ଦୋ ଫସଲି ଚାଷର ସୁବିଧା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ଛତ୍ରପୁର, (ଦେବଦତ୍ତ ମହାରଣା) :-ଋଷିକୁଲ୍ୟା ନଦୀକୁ ଚିରସ୍ରୋତା କରି ଜିଲ୍ଲାରେ ଦୋ ଫସଲି ଚାଷର ସୁବିଧା କରିବା ନିମନ୍ତେ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କକ୍ଷ ଠାରେ ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିଲେ ସୁଦ୍ଧା ମାତ୍ର ୪୦ ଭାଗ ଜମିକୁ ଜଳସେଚନର ସୁବିଧା ରହିଛି । ରବି ଫସଲ ମାତ୍ର ୧୦ ଭାଗ ଜମିରେ ହିଁ ହୋଇପାରୁଛି । ଫଳରେ ବର୍ଷାଦିନେ କେବଳ ଧାନ ଚାଷ ହୋଇଥିବା ବେଳେ ଖରାଦିନେ ଅଳ୍ପ ଜମିରେ ପାଣି ଅଭାବରୁ ରବି ଫସଲ ଖରାଟିଆ ଚାଷ ହୋଇଥାଏ, ଏଣୁ ଜିଲ୍ଲାରେ ଦୋ ଫସଲି ଚାଷ ହୋଇପାରୁନାହିଁ । ଏଣୁ ଛୋଟ ଚାଷୀ, କୃଷି ଶ୍ରମିକ ମାନେ ୬ ମାସ ଗ୍ରାମରେ ରହି ଚାଷ କାମ କରୁଥିବା ବେଳେ ଆଉ ୬ ମାସ କାମ ଧନ୍ଦା ନ ପାଇ ପ୍ରାୟ ୫ ଲକ୍ଷ ରୁ ଅଧିକ କୃଷିଜିବୀ ମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଜିଲ୍ଲାରେ ୧୦୦୦ ରୁ ଉର୍ଦ୍ଧ୍ୱ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଥିବା ବେଳେ ସେଥିରୁ ଅଧିକାଂଶ ପ୍ରକଳ୍ପ ରକ୍ଷଣାବେକ୍ଷଣ ଅଭାବରୁ ପୋତି ହୋଇ ଗଲାଣି । ଫଳରେ ଦିନକୁ ଦିନ ଧାନ ଚାଷ ମଧ୍ୟ କମି ଗଲାଣି । ଜିଲ୍ଲାରେ ଦୋ ଫସଲ ଚାଷ ହୋଇପାରୁନଥିବାରୁ ଚାଷରେ ଲାଭ ହେଉନଥିବାରୁ ଚାଷ ପ୍ରତି ବିମୁଖ ହୋଇ ଚାଷୀ ମାନେ ଚାଷ କାମ ଛାଡୁଛନ୍ତି, ଫଳରେ ଜମି ପଡିଆ ରହୁଛି । ଏଣୁ ଋଷିକୁଲ୍ୟା ନଦୀକୁ ଚିରସ୍ରୋତା କରି ଜିଲ୍ଲାର ସମସ୍ତ ଚାଷ ଜମିକୁ ଜଳସେଚନ ସୁବିଧା କରି ଦୋ ଫସଲି ଚାଷ କରି ଚାଷୀଙ୍କ ଆର୍ଥିକ ବିକାଶ କରିବା ନିମନ୍ତେ ଋଷିକୁଲ୍ୟା ଉନ୍ନୟନ ପରିଷଦ ଗଠନ କରିବା ପାଇଁ ଦାବି ଜଣାଇଛନ୍ତି । ଯାହା ଫଳରେ ଗଞ୍ଜାମ ଜିଲ୍ଲାରେ ସବୁବେଳେ ଚାଷ ହୋଇପାରିବ, ଚାଷୀର ଆୟ ପ୍ରକୃତରେ ଦୁଇ ଗୁଣା ହୋଇପାରିବ । କୃଷକ ମାନେ ଓ କୃଷି ଶ୍ରମିକ ଦାଦନ ଯିବେ ନାହିଁ । ଗ୍ରାମରେ କାମ ପାଇ ଭଲରେ ରହିପାରିବେ । ସବୁ ଜମିକୁ ସବୁବେଳେ ଜଳସେଚନର ସୁବିଧା କରିବା ସଙ୍ଗେ ସଙ୍ଗେ ସରକାର ବିକ୍ରିବଟାର ସୁବିଧା କଲେ ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କର ପ୍ରକୃତ ବିକାଶ ହୋଇପାରିବ ବୋଲି ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଂଚଳ ନାହାକ ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି ।


