ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଲା ବାଲେଶ୍ଵର
ବାଲେଶ୍ୱର, (ସରୋଜ ପଣ୍ଡା):ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଛି। ଧାର୍ଯ୍ୟ ଶୁଭଲଗ୍ନରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନଡ଼ିଆ ବାଡ଼ାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି।ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ପରମିଟ ପଡିଆଠାରେ ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା I ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭଜନ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ସଦର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସ୍ୱରୂପ ଦାସ ଯୋଗ ଦେଇଥିବା ବେଳେ ଜିଲ୍ଲାପରିଷଦ ମାନ୍ୟବର ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ I ଏହି ଅବସରରେ ମିଶନ ଶକ୍ତିର ମହିଳାମାନେ ଓ ବାଲେଶ୍ୱର ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦାନ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିମନ୍ତେ ସହସ୍ରାଧିକ ପ୍ରଦୀପ ପ୍ରଜ୍ବଳନ କରିଥିଲେ I ସେହି ଭଳି ଘ. ୭ ଟା ସମୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ବାଲେଶ୍ୱର ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ଏକ ଭକ୍ତିଭାବାବେଗପୂର୍ଣ୍ଣ ନାଟକ ‘ଜଗବନ୍ଧୁ ହେ ଜଗନ୍ନାଥ’ ମଞ୍ଚସ୍ଥ ହୋଇଯାଇଛି I ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ I ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟର ୩୦ଟି ଜିଲ୍ଲାରେ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ଆଧାର କରି ନାଟକମାନ ପରିବେଷଣ କରାଯାଇଅଛି I


