ଜିଲ୍ଲା କୃଷି ବିଭାଗର ଅଧିକାରୀ ଏବଂ ସାର ଡିଲରଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଞ୍ଚଳ ଅଟେ । ଏଠାକାର ଜୀବନ ଜୀବିକା ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ । ଜିଲ୍ଲାର ୭ ଟି ବ୍ଳକ ମଧ୍ୟରୁ ୩ ଟି ବ୍ଳକରେ ଅଧିକା ଧାନ ଚାଷ ହୋଇଥାଏ । ଗୁମ୍ମା, ଗୋଶାଣି ଓ କାଶୀ ନଗର ବ୍ଳକରେ ଅଧିକ ଧାନ ଚାଷ ହୋଇଥାଏ । ବର୍ତ୍ତମାନ ଚାଷୀଙ୍କୁ ଖରିଫ ଋତୁ ଧାନ ଚାଷ ସକାଶେ ସାର ଆବଶ୍ୟକ ଥିବା ବେଳେ ବସ୍ତା ରେ ଥିବା ଏମ୍ ଆର ପି ମୂଲ୍ୟ ଠାରୁ ଅଧିକା ଚଢା ଦରରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ବିଭାଗୀୟ ଅଧିକାରୀ ସବୁ ଜାଣି ନୀରବ ଦ୍ରଷ୍ଟା ପାଲଟି ଥିବାର ଦେଖିବାକୁ ମିଳିଛି । ସମିତି ବୈଠକରେ ସାର ର ଚଢା ଦରରେ ବିକ୍ରି ହେଉଥିବା ଜନ ପ୍ରତିନିଧି ମାନେ ଅଭିଯୋଗ କରିଥିଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷ କିଛି କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ ରହିବା ସମସ୍ତଙ୍କୁ ଚକିତ କରିଛି । ନିୟମ ଅନୁସାରେ ସାର ବ୍ୟବସାୟୀ ପି ଓ ଏସ ମେସିନ ବ୍ୟବହାର କରିବା ଆବଶ୍ୟକତା ରହିଥିବା ବେଳେ ଦର ତାଲିକା ଟାଙ୍ଗିବା, ଷ୍ଟକ ରେଜିଷ୍ଟର ଅପ ଟୁ ଡେଟ ରଖିବା ଆବଶ୍ୟକ ଥିବା ବେଳେ, ସାର କିଣିବା ବେଳେ ବିଲ ଦେବା ଆବଶ୍ୟକ ଥିବା ବେଳେ କେହି ଏ ନିୟମ ମାନୁଛନ୍ତି କି ନାହିଁ ବିଭାଗୀୟ କର୍ତ୍ତୃପକ୍ଷ ଯାଞ୍ଚ କରୁ ନଥିବାର ଅଭିଯୋଗ ହେଉଛି । ଯାହା ଫଳରେ ସାରର କଳା ବଜାରୀ ତଥା ସାର ଚଢା ଦରରେ ବିକ୍ରି ହେଉ ଥିବା ଅଭିଯୋଗ ହେଉଛି । ଏମ୍ ଆର ପି ଦର ଠାରୁ ଅଧିକା ଦରରେ ବିକ୍ରି କରିବା ଆଇନଗତ ଅପରାଧ ଥିବା ବେଳେ କିପରି ଏମଆରପି ଦର ଠାରୁ ଅଧିକା ଚାଷିଙ୍କ ଠାରୁ ନିଆଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି !


