ଜରାଜୀର୍ଣ୍ଣ ଅବସ୍ଥାରେ ନିମିନା ରାସ୍ତା, ପ୍ରଶାସନ ନୀରବଦ୍ରଷ୍ଟା

କୋଦଳା, (ଯୁଗାବ୍ଦ ନ୍ୟୁଜ) : ଗ୍ରାମାଞ୍ଚଳରେ ଗମନାଗମନ ଓ ଭିତ୍ତିଭୂମି ବିକାଶ ପାଇଁ ପାଇଁ ସରକାର ପକ୍କା ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଅର୍ଥ ବରାଦ କରୁଥିବା ବେଳେ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କେ ବରିଡ଼ା ପଞ୍ଚାୟତ ନିମିନା ନୂଆଁସାହିକୁ ଖଣ୍ଡିଏ ପକ୍କା ରାସ୍ତା ନାହିଁ। ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ବ ଧରି ଏଠାରେ ପାଖାପାଖି ୧୦୦ ପରିବାର ବସବାସ କରୁଛନ୍ତି। କିନ୍ତୁ ଏଯାବତ ଉକ୍ତ ସାହିକୁ ଯିବାକୁ କାଦ ପଚପଚ୍ ମାଟି ରାସ୍ତାରେ ଯିବାକୁ ପଡୁଛି। ବର୍ଷା ହେଲେ କାଦୁଅ ପାଣିରେ ଯିବା ଆସିବା କଷ୍ଟକର ହୋଇ ପଡୁଛି। ସ୍କୁଲ ଯିବା ଆସିବା ପାଇଁ ଛାତ୍ରଛାତ୍ରୀ ମାନେ ହଇରାଣ ହରକତ ହେଉଥିବା ବେଳେ ଜରୁରୀ ସମୟରେ ଆମ୍ବୁଲାନ୍ସ ଆସିବାକୁ ମଧ୍ୟ ଅନିଛା ପ୍ରକାଶ କରୁଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏ ସମସ୍ଯାକୁ ନେଇ ବ୍ଲକ ଓ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହି। ରାସ୍ତା ଉପରେ ବେଳେବେଳେ ମୋରମ ବିଛାଇ ଦେଇ ଚୁପ ବସୁଛି ପ୍ରଶାସନ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରତି ଦଳର ନେତାମାନେ ଆସି ଲୋକଙ୍କ ସମସ୍ଯା ବୁଝିଥିଲେ। ସାହି ବାସିନ୍ଦା ଯିବା ଆସିବା ପାଇଁ ଏକ ନିତିଦିନିଆ ପକ୍କା ରାସ୍ତା ନିର୍ମାଣ ପାଇଁ କହିଥିଲେ। ତେବେ ନିର୍ବାଚନ ପରେ କୌଣସି ନେତାଙ୍କ ପାଦ ପଡି ନଥିବା କହିଛନ୍ତି ସାହି ବାସିନ୍ଦା। ଗମନାଗମନ ପରି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବାରୁ ଗ୍ରାମବାସୀଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ପକ୍କା ରାସ୍ତା ନିର୍ମାଣ ଏହି ସାହି ବାସିନ୍ଦାଙ୍କ ପାଇଁ ସ୍ବପ୍ନ ପାଲଟିଥିବା ବେଳେ ଆଗାମୀ ଦିନରେ ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ଧାରଣା ଦେବା ପାଇଁ ଚେତାବନୀ ଦେଇଛନ୍ତି ନିମିନା ନୂଆଁସାହିବାସୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ