୪୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ରାଜସ୍ୱ ଅଧିକାରୀ
କଟକ, (: ଲାଞ୍ଚ ନେଲାବେଳେ ହାତେ ହାତେ ଧରାପଡ଼ିଲେ ବାବୁ । ଭିଜିଲାନ୍ସ ଜାଲରେ ଫସିଛନ୍ତି ଯାଜପୁରର ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ । ଜମି କିଣା ବିକା ପାଇଁ ମାଗୁଥିଲେ ଲାଞ୍ଚ।ଅନୁସୂଚିତ ଜାତି ବର୍ଗର ଜମି କିଣାବିକା ପାଇଁ ଅନୁମତି ଦେବା ବଦଳରେ ଲାଞ୍ଚ ନେଉଥିବା ଜଣେ କର୍ମଚାରୀଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି । ଯାଜପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ପ୍ରଶାନ୍ତ କୁମାର ସାହାଣୀଙ୍କ ନାମ ଏଥିରେ ସାମନା କୁ ଆସିଛି । ନିୟମ ଅନୁସାରେ, ଅନୁସୂଚିତ ଜାତି କିମ୍ବା ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କଠାରୁ ଜମି କିଣିବାକୁ ହେଲେ ପ୍ରାଶାସନିକ ଅନୁମତି ନେବାକୁ ପଡ଼ିଥାଏ । ଏହି ଅନୁମତି ପ୍ରଦାନ ପାଇଁ ଅଭିଯୋଗକାରୀଙ୍କଠାରୁ ଅର୍ଥ ଦାବି କରାଯାଇଥିଲା । ପ୍ରଥମେ ଅଭିଯୋଗକାରୀଙ୍କ ଠାରୁ ୪୮ହଜାର ଟଙ୍କା ଦାବି କରାଯାଇଥିଲା । ଅଭିଯୋଗକାରୀ ଏତେ ଟଙ୍କା ଦେବାକୁ ଅସମର୍ଥ ହେବାରୁ ଡିଲ୍ ୪୦ହଜାର ଟଙ୍କାରେ ସ୍ଥିର ହୋଇଥିଲା । ଯୋଜନା ମୁତାବକ, ଯାଜପୁର ସବ୍-କଲେକ୍ଟର ଅଫିସ ଭିତରେ ହିଁ ଅଭିଯୋଗକାରୀଙ୍କଠାରୁ ୪୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା । ଗିରଫ ହେବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅଭିଯୁକ୍ତଙ୍କ ବିଭିନ୍ନ ଠିକଣାରେ ଆୟ ବହିର୍ଭୂତ ସମ୍ପତ୍ତି ନେଇ ତନାଘନା ଓ ଚଢ଼ାଉ ଜାରି ରହିଛି ।


