ଜଳଖିଆ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ସମ୍ମାନିତ ହେଲେ ପୋଲିସ ଅଧିକାରୀ ଓ ପ୍ରାକ୍ତନ ଏପିପି
ଆସିକା (ୱାଇଏନ୍ଏସ୍) :ଗତ ୨୦୨୪ ମସିହା ଜୁଲାଇ ମାସ ୧୯ ତାରିଖରେ ଶେରଗଡ ଥାନାରେ ରୁଜୁ ହୋଇଥିବା ଏକ ମରଣାନ୍ତକ ଆକ୍ରମଣ ମାମଲାର ଉପଯୁକ୍ତ ତଦନ୍ତ ନୀରିକ୍ଷଣ ଓ ପରିଚାଳନା କରାଯିବା ଫଳରେ ଦୋଷୀକୁ ଦଣ୍ଡ ମିଳିବା ସହ ଆକ୍ରମଣର ଶୀକାର ହୋଇଥିବା ଗୋବିନ୍ଦପୁର ଗ୍ରାମର ଜଳଖିଆ ଦୋକାନୀ ହରିବନ୍ଧୁ ସାହୁଙ୍କୁ ନ୍ୟାୟ ମିଳିପାରିଛି । ଯାହାକୁ ନେଇ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଶେରଗଡ ଥାନା ଅଧିକାରୀ ବିରେନ୍ଦ୍ର ସିଅଳ, ଘଟଣାର ତଦନ୍ତକାରୀ ଅଧିକାରୀ କୃଷ୍ଣଚନ୍ଦ୍ର ଦାଶ ଓ ମାମଲା ପରିଚାଳନା କରିଥିବା ପ୍ରାକ୍ତନ ଏପିପି (ସରକାରୀ ଓକିଲ) ଜି.ସୂର୍ଯ୍ୟପ୍ରକାଶ ରାଓଙ୍କୁ ସମ୍ମାନିତ କରାଯାଇଥିବା ଜଣାପଡିଛି । ରାଜ୍ୟ ପୋଲିସ ମୁଖ୍ୟାଳୟ କଟକ ସ୍ଥିତ ଆର୍କେ ପାଢୀ ମେମୋରିଆଲ୍ ହଲ୍ ପରିସରରେ ଆୟୋଜିତ କର୍ମଶାଳାରେ ଆସିକାର ପ୍ରାକ୍ତନ ସରକାରୀ ଓକିଲ (ଏପିପି) ଜି.ସୂର୍ଯ୍ୟପ୍ରକାଶ ରାଓଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ନିର୍ଦ୍ଦେଶକ (କ୍ରାଇମ୍ବ୍ରାଞ୍ଚ) ବିନୟତୋଷ ମିଶ୍ର, ଆରକ୍ଷୀ ମହାନିରୀକ୍ଷକ ଡଃ ସାର୍ଥକ ଷଡଙ୍ଗୀଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଗତ ୧୯୯୫ ମସିହାରୁ ଓକିଲାତି ଭଳି ମହାନ୍ ପେଷାକୁ ଆଦରି ନେଇ ଏହି ବୃତ୍ତିକୁ ସୁଚାରୁ ରୂପେ ସଂପାଦନ କରି ସମଗ୍ର ଆସିକା କାହିଁକି ଗଞ୍ଜାମ ଜିଲ୍ଲାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଥିବା ବରିଷ୍ଠ ଆଇନଜୀବୀ ତଥା ପ୍ରାକ୍ତନ ସରକାରୀ ଓକିଲ ଜି.ସୂର୍ଯ୍ୟପ୍ରକାଶ ରାଓ ନିଜର ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ରାଜ୍ୟସ୍ତରୀୟ କର୍ମଶାଳାରେ ସମ୍ମାନିତ ହେବା ନିଶ୍ଚିତ ଭାବେ ଆସିକା ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ଆସିକା ଓକିଲ ସଂଘର ଉପସଭାପତି ତଥା ବରିଷ୍ଠ ଆଇନଜୀବୀ ଜି.ସୂର୍ଯ୍ୟପ୍ରକାଶ ରାଓ ରାଜ୍ୟସ୍ତରୀୟ କର୍ମଶାଳାରେ ସମ୍ମାନିତ ହେବା ପରେ ତାଙ୍କୁ ଆସିକା ଓକିଲ ସଂଘର ସଭାପତି ଛବିଳରାମ ମିଶ୍ର, ଯୁଗ୍ମ ସଂପାଦକ ଅଜିତ୍ କୁମାର ମୁନି, କୋଷାଧ୍ୟକ୍ଷ ରାଘବ କୁମାର ନାହାକ, ପୂର୍ବତନ କାଉନସିଲର ଏମ୍.ତାରିଣୀ ସେନାପତି, ବରିଷ୍ଠ ଆଇନଜୀବୀ ସୁଧାଂଶୁ କୁମାର ପଣ୍ଡା, କେ.ବ୍ରହ୍ମାନନ୍ଦ ରାଓ, ମହେଶ୍ୱର ବେହେରା, ପ୍ରିୟାଂଶୁ ଶେଖର ପରିଡା, ଦ୍ୱାରିକାନାଥ ପରିଡା, ମାନସ ରଂଜନ ଗୌଡ, ବି.ମୋହନ ରାଓ ଦୋରାଙ୍କ ସମେତ ବହୁ ସଚେତନ ନାଗରିକ, ବୁଦ୍ଧିଜିବୀ ଅଭିନନ୍ଦନ ଜଣାଇଥିବା ଲକ୍ଷ୍ୟ କରାଯାଇଛି ।


