୍ଡପରୁ ବାହାରି ସଂନ୍ଧ୍ୟାରେ ତାଡେପଲ୍ଲୀ ସାହି ଜଗନ୍ନାଥ ମନ୍ଦିର ରେ ପହଂଚିଥିଲା । ପୂର୍ବାହ୍ନ ୧୧ ଟାରେ ଶ୍ରୀ ଜିଉଙ୍କୁ ପହଣ୍ଡି କରାଯାଇ ରଥ ଉପରେ ଉପବେସନ କରାଯାଇଥିଲା । ପରେ ଅପରାହ୍ନ ୩ ଟାରେ ଛତ୍ରପୁର ଏବଂ ଆଖପାଖ ଅଂଚଳର ବହୁ ଶ୍ରଦ୍ଧାଳୁ ମାନେ ଆସି ରଥ କୁ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣକୁ ଆଣିଥିଲେ । ରଥ ଉପରେ ଶ୍ରୀ ଜିଉଙ୍କୁ ଦର୍ଶନ କରିବା ପାଇଁ ବହୁ ଶ୍ରଦ୍ଧାଳୁ ଛତ୍ରପୁର ସହରରେ ଭିଡ ଜମାଇଥିଲେ । ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ଛତ୍ରପୁର ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି ।


