ସୁଜିତ ରାଉଳ ନିଲମ୍ବିତ
କଟକ, (ଓ୍ବାଇଏନଏସ): ୪୮ ଘଣ୍ଟାରୁ ଅଧିକ ସମୟ ଜୁଡିସିଆଲ୍ କଷ୍ଟଡିରେ ରହିଥିବାରୁ ଚୌଦ୍ୱାର ସର୍କଲ୍ ଜେଲ୍ର ସିନିୟର ସୁପରିଟେଣ୍ଡେଣ୍ଟ ସୁଜିତ କୁମାର ରାଉଳଙ୍କୁ ଓଡ଼ିଶା ସରକାର ନିଲମ୍ବିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ନିଲମ୍ବନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଚୌଦ୍ୱାର ସର୍କଲ୍ ଜେଲ୍ରେ ଗତବର୍ଷ ଘଟିଥିବା ଦୁଇ ଅଣ୍ଡରଟ୍ରାଏଲ୍ କଏଦୀଙ୍କ ଫେରାର ଘଟଣା ସହ ଜଡ଼ିତ ଏକ ମାମଲାରେ ରାଉଳଙ୍କୁ ଗିରଫ କରାଯାଇଥିଲା। ଜେଲ୍ର ମିନିଟ୍ ବୁକ୍ ଓ ଅନ୍ୟାନ୍ୟ ରେକର୍ଡରେ ହେରଫେର ସହ ପୂର୍ବତନ ଜେଲରଙ୍କ ଦସ୍ତଖତ ଜାଲିଆତି ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ରହିଛି। ଏହି ମାମଲାରେ ଚୌଦ୍ୱାର ଜେଲ୍ର ପୂର୍ବତନ ଜେଲର ସନ୍ତୋଷିନୀ ଦାଶ ଅଭିଯୋଗ କରିଥିଲେ। ୨୦୨୫ ଅକ୍ଟୋବର ୨ରେ ଦୁଇ ଅଣ୍ଡରଟ୍ରାଏଲ୍ କଏଦୀ ଜେଲ୍ରୁ ଫେରାର ହେବା ପରେ ଜେଲ୍ ରେକର୍ଡରେ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ରାଉଳ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ପୂର୍ବତନ ଜେଲରଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିଲେ। ଅଗଷ୍ଟ ୨୯ରେ ଓଡ଼ିଶା ହାଇକୋର୍ଟ ରାଉଳଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ। ସରକାରୀ ସେବା ନିୟମ ଅନୁସାରେ ୪୮ ଘଣ୍ଟାରୁ ଅଧିକ ସମୟ ଜେଲ୍ କିମ୍ବା କଷ୍ଟଡିରେ ରହିଲେ ସରକାରୀ କର୍ମଚାରୀଙ୍କୁ ନିଲମ୍ବନ କରାଯାଇପାରେ। ଏହି ଆଧାରରେ ରାଉଳଙ୍କ ବିରୋଧରେ ନିଲମ୍ବନ ପଦକ୍ଷେପ ନିଆଯାଇଛି।ମାମଲାର ଆଇନଗତ ଓ ବିଭାଗୀୟ ପ୍ରକ୍ରିୟା ଜାରି ରହିବ।


