ଜିଲ୍ଲାସ୍ତରୀୟ ୧୮ ତମ ବିଶ୍ଵ ଜଳାତଙ୍କ ଦିବସ ଅବସରରେ ଟୀକାକରଣ, ସଚେତନ ଶୋଭାଯାତ୍ରା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ଆଜି ଜିଲ୍ଲାସ୍ତରୀୟ ୧୮ ତମ ବିଶ୍ଵ ଜଳାତଙ୍କ ଦିବସ-୨୦୨୪ ପାଳନ ଅବସରରେ ବିଭିନ୍ନ ପ୍ରଜାତିର କୁକୁର ମାନଙ୍କୁ ପ୍ରତିଷେଧକ ଟୀକାକରଣ ସମେତ ଶୋଭାଯାତ୍ରା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସରରେ କୁକୁର ମାନଙ୍କ ନିମନ୍ତେ ଜଳାତଙ୍କ ପ୍ରତିଷେଧକ ଟୀକାକରଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଭାରପ୍ରାପ୍ତ ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼ାଃ ରମାକାନ୍ତ ରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଭିଏସଏଏସ:- ଗୌରହରି ବେହେରା ଏବଂ ଭିଟି: ଏ: ଶଙ୍କର ରାଓ ପ୍ରମୁଖ ଆସିଥିବା ୬୦ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରଜାତିର କୁକୁର ମାନଙ୍କୁ ଜଳାତଙ୍କ ପ୍ରତିଷେଧକ ଟୀକା ଦେଇଥିଲେ। । ଏହି ଅବସରରେ ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ସେଞ୍ଚୁରିଅନ ୟୁନଭରସିଟିର ସ୍କୁଲ ଅଫ ଭେଟରିନାରି ଏଣ୍ଡ ଏନିମଲ୍ ସାଇନ୍ସ ବିଭାର ଶତାଧିକ ଛାତ୍ରଛାତ୍ରୀ ମାନେ ମହାରାଜାଙ୍କ ବାଳକ ବିଦ୍ୟାଳୟ ଛକ ଠାରୁ ଏକ ବିରାଟ ସଚେତନତା ଶୋଭାଯାତ୍ରାରେ ବାହାରି ବିଭିନ୍ନ ସଚେତନତା ମୂଳକ ପ୍ଳା-କାର୍ଡ ଧରି ଏବଂ ବିଭିନ୍ନ ସ୍ଲୋଗାନ ଦେଇ ଜଳାତଙ୍କ ରୋଗ ଉପରେ ଜନ ସଚେତନ କରାଇଥିଲେ । ଏହି ସଚେତନତା ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ , ବିଭାଗୀୟ ଡିନ: ପ୍ରଫେସର ରାଜ କିଶୋର ସ୍ୱାଇଁ ଏବଂ ପ୍ରଫେସର ଡ଼ଃ ଏସପି: ନନ୍ଦ । ପରେ ସ୍ଥାନୀୟ ଗଜପତି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ୟ୍ୟାଳୟର ସଦଭାବନା ଗୃହ ଠାରେ ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲାମୁଖ୍ୟ ପ୍ରାଣୀଚିକିସ୍ୟା ଅଧିକାରୀ ଡ଼ାଃ ରମାକାନ୍ତ ରଣାଙ୍କ ସଭାପତିତ୍ବରେ ସେଞ୍ଚୁରିଅନ ୟୁନଭରସିଟିର ସ୍କୁଲ ଅଫ ଭେଟରୀନାରି ଏଣ୍ଡ ଏନିମଲ ସାଇନ୍ସ ବିଭାଗୀୟ ମୁଖ୍ୟ ଡିନ ପ୍ରଫେସର ରାଜ କିଶୋର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଳାତଙ୍କ ରୋଗ କଣ , ଏହାର ଲକ୍ଷଣ ଏବଂ ଏଥିରୁ ରକ୍ଷା ପାଇବାର ଉପାୟର ବିଭିନ୍ନ ଦିଗ ଉପରେ କହି ବୁଲା କୁକୁରଙ୍କ ପ୍ରତି ସାବଧାନ ରହିବା ସହ ଏମାନଙ୍କ କାମୁଡ଼ାର ଶିକାର ହେଲେ ତୁରନ୍ତ ଚିକିତ୍ସାଳୟ ଯାଇ ପ୍ରତିଷେଧକ ଟିକା ନେଲେ ରୋଗରୁ ଉପଶମ ମିଳିଥାଏ ଏବଂ ଏହି ରୋଗର ମୂଳୋତ୍ପାଟନ ପାଇଁ ସାମୁହିକ ଉଦ୍ୟମ ଓ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଥିଲେ । ସେହିଭଳି ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାଃ ରମାକାନ୍ତ ରଣା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ଏହି ଜଳାତଙ୍କ ରୋଗ କିଭଳି ସଂକ୍ରମିତ ହୋଇଥାଏ , ଏହି ରୋଗର ଲକ୍ଷଣ ଓ କୁକୁର କି ଅନ୍ୟ ପଶୁ କାମୁଡ଼ିଲେ କିପରି ସାବଧାନତାର ସହ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହେବେ ଏବଂ ଏହି ଭୟଙ୍କର ରୋଗ ଦାଉରୁ ନିଜକୁ କିଭଳି ସୁରକ୍ଷିତ ରଖିବେ , ସେ ସମ୍ପର୍କରେ କହିଥିଲେ.


