ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଲ ୨୦୧୯ ଲୋକସଭାରେ ଗୃହୀତ
(ଯୁଗାବ୍ଦ ନ୍ୟୁଜ) କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ଲୋକସଭାରେ ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଲାଗି ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ ୨୦୧୯ ଅନ୍ତର୍ଗତ ଦୁଇଟି ସଂକଳ୍ପ ଏବଂ ଓ ଦୁଇଟି ବିଲ ବିଚାର ଏବଂ ଗୃହୀତ କରିବା ନିମନ୍ତେ ଉପସ୍ଥାପନ କରିଥିଲେ ।
୧. ୩୭୦ (୧)ର ବ୍ୟବସ୍ଥା ଅନୁଯାୟୀ ଜାମ୍ମୁ ଓ କାଶ୍ମୀର ଲାଗି ସାମ୍ବିଧାନିକ ଅଧ୍ୟାଦେଶ
୨. ୩୭୦ (୩) ଅନୁଯାୟୀ ଧାରା ୩୭୦କୁ ଉଚ୍ଛେଦ କରିବାର ସଂକଳ୍ପ
୩. ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ଲାଗି ବିଲ
୪. ଜାମ୍ମୁ-କାଶ୍ମୀର ସଂରକ୍ଷଣ (ଦ୍ୱିତୀୟ ସଂଶୋଧନ) ବିଲ ୨୦୧୯
ଏହି ଅବସରରେ ଶ୍ରୀ ଶାହ କହିଥିଲେ ଯେ ସରକାର ଦେଶର କଲ୍ୟାଣ ପାଇଁ ନିଷ୍ପତି ନେବାରେ ପଛକୁ ହଟିବେ ନାହିଁ । ଏ ସରକାରଙ୍କ ଉଦ୍ଦେଶ୍ୟ କାଶ୍ମୀର ଘାଟିରେ ଶାନ୍ତି ପ୍ରତିଷ୍ଠା କରିବା । ଘାଟିର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ କରିବା । ତାଙ୍କର କହିବା କଥା ଥିଲା ଯେ ମୋଦୀ ସରକାର ଯୁବକମାନଙ୍କୁ ଉନ୍ନତ ଭବିଷ୍ୟତ ଦେବାକୁ ଚାହୁଁଛି, ତାଙ୍କୁ ଉତମ ଶିକ୍ଷା, ଭଲ ରୋଜଗାର ଦେବାକୁ ଚାହୁଁଛି, ସେମାନଙ୍କୁ ସମ୍ପନ୍ନ କରିବା ଲାଗି ଚାହୁଁଛି । ଯାହାଫଳରେ ଭାରତର ଅନ୍ୟ ଭାଗରେ ଯେପରି ବିକାଶ ହୋଇଛି କାଶ୍ମୀରରେ ମଧ୍ୟ ସେପରି ବିକାଶ ହୋଇପାରିବ ।
ଶ୍ରୀ ଅମିତ ଶାହ କହିଥିଲେ ଯେ ସାରା ଦିନର ବିତର୍କ ପରେ କେହି ଜଣେ ସଦସ୍ୟ ଧାରା ୩୭୦ର ଲାଭ ବିଷୟରେ କହିନାହାନ୍ତି । କାରଣ ୩୭୦ର କୌଣସି ଲାଭ ନାହିଁ । ସେ ଧାରା ୩୭୦ କାରଣରୁ ଜାମ୍ମୁ ଓ କାଶ୍ମୀରର ଜନତାଙ୍କ ସହିତ ହେଉଥିବା ବିଶ୍ୱାସଘାତକତା ବିଷୟରେ କହିଥିଲେ ଯେ ଏହି ଧାରା କାରଣରୁ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇପାରିନାହିଁ । ଏହି ଧାରା ମହିଳା ବିରୋଧୀ, ଗରିବ ବିରୋଧୀ, ଆଦିବାସୀ ବିରୋଧୀ । ସେ ଆହୁରି କହିଥିଲେ ଯେ ଜାମ୍ମୁ ଓ କାଶ୍ମୀରରେ ଗଣତନ୍ତ୍ର ପୂର୍ଣ୍ଣପ୍ରତିଷ୍ଠା ହୋଇପାରିନାହିଁ । ଦୁର୍ନୀତି ବୃଦ୍ଧି ପାଇ ଚରମ ସୀମାରେ ପହଁଚିଛି । ସେ ଏହା ମଧ୍ୟ କହିଥିଲେ ଯେ ଧାରା ୩୭୦ ହଟିବାରେ କାହାର କିଛି ଅସୁବିଧା ନାହିଁ । କେବଳ ସେଠାରେ ଦୁର୍ନୀତିର ତଦନ୍ତ ହେଉଥିବାରୁ ଏତେ ହୋହଲ୍ଲା ହେଉଛି । ଶ୍ରୀ ଶାହ ଆହୁରି ମଧ୍ୟ କହିଥିଲେ ଯେ କାଶ୍ମୀରର ଲୋକମାନେ ଆମର, ଆମେ ସେମାନଙ୍କୁ କୋଳେଇ ନେବୁ । ଯଦି ସେମାନଙ୍କ ମନରେ କୌଣସି ସନ୍ଦେହ ରହିଛି ତା’ହେଲେ ଆମେ ଆଲୋଚନା କରିବୁ । କିନ୍ତୁ ପାକିସ୍ତାନର କୃପା ଳାଭ କରୁଥିବା ଲୋକଙ୍କ ସହିତ କୌଣସି ଆଲୋଚନା ହେବ ନାହିଁ, ହୁରିୟତ ସହ କୌଣସି ଆଲୋଚନା ହେବ ନାହିଁ ।


