ଜୁଲାଇ ୨୪ରେ +୩ ପରୀକ୍ଷା

ଭୁବନେଶ୍ୱର: କରୋନା କବଳରେ ଏବେ ସାରା ବିଶ୍ୱ । କରୋନା ପାଇଁ ଦେଶରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । କରୋନା ଲକଡାଉନ ପାଇଁ ସ୍କୁଲ ଓ କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିବାବେଳେ ପୂର୍ବରୁ ହେବାକୁ ଥିବା ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଆସନ୍ତା ଜୁଲାଇ ୨୪ରେ ଯୁକ୍ତ ୩ ଫାଇନାଲ ସେମିଷ୍ଟର ପରୀକ୍ଷା ହେବ । ଏହାଛଡ଼ା ଅଗଷ୍ଟ ୨୦ରେ ପିଜି କ୍ଲାସ ଫାଇନାଲ ସେମିଷ୍ଟର ପରୀକ୍ଷା ହେବ । ଆଜି ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ବୈଠକରେ ପରେ ଏହି ନିଷ୍ପତ୍ତି ହୋଇଥିବା ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ ସେପ୍ଟେମ୍ବର ଓ ଅକ୍ଟୋବରରେ ଏକକ ପିଜି ପରୀକ୍ଷା ପ୍ରବେଶିକା ପରୀକ୍ଷା ହେବ । ନଭେମ୍ବର ମାସରେ ସବୁ ପିଜି କ୍ଲାସ ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଅନଲାଇନ ପ୍ରୋଗ୍ରାମ ପାଇଁ ଏକ ସ୍ୱତନ୍ତ୍ର କମିଟି ବ୍ଲୁ ପ୍ଲିଣ୍ଟ ପ୍ରସ୍ତୁତ କରିବ । ଆସନ୍ତାକାଲି ଠାରୁ ସବୁ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ ଅଫିସ ଚାଲିବ । ଏକ ତୃତୀୟାଂଶ କର୍ମଚାରୀରେ ଅଫିସ ଚଳାଇବାକୁ ନିଷ୍ପତ୍ତି ହୋଇଛି । ଏହାଛଡ଼ା ୧୫ ଦିନରେ ଥରେ କୁଳପତିମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରାଯିବାକୁ ନିଷ୍ପତ୍ତି ହୋଇଥିବା ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ