ଜିଲ୍ଲାପ୍ରଶାସନ -ଗ୍ରାମବାସୀ-ପୋର୍ଟ ଏବଂ ଆଇଆରଇ କର୍ତ୍ତୃପକ୍ଷଙ୍କ ତ୍ରିପାକ୍ଷିକ ବୈଠକ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଗୋପାଳପୁର ପୋର୍ଟ ଓ ଆଇଆରଇକୁ ମାଲ ପରିବହନ ନିମନ୍ତେ ଭାରୀଯାନା ଚଳାଚଳକୁ ବିରୋଧ ପ୍ରସଙ୍ଗ ତଥା ଜାତୀୟ ରାଜପଥରେ ଦୀର୍ଘଦିନ ହେଲା ଅଟକି ରହିଥିବା ମାଲ ବୋଝେଇ ଟ୍ରକ ଗୁଡିକ କିପରି ପୋର୍ଟ କୁ ଯିବ ଏହାର ସମାଧାନ ନିମନ୍ତେ ସୋମବାର ଗଞ୍ଜାମ ଜିଲ୍ଲାପାଳଙ୍କ ନିଜସ୍ୱ ପ୍ରକୋଷ୍ଠରେ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ସମୟ ଆଲୋଚନା ପରେ ଏବର ସ୍ଥିତିରେ ଯେତେ ଗୁଡିଏ ମାଲ ବୋଝେଇ ଟ୍ରକ ଜାତୀୟ ରାଜପଥରେ ଅଟକି ରହିଛି ସେଗୁଡିକୁ ଗୋପାଳପୁର ପୋର୍ଟକୁ ଛଡାଯିବ । ଏଥିରେ ବିରୋଧ କରୁଥିବା ଗ୍ରାମବାସୀ ଏକ ପ୍ରକାର ସହମତି ପ୍ରକାଶ କରିଛନ୍ତି । ଆଗକୁ ମାଲ ପରିବହନ ପାଇଁ ଆସୁଥିବା ଭାରୀଯାନ ଗୁଡିକୁ କିଛି ଦିନ ପର୍ଯ୍ୟନ୍ତ ବନ୍ଦ କରାଯିବ । ଏହା ଭିତରେ ଗୋପାଳପୁର ପୋର୍ଟ ଭାରୀଯାନ ପାର୍କିଂ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରିବେ । ଗୋପାଳପୁର ପୋର୍ଟ ଓ ଆଇଆରଇ ଅଞ୍ଚଳର ପାରିପାଶ୍ୱର୍ିକ ସୁବିଧା ନେଇ ଏକ ଆଲୋଚନା ବୈଠକ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ସେହିପରି ଗଞ୍ଜାମ ଏସ୍ପି ବ୍ରିଜେଶ୍ କୁମାର ରାଏ କହିଛନ୍ତି ଯେ, ମାଲ ପରିବହନ ହେଉଥିବା ଭାରୀଯାନ ଚଳାଚଳା ବେଳେ ଦାଦାବଟି ଆଦାୟ କରାଯାଉଥିବା କିଛି ଅଭିଯୋଗ ହେଉଛି । ଏହାର ଠୋସ୍ ପ୍ରମାଣ ମିଳିଲେ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ଉପସ୍ଥିତ ଥିବା ବିଭିନ୍ନ ଗ୍ରାମର ମୁଖିଆମାନଙ୍କୁ କହିଛନ୍ତି । ଅନ୍ୟପକ୍ଷରେ କଣମଣା ସରପଞ୍ଚ ଏସ୍.ଚକ୍ରପାଣି ରେଡ୍ଡି କହିଛନ୍ତି ଆଜିର ଆଲୋଚନା ବୈଠକରେ ଜିଲ୍ଲାପାଳଙ୍କ ନିଷ୍ପତ୍ତି ଉପରେ ସହମତି ଜଣାଇବା ସହ ବର୍ତ୍ତମାନ ସ୍ଥିତିରେ ଯେତେ ଯାନବାହନ ଅଛି ସେଗୁଡିକୁ ଛଡାଯିବ । ଏହାପରେ ଯଦି ମାଲ ପରିବହନ ପାଇଁ ଭାରୀଯାନ ଚଲାଚଳକୁ ସଂପୂର୍ଣ୍ଣ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଏବଂ ପୋର୍ଟ କର୍ତ୍ତୃପକ୍ଷ ଅଟକି ଥିବା ଟ୍ରକ ଗୁଡିକ କେତେ ଦିନ ଭିତରେ ଅନଲୋଡିଂ କରିବେ ତାହା ଆମକୁ ଜଣାଇବେ । ଗୋପାଳପୁର ବନ୍ଦର ଓ ଆଇଆରଇକୁ ମାଲ ପରିବହନ ପାଇଁ କାଳିଆବାଲି ଛକଠୁ ମାଟିଖାଲ ଏବଂ ପୁରୁଣା ଛତ୍ରପୁର ଦେଇ କଣମଣା ରାସ୍ତା ଦେଇ ଶତାଧିକ ଟ୍ରକ୍ ଯାତାୟତ ହେଉଛିି । ଦୁଇରାସ୍ତାରେ ବିଭିନ୍ନ ଗାଁ ଗଣ୍ଡା ରହୁଥିବା ବେଳେ ଟ୍ରାଫିକ୍ ସମସ୍ୟା ସହିତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଛି । ଏହି ସଂକ୍ରାନ୍ତରେ ଗତ ୧୩ ତାରିଖ ଠାରୁ ଗ୍ରାମବାସୀ କୌଣସି ଭାରୀଯାନକୁ ଛାଡୁ ନଥିବାରୁ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଶହ ଶହ ଟ୍ରକ ଅଟକି ରହିଛି । ଗୋପାଳପୁର ବନ୍ଦର ଓ ଆଇଆରଇକୁ ଭାରୀଯାନ ଚଲାଚଳ ବନ୍ଦ ହୋଇଯାଇଛି । ଅଚଳାବସ୍ଥା ଦେଖା ଦେବା ପରେ ସମସ୍ୟା ସମଧାନ ପାଇଁ ଗତ ୧୫ ତାରିଖରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷୀକାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । କିଛିଦିନ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଅଟକି ରହିଥିବା ଟ୍ରକ୍ ଗୁଡିକୁ ରାତି ୧୦ ଟା ରୁ ପାହାନ୍ତିଆ ୫ ଟା ପର୍ଯ୍ୟନ୍ତ ଚଳାଚଳ ହେବ ବୋଲି ନିଷ୍ପତ୍ତି ହୋଇଥିଲା । ଏଥିହସ ଆସନ୍ତା ୨୨ ତାରିଖରେ ପୁଣିଥରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷିକ ବୈଠକର ଆୟୋଜନ କରାଯାଇ ଆଲୋଚନା କରାଯିବ ବୋଲି ସ୍ଥିର ହୋଇଥିଲା । ଗୋପାଳପୁର ପୋର୍ଟ ପରିସରରେ ଏତେ ପରିମାଣ ଜାଗା ନାହିଁ ଯେ ସମସ୍ତ ଟ୍ରକ୍ରୁ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମାଲ ବୋଝେଇ ସମାଗ୍ରୀକୁ ଅନ୍ଲୋଡିଂ କରିବାରେ ସମ୍ଭବ ହୋଇପାରୁନିଥିଲା । ଏଣୁ ଧାର୍ଯ୍ୟ ହୋଇଥିବା ଦିନ ମଧ୍ୟରେ ସମସ୍ତ ଟ୍ରକ ଗୁଡିକରୁ ଚଳାଚଳ ହୋଇ ପାରିନାହିଁ । ଫଳରେ ବହୁ ସଂଖ୍ୟକ ଟ୍ରକ୍ ଜାତୀୟ ରାଜପଥରେ ଅଟକି ରହୁଥିଲା । ଯଦ୍ୱାରା ଜାତୀୟ ରାଜପଥରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଥିଲା । ଏହି ସଂକ୍ରାନ୍ତରେ ପୁଣି ଆଜି ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ପ୍ରଶାସନ-ମାଟିଖାଲ, ପୁରୁଣା ଛତ୍ରପୁର, କାଳିଆବାଲି ଛକ ଗ୍ରାମବାସୀ –ପୋର୍ଟ ଓ ଆଇଆରଇ କର୍ତ୍ତୃପକ୍ଷଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଲକ୍ଷୀକାନ୍ତ ସେଠୀ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ତହସିଲଦାର ନୀଲମାଧବ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।


