ଜନସମର୍ଥନ ପାଇଁ କଂଗ୍ରେସର ଉଦ୍ୟମ : ବାଲେଶ୍ୱରରେ ନବ ସଂକଳ୍ପ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) :-ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଜିଲା କଂଗ୍ରେସ କମିଟି ପକ୍ଷରୁ ନବ ସଂକଳ୍ପ ଶିବିର ରବିବାର ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ସଭାପତି ସଞ୍ଜୀବ ଗିରି ପୌରୋହିତ୍ୟ କରିଥିଲେ । କଂଗ୍ରେସର ବାଲେଶ୍ୱର ଜିଲା ପର୍ଯ୍ୟବେକ୍ଷକ ତଥା ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । କଂଗ୍ରେସକୁ ରାଜସ୍ଥାନ ଢାଞ୍ଚରେ ପୁନଃ ସଶକ୍ତ ତଥା ଦୃଢ଼ ସଙ୍ଗଠନ ପାଇଁ ଏହି ନବ ସଂକଳ୍ପ ଅଭିଯାନ ଅତ୍ୟନ୍ତ ଉପାଦେୟ ହେବ ବୋଲି ସେ କହିଥିଲେ । ବିଶେଷ କରି କଂଗ୍ରେସ କର୍ମୀଙ୍କ ମଧ୍ୟରେ ଅତ୍ମବିଶ୍ୱାସ ବୃଦ୍ଧି ସହ ସାମ୍ପ୍ରତିକ ତ୍ରୁଟିପୂର୍ଣ୍ଣ ଶାସନ ବ୍ୟବସ୍ଥା ବିରୋଧରେ ଜନମତ ସୃଷ୍ଟି ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ବାଲେଶ୍ୱର ସଂସଦୀୟ କ୍ଷେତ୍ର ନେତା ନବଜ୍ୟୋତି ପଟ୍ଟନାୟକ, ନୀଳଗିରି ରାଜମାତା ମନୋଜ ମଞ୍ଜରୀ ଦେବୀ, ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠିର ଜେନା, ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ, ପିସିସି ମୁଖପାତ୍ର ସୁଦର୍ଶନ ଦାସ, ଭୋଗରାଇ ନେତା ସତ୍ୟଶିବ ଦାସ, ବସ୍ତା ନେତା ବିଜନ କୁମାର ନାୟକ, ଅର୍ଚ୍ଚନା ନନ୍ଦୀ, ପ୍ରଜ୍ଞାପାର ମିତା ବିଶ୍ୱାଳ ପ୍ରମୁଖ ଯୋଗଦେଇ କଂଗ୍ରେସ କର୍ମୀଙ୍କୁ ଏକ ନୂଆ ଉନ୍ମାଦନାରେ ସକ୍ରିୟ କରିବା ସହ ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ । କଂଗ୍ରେସର ଏହି ନୂତନ ସାଂଗଠନିକ ଧାରା ଆଗାମୀ ଦିନରେ କେବଳ ଓଡ଼ିଶା ନୁହେଁ ବରଂ ଦେଶର ଶାସନ କ୍ଷମତା ହାତକୁ ନେବ ବୋଲି ସେମାନେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରଙ୍କ ମଧ୍ୟରେ କୌଣସି କୌଣସି ପାର୍ଥକ୍ୟ ଥିବା ବେଳେ ଉଭୟ ସରକାରଙ୍କ ନୀତି ଓ ନିଷ୍ପତ୍ତି ସର୍ବଦା ଜନ ବିରୋଧୀ ଭାବେ ପ୍ରମାଣିତ ହୋଇ ଆସିଛି । କଂଗ୍ରେସର ଏହି ନବ ସଂକଳ୍ପ ଅଭିଯାନ ଉଭୟ ସରକାରଙ୍କୁ ପରାହତ କରିବା ସହ ଦେଶ ତଥା ରାଜ୍ୟର ଆର୍ଥୀକ ସଂସ୍କାର ଆଣିବା, ବେକାରୀ ସମସ୍ୟା ଦୂର ସାଙ୍ଗକୁ ବିକାଶର ଧାରାକୁ ଶୀର୍ଷରେ ପହଞ୍ଚାଇବ ବୋଲି କଂଗ୍ରେସ ନେତାମାନେ ଆଶା ପ୍ରକାଶ କରିଥିଲେ । ବିଶେଷ କରି ସବୁବର୍ଗଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି ଓ ନାକରିକ ଅଧିକାର ସୁରକ୍ଷାରେ ଏହି ନବ ସଂକଳ୍ପ ନିଶ୍ଚିତ ଭାବେ ଉପାଦେୟ ସାବ୍ୟସ୍ତ ହେବ ବୋଲି ସେମାନେ କହିଥିଲେ । ଏହି ଅବସରରେ ଉପସ୍ଥିତ ନେତା କର୍ମୀମାନେ ସଂକଳ୍ପ ନେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ସଦସ୍ୟ ବାବାଜୀ ଦେହୁରୀ, ସନ୍ତୋଷ ଜେନା, ବିକାଶ ଦାସ, ମୁରଲୀ ପାଢ଼ୀ, ସବିତା ସାହୁ, ଅରୁଣ ଦାସ, ଜୟକୃଷ୍ଣ ବେହେରା, ଶ୍ରୀକାନ୍ତ ଘଡ଼େଇ, ରଞ୍ଜିତା ନାୟକ, ଜଗନ୍ନାଥ ବିଶ୍ୱାଳ, ଗୋପୀନାଥ ପାଢ଼ୀ, ତରୁଣ ଦାସ, ଜିଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ ପ୍ରମୁଖ ଏଥିରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲାର ସମସ୍ତ ବ୍ଲକରୁ ଆଗଧାଡିର ନେତା ଓ ଛାମୁଆ କର୍ମୀମାନେ ଏହି ଶିବିରରେ ଯୋଗ ଦେଇଥିଲେ ।


