ଜାଗରଯାତ୍ରା

ଜାଗରରେ ଉଜାଗର
ସାରା ପରିବାର,
ସିଂହ ବୃଷଭ ମୟୂର
ସର୍ପଙ୍କ ସମର ।

ମୂଷିକ ଲୁଚି କାଟୁଛି
ଶିବଙ୍କର ବସ୍ତ୍ର,
ବଞ୍ଚିବାକୁ ମନେ ପାଞ୍ଚି
ଭୟ ଶେଷ ଅସ୍ତ୍ର ।

ଖାଦ୍ଯ ଖାଦକଙ୍କ ମଧ୍ଯେ
ଲାଗିଛି ସମର,
ହିଂସ୍ର ପଶୁ ପକ୍ଷୀ ମେଳି
ଶଙ୍କରଙ୍କ ଘର ।

ଏକ ଆନେ ଖାଇବାକୁ
ଅନାଇଁ ବସିଛି,
ମହାଯୋଗୀ ମହେଶଙ୍କ
ନିଦ୍ରା ହଜିଅଛି ।

ସିଂହ ଖାଇବ ବୃଷଭ
ସର୍ପକୁ ମୟୂର,
ନିରିହ ମୂଷିକ ହେବ
ସର୍ପର ଆହାର ।

ଶିବ ପାର୍ବତୀ କାର୍ତ୍ତିକ
ଗଣେଶ ବସିଲେ,
ଉଜାଗର ରହି ସର୍ବେ
ସମାଧାନ କଲେ ।

ଏହିପରି ଆମ ଦେହେ
ପଶୁଙ୍କ ସ୍ବଭାବ,
ହିଂସ୍ର ରୂପ ଧରି ଆମେ
ଦେଖାଉ ଗରବ ।

ଏ ଗରବ ଖଣ୍ଡିବାକୁ
ଉଜାଗର ହେବା,
ହିଂସ୍ର ପଶୁତ୍ତ୍ବ ନାଶନେ
ଜାଗର ଜାଳିବା ।

ସର୍ବ ଅମଙ୍ଗଳ ଦେହୁ
ଯିବ ନାଶ ହୋଇ,
ଶରୀର ହେବ ମନ୍ଦିର
ଜାଗ୍ରତରେ ତୁହି ।

ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ