ଝାଡଖଣ୍ଡରେ ଟଙ୍କାର ପ୍ରତିଶ୍ରୃତି
ଦେଶରେ ଆଦିବାସୀ ବହୁଳ ରାଜ୍ୟ ଭାବେ ପରିଚିତ ଝାଡଖଣ୍ଡରେ ବିଧାନସଭାର ନିର୍ବାଚନ ପରିବେଶ ଯେତିକି ସରଗରମ ହେବାରେ ଲାଗିଛି, ଭୋଟଦାତାଙ୍କୁ ଆକର୍ଷିତ କରିବା ପାଇଁ ଇଣ୍ଡିଆ ଏବଂ ଏନଡିଏ ମେଂଟ ପକ୍ଷରୁ ଟଙ୍କା ବଂଟନର ପ୍ରତିଶ୍ରୃତି ସେତିକି ସେତିକି ବୃଷ୍ଟି ହେବାରେ ଲାଗିଛି । ନିକଟରେ ଝାଡଖଣ୍ଡ ପାଇଁ ବିଜେପି ଜାରି କରିଥିବା ନିର୍ବାଚନ ଇସ୍ତାହାରରେ ଶିକ୍ଷିତ ଯୁବକଯୁବତୀ ଏବଂ ମହିଳାମାନଙ୍କୁ ମାସିକ ଆର୍ଥୀକ ସହାୟତା ଦେବା ପ୍ରତିଶ୍ରୃତି ଦେଇଛି । ରାଜ୍ୟର ସ୍ନାତକ ଓ ସ୍ନାତକୋତର ଛାତ୍ରଛାତ୍ରୀଙ୍କୁ ଦୁଇ ବର୍ଷ ପାଇଁ ମାସିକ ୨୦୦୦ଟଙ୍କା ନଗଦ୍ ଅର୍ଥ ପ୍ରଦାନ ପାଇଁ ଘୋଷଣା କରିଥିବାବେଳେ ମହିଳାମାନଙ୍କ ପାଇଁ ‘ଗୋଗୋ ଦିଦି’ ନାମରେ ଘୋଷଣା କରିଥିବା ଏକ ନୂତନ ଯୋଜନାରେ ମାସିକ ୨୧୦୦ଟଙ୍କା ଲେଖାଁଏ ଭତା ପ୍ରଦାନ ପାଇଁ ପ୍ରତିଶ୍ରୃତି ଦେଇଛି । ସେହିପରି ଜେଏମଏମ-କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଂଟ ମୁଖ୍ୟମନ୍ତ୍ରୀ ମାୟା ସମ୍ମାନ ଯୋଜନାରେ ୧୫ବର୍ଷରୁ ଉର୍ଦ୍ଧ୍ୱ ଯୁବତୀ ଏବଂ ମହିଳାମାନଙ୍କ ପାଇଁ ୧୦୦୦ଟଙ୍କାରୁ ୨୫୦୦ଟଙ୍କା ପର୍ଯ୍ୟନ୍ତ ମାସିକ ଆର୍ଥୀକ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୃତି ଦେଇଛି । ଏହା ନିସନ୍ଦେହ ଯେ, ଉଭୟ ଇଣ୍ଡିଆ ଏବଂ ଏନଡିଓ ସ୍ୱତନ୍ତ୍ର ମହିଳା ଭୋଟବ୍ୟାଙ୍କ ଗଠନ ପାଇଁ ମହିଳାମାନଙ୍କ ରାଜକୋଷକୁ ଉନ୍ମୁକ୍ତ କରିଦେଇଛନ୍ତି ବୋଲି କହିଲେ ହୁଏତ ଅତିରଂଜିତ ହୋଇନପାରେ । ଏହା ନିସନ୍ଦେହ ଯେ , ଉଭୟ ମେଂଟ ମଧ୍ୟରେ ମୁଖ୍ୟତଃ ଆଦିବାସୀ ଭୋଟ ପାଇଁ ଲଢେଇ ଚାଲିଛି । ଝାଡଖଣ୍ଡରେ ମୋଟ ଲୋକସଂଖ୍ୟାର ୨୬.୨ ପ୍ରତିଶତ ହେଉଛନ୍ତି ଆଦିବାସୀ । ରାଜ୍ୟର ୮୧ଟି ବିଧାନସଭା ଆସନ ମଧ୍ୟରୁ ଆଦିବାସୀ ସଂପ୍ରଦାୟ ପାଇଁ ୨୮ଟି ଆସନ ସଂରକ୍ଷଣ ରହିଛି । ସେହିପରି ଆଦିବାସୀ ଭୋଟ ହାତେଇବା ଉଭୟ ମେଂଟ ଯୋରଦାର ପ୍ରୟାସ ଜାରି ରଖିଛନ୍ତି । ବିଜେପି ତାର ନିର୍ବାଚନ ଇସ୍ତାହାରରେ ରାଜ୍ୟରେ ୟୁନିଫର୍ମ ସିଭିଲକୋର୍ଡ(ୟୁସିସି) ଲାଗୁ କରିବାକୁ ପ୍ରତିଶ୍ରୃତି ଦେଇଥିବା ଆଦିବାସୀ ସଂପ୍ରଦାୟକୁ ଏହାର ପରିସରରୁ ମୁକ୍ତ ରଖିବାକୁ ଘୋଷଣା କରିଛି । ଅନ୍ୟପକ୍ଷରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ଆଦିବାସୀ ସଂପ୍ରଦାୟ ପାଇଁ ସ୍ୱତନ୍ତ୍ର ସରଣ ବୋର୍ଡ ପାଇଁ ଗୁରୁତ୍ୱ ଦେଇଛି । ତେବେ ଆଦିବାସୀ ସମ୍ପ୍ରଦାୟରେ ଇଣ୍ଡିଆ ମେଂଟର ଦବ୍ଦବା ରହିଛି । ଯାହାକି ଗତ ଲୋକାସଭା ନିର୍ବାଚନରୁ ସଂକେତ ମିଳିଛି । ରାଜ୍ୟର ୧୪ଟି ଲୋକସଭା ଆସନ ମଧ୍ୟରୁ ସମସ୍ତ ୫ଟି ସଂରକ୍ଷିତ ଆସନରେ ଇଣ୍ଡିଆ ବ୍ଳକ ବିଜୟୀ ହୋଇଥିଲା । ବିଜେପି ଆଦିବାସୀଙ୍କୁ ହିନ୍ଦୁ ଭୁକ୍ତ କରିବା ପାଇଁ ପ୍ରୟାସ କରୁଥିବାବେଳେ ଜେଏମଏମ ଆଦିବାସୀଙ୍କ ସ୍ୱତନ୍ତ୍ର ପରିଚୟ ପାଇଁ ସାରନ ବୋର୍ଡ ଉପରେ ଗୁରୁତ୍ୱ ଦେଇଛି । ଅହୁରି ଆଦିବାସୀ ଭୋଟଦାତାଙ୍କୁ ଆକର୍ଷିତ କରିବା ଲାଗି ବିଜେପି ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଛି । ଉଲ୍ଳେଖଯୋଗ୍ୟ ଯେ, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ହଟାଇବା ପାଇଁ ରାଂଚି ହାଇକୋର୍ଟରେ ଏବେ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା (ପିଆଇଏଲ) ବିଚାରଧୀନ ରହିଛି । ଝାଡଖଣ୍ଡର ସାନ୍ତାଳ ପ୍ରଗଣା ଅଂଚଳରେ ବାଂଲା ଅନୁପ୍ରବେଶକାରୀ ବେଆଇନ ଭାବେ ବସବାସ କରୁଥିବା ପିଟିସନରେ ଦାବି ହୋଇଛି । ତେବେ ବାଂଲା ଅନୁପ୍ରବେଶକାରୀଙ୍କ ଦାଉରୁ ବିଜେପି କେବଳ ଆଦିବାସୀଙ୍କୁ ସୁରକ୍ଷିତ ରଖିପାରିବା ନେଇ ଦାବି କରିଛି । ଏହା କିନ୍ତୁ ନିସନ୍ଦେହ ଯେ, ବହୁ ଚର୍ଚ୍ଚିତ ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ ଏବଂ ଜାମିନରେ ଖଲାସ ଘଟଣା ଏବେ ଇଣ୍ଡିଆ ମେଂଟ ପାଇଁ ବରଦାନ ସଦୃଶ ହୋଇଥିବା କୁହାଯାଇପାରେ । ଲୋକସଭା ନିର୍ବାଚନରେ ୫ଟି ଯାକ ସଂରକ୍ଷିତ ଆସନରେ ବିଜୟ ଏହାର ଜ୍ୱଳନ୍ତ ପ୍ରମାଣ । ସୋରେନଙ୍କ ଅନୁପସ୍ଥିତିରେ ତାଙ୍କ ପତ୍ନୀ କଳ୍ପନା ଲୋକସଭା ନିର୍ବାଚନରେ ପ୍ରଚାରର ନେତୃତ୍ୱ ନେଇ ମହିଳା ଭୋଟରଙ୍କୁ ଆକର୍ଷିତ କରିବାରେ ସମର୍ଥ ହୋଇଥିଲେ । ଅନ୍ୟପକ୍ଷରେ ବିଜେପି ଓବିସିଙ୍କ ଉଚ୍ଚ ଜାତିର ଭୋଟ ହାତେଇବାକୁ ସମର୍ଥ ହୋଇଥିଲା । ଓବିସି ଓ ଉଚ୍ଚଜାତି ଅଧ୍ୟୁଷିତ ଅଂଚଳରେ ଏନଡିଏ ୪୭.୨ ପ୍ରତିଶତ ଭୋଟ ହାସଲ କରିଥିବାବେଳେ ଇଣ୍ଡିଆ ବ୍ଲକ ୩୯.୬୨ ପ୍ରତିଶତ ଭୋଟ ପାଇଥିଲା । ଚଳିତ ବିଧାନସଭା ନିର୍ବାଚନରେ ଆଦିବାସୀ ଓ ମହିଳାଙ୍କ ଭୋଟ ନିର୍ଣ୍ଣାୟକ ହେବ, ଏଥିରେ ସନ୍ଦେହ ନାହିଁ । ଦୁଇଟି ପର୍ଯ୍ୟାୟରେ ତଥା ଆସନ୍ତା ୧୩ ଓ ୨୦ତାରିଖରେ ଭୋଟ ଗ୍ରହଣ ହେଉଥିବା ଝାଡଖଣ୍ଡରେ ୨୩ତାରିଖରେ ଭୋଟ ଗଣତି ହେବ । ତେବେ ଫଳାଫଳକୁ ଅପେକ୍ଷା ।