ଛେନାପଦି ବଜାରରେ ରାସ୍ତାକଡ଼ରେ ଜମୁଛି ବର୍ଷାଜଳ

ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ଛେନାପଦି ବଜାରରେ ବର୍ଷା ହେଲେ ରାସ୍ତାକଡ଼ରେ ବର୍ଷାଜଳ ଜମି ରହୁଥିବାରୁ ସ୍ଥାନୀୟ ଲୋକ ଓ ବ୍ୟବସାୟୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବଜାର ରାସ୍ତାର ଉଭୟ ପାର୍ଶ୍ୱରେ ଛୋଟିଆ ଡ୍ରେନ୍‌ ବ୍ୟବସ୍ଥା ଥିଲେ ମଧ୍ୟ ସେଥିରେ ଜଳ ନିଷ୍କାସନ ଠିକ ଭାବେ ହୋଇ ପାରୁନି। ଦୀର୍ଘଦିନ ଧରି କେତେକ ସ୍ଥାନରେ ଡ୍ରେନ୍‌ଗୁଡ଼ିକ ପୋତି ହୋଇପଡ଼ିଥିବାରୁ ବର୍ଷାଜଳ ଜମି ରହି ପୁତିଗନ୍ଧମୟ ପରିସ୍ଥିତି ସୃଷ୍ଟି କରୁଛି।  ଫଳରେ ରାସ୍ତାକଡ଼ରେ ପାଣି ଜମି ରହିବା ସହ ବିଭିନ୍ନ ସ୍ଥାନରେ କାଦୁଅ ଓ ଆବର୍ଜନା ଜମି ରହୁଛି। ବଜାରର ଦୋକାନଗୁଡ଼ିକୁ ଯିବା ପାଇଁ ଗ୍ରାହକ ଓ ସ୍ଥାନୀୟ ଲୋକଙ୍କୁ ଜମିଥିବା ପାଣି ମଧ୍ୟରେ ପଶି ଯିବାକୁ ପଡ଼ୁଛି। ଏହାର ପ୍ରଭାବ ଦୋକାନୀମାନଙ୍କ ବ୍ୟବସାୟ ଉପରେ ମଧ୍ୟ ପଡ଼ୁଥିବା ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି । ସେହିପରି ଛେନାପଦି ବଜାରର ମୁଖ୍ୟସ୍ଥଳର ହଦଗଡ଼ ରାସ୍ତା ମୁଣ୍ଡରେ ପୋଖରୀ ସଦୃଶ ଖାଲ ହୋଇ ପାଣି ଜମୁଛି। ଫଳରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ଅନେକ କ୍ଷୟ କ୍ଷତି ଘଟୁଛି। ଅନ୍ୟପକ୍ଷରେ, ରାସ୍ତାରେ ଯାନବାହନ ଚଳାଚଳ ସମୟରେ ଜମିଥିବା ପାଣି ଛିଟିକି ରାସ୍ତାକଡ଼ରେ ଯାତାୟାତ କରୁଥିବା ଲୋକଙ୍କ ଉପରେ ପଡ଼ୁଛି। ଦୀର୍ଘ ସମୟ ଧରି ପାଣି ଜମି ରହୁଥିବାରୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ମଶା ଓ ଅନ୍ୟାନ୍ୟ ପୋକଜନ୍ତୁଙ୍କ ଉପଦ୍ରବ ବଢ଼ିବାର ଆଶଙ୍କା ରହିଛି। ସ୍ଥାନୀୟ ଲୋକେ ପୋତି ହୋଇପଡ଼ିଥିବା ଡ୍ରେନ୍‌ଗୁଡ଼ିକୁ ତୁରନ୍ତ ସଫା କରିବା, ଆବର୍ଜନା ହଟାଇବା ସହ ବର୍ଷାଜଳର ସୁଚାରୁ ନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ସମ୍ପୃକ୍ତ ବିଭାଗ ନିକଟରେ ଦାବି କରିଛନ୍ତି। ଏହି ସମସ୍ୟାର ଶୀଘ୍ର ସମାଧାନ କରାଗଲେ ବର୍ଷାଦିନରେ ଛେନାପଦି ବଜାରର ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ଦୂର ହୋଇପାରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ