ଜୱାତ ପ୍ରଭାବରେ ହାଲକା ବର୍ଷା
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଲଘୁଚାପଜନିତ ଜୱାତ କାରଣରୁ ଭଣ୍ଡାରିପୋଖରୀ ଅଂଚଳରେ ଆଜି ହାଲକା ବର୍ଷା ସହିତ ସୁଲସୁଲିଆ ପବନ ଅନୁଭୂତ ହୋଇଛି। ଯଦିଓ ଉପକୂଳ ଓଡିଶାକୁ ବାତ୍ୟା ଭୟ ନାହିଁ ବୋଲି ଆଜି ପାଣିପାଗ ବିଭାଗ ସୂଚନା ଦେଇଛି କିନ୍ତୁ ବର୍ଷା ର ପ୍ରଭାବ ରହିବ ବୋଲି ଜଣାପଡିଛି। ଆଜି ସକାଳୁ ବ୍ଲକର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ଗ୍ରାମ୍ୟ ରାସ୍ତାରେ ଯାନବାହନ ଚଳାଚଳ କମ ଥିବା ଦେଖିବାକୁ ମିଳିଥିଲା। ଏପରିକି ଭଣ୍ଡାରିପୋଖରୀ, ମଞ୍ଜୁରୀରୋଡ଼ ଓ ଯାଜପୁର ମଧ୍ୟରେ ବସ ଚଳାଚଳ ବନ୍ଦ ରହିଥିଲା। ସରକାରୀ କାର୍ଯ୍ୟାଳୟରେ ଲୋକଙ୍କ ସଂଖ୍ୟା ମଧ୍ୟ କମ ଦେଖିବାକୁ ମିଳିଥିଲା। ବର୍ଷା ପ୍ରଭାବରୁ କିଛି ପାଚିଲା ଧାନ ମଧ୍ୟ ବିଲରେ ଲୋଟି ପଡିଥିବା ବେଳେ ତା ଉପରେ ପାଣି ମଧ୍ୟ ମାଡି ଯାଇଥିବା ଦେଖିବାକୁ ମିଳିଥିଲା। ଆଜି ରାତି ଠାରୁ ରବିବାର ସକାଳ ୧୦ଟା ଭିତରେ ବର୍ଷା ହେବାର ସମ୍ଭାବନା ଥିବାରୁ ଜନସାଧାରଣଙ୍କ ସମେତ ଚାଷୀ ମାନଙ୍କ ମଧ୍ୟରେ ଏକପ୍ରକାର ଭୟ ଦେଖାଦେଇଛି।