ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା

ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ): ୬୫ତମ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ସ୍ଥାନୀୟ ଖ୍ରୀଷ୍ଟିଆନ୍ ହାଇସ୍କୁଲ ପଡିଆରେ ଆନୁଷ୍ଠାନିକ ଭାବେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଆୟୋଜିତ ଉଦ୍ଘାଟନୀ ସଭାରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମବେତ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ କ୍ରୀଡା ଆମକୁ ଧୈର୍ଯ୍ୟ, ବିଫଳତାକୁ ସାମ୍ନା କରିବାର ଶକ୍ତି ଏବଂ ଖେଳୁଆଡ ମନୋଭାବ ପୋଷଣ କରିବା ଭଳି ଉତ୍ତମ ଗୁଣଗୁଡିକୁ ଆହୋରଣ କରିବା ପାଇଁ ଅବସର ପ୍ରଦାନ କରିଥାଏ ବୋଲି ଉଦ୍ବୋଧନରେ କହିଥିଲେ । ପରେ ସେ କ୍ରୀଡା ପତାକାକୁ ଉତ୍ତୋଳନ କରିବା ସହ କ୍ରୀଡା ପ୍ରତିଯୋଗିତାର ଆରମ୍ଭ ଘୋଷଣା କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁବାଷ ନିଆଲ, ଜିଲ୍ଲା ମଙ୍ଗଳ ଅଧିକାରୀ ରାଜୀବ ଲୋଚନ ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁରେନ୍ଦ୍ର ପ୍ରସାଦ ଶଙ୍ଖୁଆ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ ସଭାପତିତ୍ୱ କରିଥିଲେ । ପ୍ରାରମ୍ଭରେ ଶାରିରୀକ ଶିକ୍ଷା ନିରୀକ୍ଷକ ଅଶୋକ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଖ୍ରୀଷ୍ଟିଆନ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ପୃଷ୍ଟି ଧନ୍ୟବାଦ ଦେଇଥିଲେ । ଦୁଇ ଦିନ ଧରି ଚାଲିଥିବା ଏହି କ୍ରୀଡା ପ୍ରତିଯୋଗିତାରେ ଜିଲ୍ଲାର ୧୨ଗୋଟି ବ୍ଲକ ଏବଂ ବାଲେଶ୍ୱର ପୌରପାଳିକାର ହାଇସ୍କୁଲ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ଏମାନଙ୍କ ମଧ୍ୟରେ ପ୍ରଥମ ଦିନରେ ୬୧୭ ଜଣ କ୍ରୀଡା ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ଦୁଇ ଦିନରେ ସର୍ବମୋଟ୍ ୧୨୧୧ଜଣ ପ୍ରତିଯୋଗୀ ଦୌଡକୁଦ, ଫୁଟ୍ବଲ୍, ଭଲିବଲ୍, ବିଚ୍ ଭଲିବଲ୍, କବାଡି, କ୍ରିକେଟ୍, ଖୋ-ଖୋ, ବ୍ୟାଡମିଣ୍ଟନ୍, ତୀରନ୍ଦାଜୀ, ଯୋଗ, ଚେସ୍, ରଗ୍ବୀ, ଟେନିକଏଟ୍ ଏବଂ ସଫ୍ଟବଲ୍ ପରି ୧୨ଟି ବିଭାଗରେ ପ୍ରତିଯୋଗିତା କରିବେ । ଏହି ପ୍ରତିଯୋଗିତା ସଂଚାଳନ କରିବା ପାଇଁ ୯୯ ଜଣ କୋଚ୍ ଏବଂ ପ୍ରଶିକ୍ଷକଙ୍କ ସହିତ ୮୦ଜଣ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ଆଜିର ଏହି ଉତ୍ସବରେ ଜିଲ୍ଲା ସ୍କୁଲର ଏକ ବ୍ୟାଣ୍ଡ ଟିମ୍ ସହିତ ନୟନା କୁମାରୀ ହାଇସ୍କୁଲର ସମର ଶିକ୍ଷାର୍ଥୀବାହିନୀ ଯୋଗ ଦେଇଥିଲେ । ଏତଦ୍ବ୍ୟତୀତ କାର୍ଯ୍ୟ ସୁପରିଚାଳନା ନିମନ୍ତେ ୧୫୦ ଜଣ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଚି । ସେହିପରି ଟାଉନ ହାଇସ୍କୁଲ ଏବଂ ପବ୍ଲିକ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଫ୍ଲାଗ୍ ମ୍ୟାନ୍ ଭାବେ କାର୍ଯ୍ୟ କରିଥିଲେ । ଏଥିରୁ ବିଜେତା ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ