ଜଳିଗଲା ଡ଼ାଲି ବୋଝେଇ ଟ୍ରକ୍
ବଲାଙ୍ଗିର,(ସୁଜିତ କୁମାର ମେହେର): ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାର ଅଳ୍ପ କିଛି ଦୂରରେ ସମ୍ପୂର୍ଣ୍ଣ ଭାବେ ଜଳିଗଲା ଏକ ମାଲ ବୋଝେଇ ଟ୍ରକ । ବଲାଙ୍ଗିର – ବରଗଡ ୨୬ ନମ୍ବର ଜାତୀୟ ରାଜପଥର ଖମାରମୁଣ୍ଡା – ଜାମସର ଛକ ନିକଟରେ ରାସ୍ତା ଉପରେ ଏକ ଟ୍ରକରେ ନିଆଁ ଲାଗି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ଏହି ଦୁର୍ଘଟଣାରେ ବଲାଙ୍ଗିରରୁ ବରଗଡ଼ ଅଭିମୁଖେ ଯାଉଥିବା ଦୁଇ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତିଯାଇଛନ୍ତି । ଆହତ ହୋଇଥିବା ଦୁଇଜଣ ଯାତ୍ରୀ ବଲାଙ୍ଗିର କନ୍ଧପାଲି ପଡାର ଜରୁଣ ମୁଣ୍ଡା ଏବଂ ରାକେଶ ନନ୍ଦ ବୋଲି ଜଣାପଡିଛି । ସେମାନଙ୍କୁ ପ୍ରଥମେ ଲୋଇସିଂହା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯିବା ପରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଆଜି ସକାଳ ୧୦ଟା ସମୟରେ ଏକ ଦଶ ଚକିଆ ଟ୍ରକ ଡାଲି ଜାତୀୟ କିରାନା ସାମଗ୍ରୀ ଧରି ରାୟପୁରରୁ ବଲାଙ୍ଗିର ଆସୁଥିଲା । ବଲାଙ୍ଗିର ସହରକୁ ପହଞ୍ଚିବା ପୂର୍ବରୁ ଖମାରମୁଣ୍ଡା – ଜାମସର ଛକ ନିକଟରେ ଟ୍ରକର ପଛ ଚକା ଫାଟିଯାଇଥିଲା । ଟ୍ରକଟି ଦ୍ରୁତ ଗତିରେ ଥିବାରୁ ଫାଟି ଯାଇଥିବା ଟାୟାର ରେ ନିଆଁ ଲାଗି ସମ୍ପୂର୍ଣ୍ଣ ଗାଡ଼ିକୁ ବ୍ୟାପି ଯାଇଥିଲା । ଏହି ସମୟରେ ରାକେଶ ଓ ଜରୁଣ ବରଗଡ଼କୁ କୌଣସି କାମରେ ଯାଉଥିବା ବେଳେ ଫାଟିଯାଇଥିବା ଟାୟାର ଖଣ୍ଡ ହଠାତ ଆସି ଜାରୁଣଙ୍କ ମୁହଁରେ ବାଜିଥିଲା । ଏଥିରେ ସେ ଗୁରୁତର ଭାବେ ଆହତ ହୋଇଥିବା ବେଳେ ରାକେଶ ମଧ୍ୟ ଆହତ ହୋଇଥିଲେ । ଖବର ପାଇ ବଲାଙ୍ଗିର ଓ ଲୋଇସିଂହା ଅଗ୍ନିଶମ କେନ୍ଦ୍ରରୁ ୩ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।ବଲାଙ୍ଗିରର କ୍ରିଷ୍ଣା ମହତ ଟ୍ରାନ୍ସପୋର୍ଟ ପକ୍ଷରୁ ଏହି ସାମଗ୍ରୀ ଅଣାଯାଉଥିବା ବେଳେ ପ୍ରାୟ ୧୭ ରୁ ୧୮ ଟନ ଓଜନର ସାମଗ୍ରୀ ରହିଥିବା ଡ୍ରାଇଭର ବିମଲ ନାଗ ସୂଚନା ଦେଇଛନ୍ତି । ତେବେ ଟ୍ରକରେ ନିଆଁ ଲାଗି ଲକ୍ଷାଧିକ ଟଙ୍କା ମୂଲ୍ୟର ଡାଲି , ମିଲମେକର୍ ସହ ଅନ୍ୟାନ୍ୟ ସାମଗ୍ରୀ ଜଳି ପୋଡି ନଷ୍ଟ ହୋଇଯାଇଛି । ଜାତୀୟ ରାଜପଥ ଉପରେ ଟ୍ରକଟି ଜଳିଯିବାରୁ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଯାନବାହନ ଦୀର୍ଘ ସମୟ ଧରି ଛିଡା ହୋଇ ରହିଥିଲେ । ପୁଇଁତଳା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ଯାତାୟାତ ସୁବିଧା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।