ଜିଲ୍ଲା ସ୍ତରୀୟ କବି ଶ୍ରୀ ଜୟଦେବ ଜୟନ୍ତୀ-୨୦୨୩ ମହା ସମାରୋହରେ ପାଳିତ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ରବିବାର ସଂଧ୍ୟାରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ କବି ଶ୍ରୀ ଜୟଦେବ ଜୟନ୍ତୀ – ୨୦୨୩ ମହା ସମାରୋହରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା ଙ୍କ ପରିଚାଳନା ଓ ସଂଯୋଜନା ରେ ଅନୁଷ୍ଠିତ ଏହି ସମାରୋହରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ବିଶ୍ବ ପ୍ରସିଦ୍ଧ ମହାକବି ଜୟଦେବଙ୍କ ଦ୍ବାରା ରଚିତ ଗୀତ ଗୋବିନ୍ଦ ଏକ କାଳଜୟୀ ସୃଷ୍ଟି । ଦ୍ବାଦଶ ଅଧ୍ୟାୟ ଓ ୭୨ ଶ୍ଲୋକ ସମ୍ଭାରରେ ସଜ୍ଜିତ ଏହି ଛନ୍ଦମୟ କାବ୍ୟ ଗୋବିନ୍ଦର ଗୀତ- ଗୀତ ଗୋବିନ୍ଦ ଶ୍ରୀ ଜୟଦେବଙ୍କ ଶ୍ରୀ ଜୟଦେବଙ୍କ ଲେଖନୀରୁ ନିଶୃତ ହୋଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମେତ ସାରା ଜନ ମାନସରେ ସୁମଧୁର ସଙ୍ଗୀତର ଝଙ୍କାର ତୋଳିଛି । ସରଳ କୋମଳ କମନୀୟ ପଦ ଲାଳିତ୍ୟରେ ପରିପୂର୍ଣ୍ଣ ଗୀତ ଗୋବିନ୍ଦର ପ୍ରତିଟି ପଂକ୍ତି ଉତ୍କଳୀୟ କଳା, ସାହିତ୍ୟ, ସଂସ୍କୃତି, ଧର୍ମ ଓ ଜନଜୀବନ ପରିଚିତ ବହନ କରେ ବୋଲି ଅତିଥିଗଣ ନିଜ ନିଜ ବକ୍ତବ୍ୟରେ ମତ ରଖିଥିଲେ । ଏହି ଆଡମ୍ବରପୂର୍ଣ୍ଣ ସଭାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୁକୁଡାଖଣ୍ଡି ତହସିଲଦାର ତଥା ସୁସାହିତ୍ୟିକ କଲ୍ୟାଣୀ ସଂଘମିତ୍ରା ଦେବୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କବି ଶ୍ରୀ ଜୟଦେବଙ୍କ ସ୍ମୃତି ଚାରଣ କରିଥିଲେ । ସମ୍ମାନୀତ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଓ ଛତ୍ରପୁର ସାହିତ୍ୟ ସଂସଦର ସଭାପତି ତଥା ଆଇନଜୀବୀ ବ୍ରଜମୋହନ ଆଚାର୍ଯ୍ୟ ଯୋଗଦେଇ କବି ଶ୍ରୀ ଜୟଦେବଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଶେଷରେ ଚିନ୍ମୟ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଛତ୍ରପୁର କଳା ବିକାଶ କେନ୍ଦ୍ରର ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ ସହିତ ଲୋକ ନୃତ୍ୟ ପରିବେଷଣ କରିଥିଲେ । ଗାୟତ୍ରୀ କଳା ବିକାଶ କେନ୍ଦ୍ର, ବ୍ରହ୍ମପୁର, ଜୟ ଗଣେଶ କଳା ବିକାଶ କେନ୍ଦ୍ର, ସାଇ ନୃତ୍ୟ ଏକାଡେମୀ, ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ବାରା, ଓଡିଶୀ ଓ ଅନ୍ୟାନ୍ୟ ନୃତ୍ୟ ପରିବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ ।


