ଜାତୀୟ କ୍ରୀଡ଼ାରୁ କପଡ଼ା ଦୋକାନ

ନୂଆଦିଲ୍ଲୀ: ୨୦୦୨ରେ ଆସାମରେ ଅନୁଷ୍ଠିତ କନିଷ୍ଠ ବାଳିକା ଜାତୀୟ ଫୁଟ୍‌ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଉପବିଜେତା ହୋଇ ରୌପ୍ୟ ପଦକ ଜିତିଥିଲା। ଓଡ଼ିଶା ଦଳ ସଫଳତାର ଅନ୍ୟତମ ନାୟିକା ଥିଲେ ସମ୍ବଲପୁରର ଆଦିବାସୀ ଯୁବତୀ ମିନତି ତିର୍କି। ସେହିପରି ସେ ହାଇଦ୍ରାବାଦ-ବିଶାଖାପାଟଣାରେ ଅନୁଷ୍ଠିତ ୨୦୦୨ ଜାତୀୟ କ୍ରୀଡ଼ାରେ ଓଡ଼ିଶା ସିପକ୍‌ଟାକ୍ର ଦଳର ମଧ୍ୟ ପ୍ରମୁଖ ସଦସ୍ୟା ଥିଲେ। କିନ୍ତୁ ଯୁବ ବୟସରେ କ୍ରୀଡ଼ାକୁ କ୍ୟାରିୟର୍‌ କରିଥିବା ମିନତି ଏବେ ସମସ୍ତଙ୍କ ପାଇଁ ଅଲୋଡ଼ା। ଦେଶ ପାଇଁ ଖେଳିବା ସ୍ବପ୍ନକୁ କେବେଠୁ ପାଶୋରି ଦେଇଥିବା ମୀନତି ଏବେ ପେଟ ପୋଷିବା ପାଇଁ ଏକ କପଡ଼ା ଦୋକାନରେ ସେଲ୍ସ ଗାର୍ଲ ଭାବେ କାମ କରୁଛନ୍ତି । ଫୁଟ୍‌ବଲ୍‌ ପ୍ରୋତ୍ସାହକ ବଳରାମ ମଟାରୀଙ୍କ ପ୍ରେରଣାରେ ସମ୍ବଲପୁର ସହର ଭୁତାପଡ଼ାର ଏହି ଆଦିବାସୀ ଯୁବତୀ ୧୫ ବର୍ଷ ବୟସରେ ଫୁଟବଲ୍ ପଡ଼ିଆକୁ ଓହ୍ଲାଇଥିଲେ। ଖେଳ ପ୍ରତି ତାଙ୍କର ଭଲ ପାଇବା, ପରିଶ୍ରମ ଓ ଦକ୍ଷତା ଯୋଗୁଁ କମ୍ ସମୟ ମଧ୍ୟରେ ସେ ଦୁଇ ଦୁଇଟି ଖେଳରେ ରାଜ୍ୟ ଦଳରେ ସ୍ଥାନ ପାଇଥିଲେ। କିନ୍ତୁ ପାରିବାରିକ ସମସ୍ୟା କାରଣରୁ ତାଙ୍କ ଖେଳ ଜୀବନ ଅଧିକ ଲମ୍ବା ହୋଇପାରିନଥିଲା। ତାଙ୍କରି ସାହିର ଲୋଚନା ମୁଣ୍ଡା, ଅହଲ୍ୟା ମୁଣ୍ଡା, ଝିଲି ମୁଣ୍ଡା ପ୍ରମୁଖ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚି ପାରିଥିଲା ବେଳେ ମିନତିଙ୍କୁ ପେଟ ପାଇଁ ଖେଳ ଛାଡ଼ିବାକୁ ପଡ଼ିଥିଲା। ୧୯୯୯ରେ ଖେଳ ଆରମ୍ଭ କରିଥିବା ମିନତି ପ୍ରଥମେ ସମ୍ବଲପୁର ଜିଲ୍ଲା ଓ ୨୦୦୨ରେ ଓଡ଼ିଶା ରାଜ୍ୟ ଦଳରେ ସ୍ଥାନ ପାଇଥିଲେ ଓ ୨୦୦୫ରେ ଖେଳ ପଡ଼ିଆରୁ ଅପସରି ଯାଇଥିଲେ। ମିନତି ମାତ୍ର ତିନି ମାସର ହୋଇଥିବା ବେଳେ ବାପା ଘୁସ୍‌ଲୁ ତିର୍କିଙ୍କ ପରଲୋକ ହୋଇଗଲା। ସେବେଠାରୁ ତାଙ୍କ ପରିବାର ସଂଘର୍ଷ କରିଆସିଛି । ପେଟ ପୋଷିବା ପାଇଁ ମାଆ ଗୁରୁବାରୀ ମୁଣ୍ଡା ବିଡି ତିଆରି କଲେ। ଯାହା ରୋଜଗାର କଲେ ସେଥିରେ ପରିବାର ଚଳାଇବା କଷ୍ଟ ହେଲା। ତାଙ୍କ ବଡ଼ ଭଉଣୀ ଭାରତୀ ପଢ଼ା ବନ୍ଦ କରି ମାମୁ ଘରେ ଯାଇ ରହିଲେ। ଅଭାବ ଯୋଗୁଁ ଦୁଇ ଭଉଣୀ ବିବାହ କରି ନଥିଲେ। ୩୬ ବର୍ଷୀୟା ମିନତି ଏବେ ଏକ କପଡ଼ା ଦୋକାନରେ କାମ କରି ନିଜର ଓ ମାଆ ଗୁରୁବାରୀଙ୍କ ପେଟ ପୋଷୁଛନ୍ତି। ଆର୍ଥିକ ଅଭାବ ଭିତରେ ଗତି କରୁଥିବା ମିନତି ଚାକିରି ଖଣ୍ଡେ ପାଇଁ ଏକାଧିକବାର ପ୍ରଶାସନର ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି। ଫୁଟ୍‌ବଲ୍‌ରେ ଜାତୀୟ ଓ ଅନ୍ତର୍ଜାତୀୟ ସଫଳତା ହାସଲ କରିଥିବା ତାଙ୍କ ଭଳି ଆହୁରି ଅନେକ ମହିଳା ଖେଳାଳି ସମ୍ବଲପୁରରେ ପେଟ ପାଇଁ ଦହଗଞ୍ଜ ହେଉଛନ୍ତି। କିଏ ଦୋକାନ କରିଛି ତ କିଏ ବିଡ଼ି ଭାଙ୍ଗୁଛି। କିଏ ମୂଲ ଲାଗୁଛି ତ ଆଉ କିଏ ପର ଘରେ ପାଇଟି କରି ଚଳୁଛି। ଏକଦା ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଥିବା ଏହି ଖେଳାଳିମାନଙ୍କ ଥଇଥାନ ପାଇଁ ଅନେକ ବାର ଦାବି ହୋଇ ଆସୁଥିଲେ ବି ଆଜି ସୁଦ୍ଧା କେହି କର୍ଣ୍ଣପାତ କରିନାହାନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ